ବ୍ରହ୍ମପୁର: ପର୍ଯ୍ୟଟନର ପ୍ରୋତ୍ସାହନ ସହ ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁପରିଚିତ କରାଇବା ଉଦ୍ଦେଶ୍ୟରେ ଟୁର୍ ଡି କଳିଙ୍ଗ ଅଭିଯାତ୍ରୀ ଦଳ ସାଇକେଲ୍ ଯୋଗେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରୁଛନ୍ତି। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଟୁର୍ ଡି କଳିଙ୍ଗର ଚତୁର୍ଥ ସଂସ୍କରଣ ଅନ୍ତର୍ଗତ ଏହି ଟିମ୍ ମଙ୍ଗଳବାର ବ୍ରହ୍ମପୁର ଠାରେ ପହଞ୍ଚିଛି। ସାଇକେଲ୍ ଅଭିଯାତ୍ରୀଙ୍କୁ ଆଗାମୀ ଯାତ୍ରା ସକାଶେ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ ଓ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ। ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ଅଧିକାରୀ ୨୦ ଜଣିଆ ଅଭିଯାତ୍ରୀ ଦଳକୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତିଷ୍ଠାତା ସୁଧୀର କୁମାର ଦାସଙ୍କ ନେତୃତ୍ବରେ ଅଭିଯାନରେ ବାହାରିଥିବା ଏହି ଟିମ୍ ପର୍ଯ୍ୟଟନ ସମେତ ପରିବେଶ ସୁରକ୍ଷା, ବିଶ୍ବ ତାପାୟନ, ଡ୍ରଗ୍ସ୍ ଅପବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।
ଗତ ୧୧ ତାରିଖରେ ଭୁବନେଶ୍ବରରୁ ଆରମ୍ଭ ହୋଇଥିଲା ଏହି ଟିମ୍ ଯାତ୍ରା। ପୁରୀ, ସାତପଡ଼ା ଦେଇ ବ୍ରହ୍ମପୁରରେ ପହଞ୍ଚିଥିବା ଏହି ଟିମ୍ ପରବର୍ତ୍ତୀ ଯାତ୍ରା ସକାଶେ ମଙ୍ଗଳବାର ଚନ୍ଦ୍ରଗିରି, ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା। ପରବର୍ତ୍ତୀ ସମୟରେ ରାୟଗଡ଼ା, କୋରାପୁଟ, ଦେଓମାଳି ଯାତ୍ରା କରିବ। ସେଠାରୁ ବିଷମକଟକ, ଦାରିଙ୍ଗବାଡି, ଫୁଲବାଣୀ, ନୟାଗଡ଼, ଖୋର୍ଦ୍ଧା ଅତିକ୍ରମ କରି ଆସନ୍ତା ୨୩ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ। ଟିମ୍ ଲିଡର୍ ସୁଧୀର ଦାସଙ୍କ କହିବା ପ୍ରକାରେ ପ୍ରକୃତିକୁ ଉପଭୋଗ କରିବାର ଶ୍ରେଷ୍ଠ ଉପାୟ ଚାଲି ଚାଲି ଯିବା କିମ୍ବା ସାଇକେଲ ଯାତ୍ରା। ଟୁର୍ ଡି କଳିଙ୍ଗରେ ସାରା ଦେଶରୁ ଅଂଶଗ୍ରହଣକାରୀ ଭାଗ ନେଉଥିବା ବେଳେ ଓଡ଼ିଶାରେ ବିଶ୍ବସ୍ତରୀୟ ଇକୋ- ଟୁରିଜିମ୍ ସୃଷ୍ଟି ଲାଗି ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଉଛି।
ରୁଟ୍ସ୍ ଅଫ୍ ଓଡ଼ିଶା ଫାଉଣ୍ଡେସନ୍ ପକ୍ଷରୁ ହାଇ ଫାଇଭ୍ ସୋସିଆଲ୍ ଇନୋଭେସନ୍, ମିଶନ୍ ଓଡ଼ିଶା ସମେତ ପେଡାଲ୍ ଅନ୍ ସେଭ୍ ଏନଭିର୍ଣ୍ଣମେଣ୍ଟ ସହଯୋଗରେ ଏହି ସାଇକେଲ ଯାତ୍ରାର ଆୟୋଜନ କରାଯାଇଛି। ଫାଉଣ୍ଡେସନ୍ ଅଧ୍ୟକ୍ଷ ସୁଧୀର କୁମାର ଦାଶ କହିଛନ୍ତି ଯେ ରାଜ୍ୟରେ ରାଜନୈତିକ ସ୍ଥିରତା ସହ ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଗଠନରେ ଚମତ୍କାର ରୂପାନ୍ତରଣ କରିଛନ୍ତି। ଆମେ ଆଶା କରୁଛୁ ଯେ ତାଙ୍କ ଯାଦୁରେ ସେ ଓଡ଼ିଶାକୁ କେବଳ ଭାରତ ନୁହେଁ ବରଂ ଦୁନିଆର ମାନଚିତ୍ରରେ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନିତ କରିବେ।
ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଣ୍ଣ ତ୍ରିଭୂଜ, ଚିଲିକା ହ୍ରଦ, ପୂର୍ବତଟ ପର୍ବତମାଳା ଏବଂ ଘଞ୍ଚ ଜଙ୍ଗଲ ସହିତ ଜଳ ଏବଂ ବନ୍ୟଜନ୍ତୁ ଆଦି ଓଡ଼ିଶାକୁ ଏକ ଉପଯୁକ୍ତ ଇକୋ-ଟୁରିଜିମ୍ ସ୍ଥଳରେ ପରିଣତ କରିଛି। ଦୁନିଆର ସର୍ବବୃହତ ନିଯୁକ୍ତିଦାତା ଭାବେ ପରିଚିତ ପର୍ଯ୍ୟଟନ କ୍ଷେତ୍ରକୁ ଯଦି ଅଧିକ ବିକଶିତ କରାଯାଏ ତେବେ ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ୍ କରିବ ତାହା ନିଃସନ୍ଦେହ। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ପଥ ପ୍ରଦର୍ଶକ ସାଜିପାରିବ। ଏଣୁ ସାଇକେଲ୍ ପର୍ଯ୍ୟଟନର ଏକ କରିଡର୍ ସୃଷ୍ଟି ଲାଗି ତଥା ଉପରୋକ୍ତ ୧୩୦୦ କିମି ଲମ୍ବା ରୁଟ୍ର ପ୍ରସାର ଲାଗି ୨୦୧୫ ମସିହାରୁ କାର୍ଯ୍ୟ କରୁଛି ଟୁର୍ ଡି କଳିଙ୍ଗ। ଟୁର୍ର ଅନ୍ୟତମ ସଂଯୋଜକ ଯୋଗେନ୍ଦ୍ର ସିଂହଙ୍କ କହିବା ପ୍ରକାରେ ଓଡ଼ିଶାର ଶ୍ରେଷ୍ଠ ସଂସ୍କୃତି, କଳା ଏବଂ ଖାଦ୍ୟ ତଥା ବିଜ୍ଞାନ ଅତୁଳନୀୟ ଯାହା ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳେ। ସେହିପରି ମିସନ୍ ଓଡ଼ିଶା ପ୍ରତିଷ୍ଠାତା ମଧୁସୂଦନ ମିଶ୍ର ମତ ଦେଇଛନ୍ତି ଯେ ଇକୋ-ଟୁରିଜିମ୍ ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଇକୋ ଟୁରିଜିମ୍ ତଥା ଆଡ୍ଭେଞ୍ଚର୍ ଟୁରିଜିମ୍ବର ପ୍ରସାର ଲାଗି ଟୁର୍ ଡି କଳିଙ୍ଗ ହେଉଛି ଶ୍ରେଷ୍ଠ ବିକଳ୍ପ।