‌ହସ୍ତଶିଳ୍ପରେ ମୋହନାର ଆଦିବାସୀ ଯୁବତୀ ଦିଲ୍ଲୀରେ ଚମକିଲେ  | News Room Odisha

‌ହସ୍ତଶିଳ୍ପରେ ମୋହନାର ଆଦିବାସୀ ଯୁବତୀ ଦିଲ୍ଲୀରେ ଚମକିଲେ 

ପାରଳାଖେମୁଣ୍ଡି: ପ୍ରତିଭା ସର୍ବତ୍ର ସମ୍ମାନ ପାଏ। ସେ ଆଦିବାସୀବହୁଳ ଗଜପତି ଜିଲ୍ଲାର ପଲ୍ଲୀ ହେଉ କି ଦେଶର ରାଜଧାନୀ ଦିଲ୍ଲୀ ହେଉ। ମୋହନା ବ୍ଲକ୍ ଗୁବୁରିଗୁଡ଼ା ବଟସାହି ଗ୍ରାମର କୁମାରୀ ରଇତ ଏହାର ପ୍ରମାଣ ହୋଇଛନ୍ତି। ଏକ ଦିନ ମଜୁରିଆ ପରିବାରର ଏହି ଯୁବତୀ ଜଣକ ଯେକି ବିଭିନ୍ନ କାରଣରୁ ହାଇସ୍କୁଲରେ ପାଦ ମଧ୍ୟ ରଖି ପାରିନଥିଲେ ତାଙ୍କ ହସ୍ତକଳା ଏବେ ଦେଶର ରାଜଧାନୀରେ ଚମକିଛି। ଭିନ୍ନ ଭିନ୍ନ କିସମର କାର୍ପେଟ୍ ତିଆରି କରି ପୁରସ୍କୃତ ହୋଇଛନ୍ତି କୁମାରୀ।

ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ କୁମାରୀ ପୁରସ୍କୃତ ହେବା ସହ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପାଇପାରିଛନ୍ତି। ଗତ ମାର୍ଚ୍ଚ ମାସରେ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ପକ୍ଷରୁ ତାଙ୍କୁ କାର୍ପେଟ୍ ପ୍ରସ୍ତୁତି ପ୍ରଶିକ୍ଷଣ ସକାଶେ ଚୟନ କରାଯାଇ ଥିଲା। ପ୍ରଶିକ୍ଷଣ ପରେ ସରକାରୀ ପ୍ରୋତ୍ସାହନରେ ଗୁବୁରୀଗୁଡ଼ା ଗାଁରେ ସେ କାର୍ପେଟ୍ ତିଆରି କେନ୍ଦ୍ରଟିଏ ଖୋଲିଥିଲେ। ହାତରେ ସୁନ୍ଦର ସୁନ୍ଦର କାର୍ପେଟ୍ ତିଆରି କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ସେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଆଉ ଏବେ ସେ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି।

ରାଜ୍ୟ ସରକାର ତଥା ଗଜପତି ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନ ବଳରେ ଏବେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହୋଇପାରିଛି। ଏବେ କାର୍ପେଟ୍ ତିଆରି କରି ମାସକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରି ପାରୁଥିବା ବେଳେ ଆଗକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାକୁ କୁମାରୀଙ୍କ ଯୋଜନା ରହିଛି। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଯଦି ତାଙ୍କ ଭଳି ନିପଟ ମଫସଲ ଗାଁ ଝିଅ ଦିଲ୍ଲୀ ଦରବାରରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ପାରିଲେ ତେବେ ଅନ୍ୟମାନଙ୍କୁ ମଧ୍ୟ ସୁଯୋଗ ମିଳିବା ଉଚିତ ବୋଲି କହନ୍ତି କୁମାରୀ।

ଏହି କାର୍ପେଟ୍ ତିଆରି କାମର ପୁନଃଦ୍ଧାର ପାଇଁ ସଉରା ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ଗଜପତି ଜିଲ୍ଲାପାଳ। ସେଠାରେ ପ୍ରଶିଷିତ କୁମାରୀ ଦିଲ୍ଲୀ ହସ୍ତତନ୍ତ୍ର ମେଳାରେ ଭାଗ ନେଇଥିଲେ।‌ ୫୬ଟି ଦେଶର ହସ୍ତତନ୍ତ୍ର ବୁଣାକାରଙ୍କୁ ପଛରେ ପକାଇ ଦେଇଥିଲେ ସେ।