ଛତ୍ରପୁର : ଓଡ଼ିଆ ଜ୍ୟୋତିର୍ବିଜ୍ଞାନ ଜଗତ ତାର ଅନ୍ୟତମ ଅମୂଲ୍ୟ ମଣି ପଣ୍ଡିତ ନରସିଂହ ଶତପଥୀଙ୍କୁ ହରାଇଛି। ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ହୁମ୍ମା ନିକଟ ଖଟିଆ ରାମଚନ୍ଦ୍ରପୁର ଶାସନସ୍ଥିତ ନିଜ ବାସଭବନରେ ସେ ଇହଧାମ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଓଡ଼ିଶାର ପ୍ରସିଦ୍ଧ ଶ୍ରୀରାଧାରମଣ ପ୍ରେସ୍ ବିଶୁଦ୍ଧ ସାମନ୍ତ ପଞ୍ଜିକାର ପ୍ରକାଶକ ଭାବେ ସାରା ରାଜ୍ୟରେ ସୁପରିଚିତ ଥିଲେ ସେ। ବିଶ୍ୱର ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଣ୍ଡିତ ଚନ୍ଦ୍ରଶେଖର ସିଂହସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ଗଣନାକୁ ଆଧାର କରି ସେ ୫ ଦଶନ୍ଧି କାଳ ଏହି ପଞ୍ଜିକା କ୍ରମାନ୍ଵୟ ଭାବେ ପ୍ରତିବର୍ଷ ମୁଦ୍ରଣ କରି ଦେଶର ବିଜ୍ଞ ସମାଜରେ ଏକ ସମ୍ମାନଜନକ ସ୍ଥାନ ଲାଭ କରିପାରି ଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ସହସ୍ରାଧିକ ଯଜ୍ଞାନୁଷ୍ଠାନଗୁଡ଼ିକରେ ପୌରୋହିତ୍ୟ କରି ଏହି ସୁପରିଚିତ ପାଞ୍ଜିକାରକ, ଜ୍ୟୋତିର୍ବିଦ ପଣ୍ଡିତ, କର୍ମକାଣ୍ଡ ବିଶାରଦ, ଜ୍ୟୋତିର୍ବିଦ୍ୟା ବାଚସ୍ପତି ଜଣକ ବହୁ ବିଜ୍ଞବ୍ୟକ୍ତିଙ୍କ ଠାରୁ ସମ୍ମାନିତ ହୋଇଥିଲେ।
କେ.ରାମଚନ୍ଦ୍ରପୁର ଶାସନରେ ୧୯୪୦ ମସିହାରେ ଯୋଗଜନ୍ମା ପଣ୍ଡିତ ରାଜୀବ ଶତପଥୀ ଓ ସାଧ୍ବୀ ମାତା ତିଳୋତ୍ତମା ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଶ୍ରୀନରସିଂହ ଶତପଥୀ। ବାଲ୍ୟକାଳରୁ ପିତାଙ୍କ ତତ୍ତ୍ଵାବଧାନରେ ସିଦ୍ଧାନ୍ତ ଜ୍ୟୋତିଷ ଶିକ୍ଷାଲାଭ କରିଥିଲେ ସେ। ୧୪ ବର୍ଷ ବୟସରୁ ପାଞ୍ଜି ଗଣନାରେ ପାରଙ୍ଗମ ହାସଲ କରି ଶ୍ରୀ ଶତପଥୀ ପିତାଙ୍କୁ କୌଳିକ ବୃଦ୍ଧିରେ ସହାୟତା କରୁଥିଲେ। ଏଥିସହ ଆଜି ପର୍ଯ୍ୟନ୍ତ ଅବିରତ ଭାବେ ଓଡ଼ିଶାର ସୁପ୍ରସିଦ୍ଧ ରାଧାରମଣ ପଞ୍ଜିକା ପ୍ରକାଶ କରି ଆସୁଥିଲେ। ଜଣେ ବିଖ୍ୟାତ କର୍ମକାଣ୍ଡ ବିଶାରଦ ଭାବେ ସମ୍ମାନିତ ତଥା ପୁରସ୍କୃତ ଶ୍ରୀ ଶତପଥୀ ୨୦୧୦ ମସିହାରେ ଜାତୀୟସ୍ତରରେ ହିନ୍ଦୁଧର୍ମ ଆଚାର୍ଯ୍ୟ ସଭା (ତିରୁପତି, ଆନ୍ଧ୍ରପ୍ରଦେଶ) ଦ୍ଵାରା, ସେହି ବର୍ଷ ଜାତୀୟ ଜ୍ୟୋତିର୍ବିଦ୍ ସମ୍ମିଳନୀ (ଓଡ଼ିଶା) ଦ୍ଵାରା କର୍ମକାଣ୍ଡ ବିଶାରଦ ଉପାଧି, ୨୦୧୩ରେ ଗଞ୍ଜାମ ଜ୍ୟୋତି ଉପାଧି, ୨୦୧୪ରେ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ (ଭୁବନେଶ୍ଵର) ଦ୍ଵାରା ଜ୍ୟୋତିର୍ବିଦ୍ୟା ବାଚସ୍ପତି ଉପାଧି, କଳା ବିକାଶ କେନ୍ଦ୍ର (ଛତ୍ରପୁର) ଦ୍ବାରା ଜ୍ଞାନଗୁରୁ ଉପାଧି ପ୍ରାପ୍ତ କରିଥିଲେ ସେ। ଏହି ଉଚ୍ଚକୋଟୀର ଜ୍ୟୋତିର୍ବିଦ ପଣ୍ଡିତ ଜଣକ ଓଡ଼ିଶାର ସର୍ବପୁରାତନ ତଥା ସର୍ବାଧିକ ବ୍ୟବହୃତ ନିର୍ଭୁଲ ଦିନପାଞ୍ଜିକା ପ୍ରକାଶନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହି ଆସିଥିଲେ।
ବରିଷ୍ଠ ପାଞ୍ଜିକାର ନରସିଂହ ଶତପଥୀଙ୍କ ବିୟୋଗ ରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ନରସିଂହ ଶତପଥୀଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ଘରକୁ ଅଣାଯାଇଥିଲା ଓ ସେଠାରେ ତାଙ୍କର ପରଲୋକ ଘଟିଛି।