ଭାରତୀୟ- ଚୀନ୍ ସୈନିକ ସଂଘର୍ଷ ଉପରେ ଆଲୋଚନା ଦାବିରେ ଅଟଳ ବିରୋଧୀ, ସଂସଦରେ ହଟ୍ଟଗୋଳ | News Room Odisha

ଭାରତୀୟ- ଚୀନ୍ ସୈନିକ ସଂଘର୍ଷ ଉପରେ ଆଲୋଚନା ଦାବିରେ ଅଟଳ ବିରୋଧୀ, ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଦାବିରେ ଅଟଳ ରହିଛନ୍ତି । ଏହାକୁ ନେଇ ଶୁକ୍ରବାର ମଧ୍ୟ ରାଜ୍ୟସଭାରେ ହଟ୍ଟଗୋଳ ଦେଖବାକୁ ମିଳିଛି। ଫଳରେ ଗୃହକୁ ପୁଣି ମୁଲତବୀ ରଖାଯାଇଛି ।

ଭାରତ-ଚୀନ୍ ସେନାଙ୍କ ମଧ୍ୟରେ ହାତାହାତି ଘଟଣା ଉପରେ ବିତର୍କ ପାଇଁ କଂଗ୍ରେସ ସାଂସଦମାନେ ଦିନର ଗୃହକାର୍ଯ୍ୟ ସ୍ଥଗିତ ରଖିବାକୁ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଏଥିପାଇଁ ଅନୁମତି ନ ଦେବାରୁ, ସେମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସ୍ଲୋଗାନ ଦେଇଥିଲେ। ହୋହଲ୍ଲା ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ରଖିଥିଲେ ।

ଅନ୍ୟପକ୍ଷରେ ତାୱାଙ୍ଗରେ ଘଟିଥିବା ସଂଘର୍ଷକୁ ନେଇ ଭାରତୀୟ ସେନାର ଅଧିକାରୀମାନେ ପ୍ରତିକ୍ରିୟା ରଖିଛନ୍ତି। ଇଷ୍ଟର୍ନ ଆର୍ମି କମାଣ୍ଡର ମୁଖ୍ୟ ଲେଫ୍ଟ ଜେନେରାଲ ଆରପି କାଲିଟା କହିଛନ୍ତି ଯେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉଲ୍ଲଂଘନ କରିଥିଲେ । ଭାରତୀୟ ସୈନିକ ଏହାର ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଉଭୟ ପାର୍ଶ୍ବର ସୈନିକ ଆହତ ହୋଇଥିଲେ। ସ୍ଥାନୀୟ ସ୍ତରରେ ଏହାର ସମାଧାନ ହୋଇଛି ଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି ।