ବନ୍ଧାହେଲେ କଳାଟଙ୍କାରେ ମାଲାମାଲ ହୋଇଥିବା ତମାଣ୍ଡୋ ଥାନା ଏସଆଇ | News Room Odisha

ବନ୍ଧାହେଲେ କଳାଟଙ୍କାରେ ମାଲାମାଲ ହୋଇଥିବା ତମାଣ୍ଡୋ ଥାନା ଏସଆଇ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ତମାଣ୍ଡୋ ଥାନାର ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜାମିନ ଆବେଦନ ଖାରଜ ହେଲା ପରେ ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିମନ୍ୟୁ ତାଙ୍କ ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

ଆୟରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଅଭିମନ୍ୟୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରର ପାଇକନଗରରେ ତାଙ୍କର ଗୋଟିଏ ୧ ୪ ମହଲା କୋଠା ରହିଛି, ଯାହାର ମୂଲ୍ୟ ଦେଢ କୋଟିରୁ ଅଧିକ ଟଙ୍କା ହେବ। ତାଙ୍କର ୮ଟି ପ୍ଲଟ୍ ଠାବ କରାଯାଇଛି । ସେଥିରୁ ୭ଟି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେଳେ ଅନ୍ୟ ଗୋଟିଏ ତାଙ୍କ ପୈତୃକ ଗାଁ ନୟାଗଡ଼ ଜିଲ୍ଲା ନଚ୍ଛିପୁରରେ ରହିଛି। ଏହି ସବୁ ପ୍ଲଟ୍‌ର ମୂଲ୍ୟ ପ୍ରାୟ ୯୦ ଲକ୍ଷ ହେବ। ନଚ୍ଛିପୁରରେ ତାଙ୍କର ଏକ ମହଲା ବିଶିଷ୍ଟ ଗୋଟିଏ ଘର ରହିଛି। ଏହାର ମୂଲ୍ୟ ୬.୨୨ ଲକ୍ଷ ଟଙ୍କା ହେବ ।

  ଅଭିମନ୍ୟୁଙ୍କର ୭୮.୮୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ରହିଛି। ତାଙ୍କ ଠାରୁ ନଗଦ ୧.୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାଛଡା ତାଙ୍କର ୬.୯୫ ଲକ୍ଷ ଟଙ୍କାର ଏକ କାର ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି, ଯେଉଁ ଗୁଡ଼ିକର ମୂଲ୍ୟ ୧.୮୯ ଲକ୍ଷ ଟଙ୍କା। ଅଭିମନ୍ୟୁଙ୍କ ୧୫.୯୦ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ରହିଥିବା ହିସାବ ଦେଇଛି ଭିଜିଲାନ୍ସ।