ବିଶ୍ୱକପ ହକି ନେଇ କ୍ରୀଡ଼ାପ୍ରେମୀଙ୍କ ସହ ୫-ଟି ସଚିବଙ୍କ ଲାଇଭ ବିଚାରବିମର୍ଶ, ରଖିଲେ ବିଭିନ୍ନ ପ୍ରଶ୍ନର ଉତ୍ତର | News Room Odisha

ବିଶ୍ୱକପ ହକି ନେଇ କ୍ରୀଡ଼ାପ୍ରେମୀଙ୍କ ସହ ୫-ଟି ସଚିବଙ୍କ ଲାଇଭ ବିଚାରବିମର୍ଶ, ରଖିଲେ ବିଭିନ୍ନ ପ୍ରଶ୍ନର ଉତ୍ତର

ଭୁବନେଶ୍ୱର – ହକି ବିଶ୍ୱକପ୍ ନେଇ ୫-ଟି ସଚିବ ଭି. କେ ପାଣ୍ଡିଆନ ଦର୍ଶକଙ୍କ ସହ ଲାଇଭ ବିଚାରବିମର୍ଶ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରୁ ଇନଷ୍ଟାଗ୍ରାମରେ ଲାଇଭ ଆସି ବିଶ୍ୱକପ୍ ପ୍ରସ୍ତୁତି ସମ୍ପର୍କିତ ସୂଚନା ଦେଇଛନ୍ତି ୫-ଟି ସଚିବ । ସେ କହିଛନ୍ତି, ହକି ବିଶ୍ୱକପ୍ ଓଡ଼ିଶାର ୨ଟି ସହରରେ ଆୟୋଜିତ ହେଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଡାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବ । କ୍ରୀଡାରେ ନିବେଶ ହେଉଛି ଯୁବବର୍ଗଙ୍କ ଉପରେ ନିବେଶ । କ୍ରୀଡ଼ାରେ ନିବେଶ କରିବା ଅର୍ଥ ଯୁବବର୍ଗଙ୍କୁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି।

ବିଶ୍ୱରେ କ୍ରୀଡାବିତଙ୍କ ସବୁବେଳେ ସମ୍ମାନ ରହିଆସିଛି । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି ବୋଲି କହିଛନ୍ତି ୫-ଟି ସଚିବ । ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ଦଳ । ହକି ବିଶ୍ୱକପରେ ଭାରତ ମେଡାଲ ଆଣୁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ରହିଛି । ଦେଶରେ ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର କାର୍ଯ୍ୟ କରୁଛନ୍ତି ।

ସେ ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୨୪ରୁ ହକି ଟ୍ରଫି ଟୁର ୩୦ ଜିଲ୍ଲାରେ ହେବ । ରାଜ୍ୟର ସମସ୍ତ ମହାନଗରରେ ବିଶ୍ୱକପ ହକି ପାଇଁ ଉତ୍ସବ ଆୟୋଜନ ହେବ । ସ୍ୱାଧିନତା ସଂଗ୍ରାମ ସହ ହକିର ନିବିଡ଼ ସମ୍ପର୍କ ରହିଛି ।

ବିଜୁବାବୁଙ୍କ ହକି ପ୍ରେମ ନେଇ ସ୍ମୃତିଚାରଣ କରିଛନ୍ତି ଭିକେ ପାଣ୍ଡିଆନ । ଏ ମାଟିରୁ ଭାରତ ହକି ବିଶ୍ୱକପ୍ ଜିତୁ, ଶ୍ରୀଜିଉଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ୫-ଟି ସଚିବ । ହକି ପାଇଁ ୩୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ଆପଣମାନଙ୍କ ଚିୟରଅପ୍ ମୁଁ ଏବେଠୁ ଶୁଣିପାରୁଛି । ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ ଜଣେ ଓଡ଼ିଆ ଅଲିମ୍ପିକରେ ପଦକ ହାସଲ କରନ୍ତୁ ।

ସେ କହିଛନ୍ତି ଯେ, ରାଜ୍ୟର ସ୍କୁଲ କଲେଜଗୁଡ଼ିକରେ ହକି ପାଇଁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍ ଲୋକଙ୍କ ଦ୍ୱାରା ହେଉ । ପ୍ରତି ଜିଲ୍ଲାର ଗୋଟିଏ ହାଇସ୍କୁଲରେ ଏହି ସୁବିଧା ଯୋଗାଇ ଦିଆଯାଉଛି । ଆଶା ଯେ ଚଳିତଥର ଭାରତ ହକି ବିଶ୍ୱକପ୍ ନିଶ୍ଚୟ ଜିତିବ ବୋଲି କହିଛନ୍ତି ୫-ଟି ସଚିବ ।