ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ସୁପ୍ରିମୋ ନବୀନଙ୍କ ବାର୍ତ୍ତା: ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ  | News Room Odisha

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ସୁପ୍ରିମୋ ନବୀନଙ୍କ ବାର୍ତ୍ତା: ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ 

ଭୁବନେଶ୍ବର – ଡିସେମ୍ବର ୨୬ରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷସାରା ବିଭିନ୍ନ ଉତ୍ସର୍ଗୀକୃତ ଲୋକସେବା ମାଧ୍ୟମରେ ସବୁ ବର୍ଗର ଜନଗଣଙ୍କ ଅଧିକ ନିକଟତର ହୋଇ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ବାର୍ତ୍ତାରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ବିଜୁ ବାବୁଙ୍କ ନୀତି, ଆଦର୍ଶ ତଥା ଓଡ଼ିଶାର ସବୁ‌ କ୍ଷେତ୍ର ଏବଂ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଦଳର ଆଭିମୁଖ୍ୟକୁ ଓଡ଼ିଶାର ଅଗଣିତ ଜନସାଧାରଣ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ଦେଇଛନ୍ତି । ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ଯାଏଁ ଲୋକଙ୍କ ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥୀମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜେଡିକୁ ଲୋକଙ୍କ ନିକଟତର କରିଛି। ଲଗାତର ବିଭିନ୍ନ ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଥିବା ଆସ୍ଥା ପ୍ରମାଣିତ ହୋଇଛି । ୨୫ ବର୍ଷ ଧରି ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ଏହି ଦଳ ରାଜନୈତିକ କାର୍ଯ୍ୟକ୍ରମ ସହିତ ତା’ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳଗୁଡ଼ିକ ଭିତରେ ବିଜେଡିକୁ ଏକ ପ୍ରଶଂସନୀୟ ପରିଚୟ ଆଣି ଦେଇଛନ୍ତି। ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

ବିଜେଡିର ୨୫ ବର୍ଷ ପୂର୍ତ୍ତିର ସଫଳତାକୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖକ୍ଷେତ୍ର ପୁରୀରେ ପାଳନ କରାଯିବ। ଏଥିରେ ଦଳର ସବୁ ରାଜ୍ୟ, ଜିଲ୍ଲା, ବ୍ଲକ ଓ ପୌରାଞ୍ଚଳ କର୍ମକର୍ତ୍ତା, ସାଂସଦ ଓ ବିଧାୟକ, କ୍ଷେତ୍ରୀୟ ଜନପ୍ରତିନିଧି, ଯୁବ, ଛାତ୍ର, ମହିଳା ଆଦି କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ଏହି ପୂର୍ତ୍ତି ଉତ୍ସବ ଗୋଟିଏ ପକ୍ଷ ଧରି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ପ୍ରତିଷ୍ଠା ଦିବସ ସମା‌ରୋହ ବର୍ଷତମାମ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୫ ବର୍ଷର ସମର୍ପିତ ଜନ ସେବାର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଆହୁରି ଆଗକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ।