ବେଲପାହାଡ଼ ନଗରପାଳଙ୍କ ବିରୋଧରେ ପ୍ରଶାସନର ଦ୍ବାରସ୍ଥ ୧୨ କାଉନସିଲର  | News Room Odisha

ବେଲପାହାଡ଼ ନଗରପାଳଙ୍କ ବିରୋଧରେ ପ୍ରଶାସନର ଦ୍ବାରସ୍ଥ ୧୨ କାଉନସିଲର 

ଝାରସୁଗୁଡ଼ା : ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ସମସ୍ତ ବିଜେଡି କାଉନସିଲର ବିଦ୍ରୋହ ଘୋଷଣା କଲେଣି। ଆଜି 12 କାଉନସିଲର ଏକାଠି ହୋଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।

ଉକ୍ତ 12 କାଉନସିଲରଙ୍କ ଅଭିଯୋଗ ହେଲା ଯେ, ଓଡ଼ିଶା ମୁୟନସିପାଲ ଆକ୍ଟ-1950ର ଖୋଲାଖୋଲି ଉଲ୍ଲଙ୍ଘନ କରି ନଗରପାଳ ମନମୁଖୀ କାମ କରୁଛନ୍ତି। କାଉନସିଲ ବୈଠକର ବିବରଣୀର ନକଲ କୌଣସି କାଉନସିଲରଙ୍କୁ ଦିଆଯାଉନାହିଁ। ସେହିପରି 15 ତାରିଖ କାଉନସିଲ ବୈଠକ ଥିବା ବେଳେ 12 ତାରିଖ ନୋଟିସ ଜାରି କରାଯାଉଛି। ମୁକ୍ତା ଯୋଜନାରେ ମିଶନ ଶକ୍ତି ତଥା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ରୋଜଗାର ଦେବା ବଦଳରେ ଠିକାଦାର ପୋଷା ଚାଲିଛି ବୋଲି ଅଭିଯୋଗ ହୋଇଛି। ସେହିପରି କାଉନସିଲରମାନଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ଦ୍ବାରା ବିକାଶ ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି କାଉନସିଲର। ତେବେ, ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ବେଲପାହାଡ଼ରେ କଂଗ୍ରେସ ଦଳର ନଗରପାଳ ଥିବା ବେଳେ ଶାସକ ବିଜେଡ଼ିରୁ ଅଧିକାଂଶ କାଉନସିଲର ନିର୍ବ।ଚିତ ହୋଇଛନ୍ତି। ଫଳସ୍ବରୂପ ଆରମ୍ଭରୁ ନଗରପାଳ ଏବଂ ବିଜେଡି କାଉନସିଲରଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଏହାଦ୍ବାରା ସହରର ବିକାଶ ବାଧାପ୍ରାପ୍ତ ହେବାରେ ଲାଗିଛି।