ନୃସିଂହନାଥ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ | News Room Odisha

ନୃସିଂହନାଥ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ଗସ୍ତରେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ପ୍ରସିଦ୍ଧ ଶୈବପୀଠ ନୃସିଂହନାଥ ମନ୍ଦିରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ , ବରଗଡ଼ ଜିଲ୍ଲାପାଳ ମନିଷା ପଟେଲ , ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜିତ ମିଶ୍ରଙ୍କ ସହ ସେ ସମସ୍ତ କାର୍ଯ୍ୟ ବୁଲି ଦେଖୁଥିଲେ । ପରେ ସେ ପାଇକମାଳ ବ୍ଲକ୍‌ସ୍ଥିତ ମଣ୍ଡୋସିଲ୍ ଗ୍ରାମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀ ପୁରୁଷୋତ୍ତମ ସାହୁଙ୍କ ଜୈବ ବିହନ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଥିଲେ । ୧ କୋଟି ୬୦ ଲକ୍ଷ ବ୍ୟୟ ଅଟକଳରେ ସଂଚାଳିତ ଏହି ପ୍ରକଳ୍ପରେ ଏହି ଉଦ୍ୟୋଗୀ ପ୍ରୋତ୍ସାହନ ରାଶି ଭାବେ ୪୦ ଲକ୍ଷ ଟଙ୍କା ପାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ ଶ୍ରୀ ସାହୁ , ଜୈବିକ ଖତ ପ୍ରସ୍ତୁତ କରି ବରଗଡ଼ ଓ ଆଖପାଖ ଜିଲ୍ଲାର ଚାଷୀମାନଙ୍କୁ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି । ତାଙ୍କର ପେଶାଦାର ଅଭିଜ୍ଞତା ରହିଛି ଏବଂ ତାଙ୍କର ପ୍ରମାଣନ ବିହନର ଭଲ ଚାହିଦା ରହିଛି । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ନିକଟସ୍ଥ କୋକୋନରା ଗ୍ରାମର ଦୋଳମଣି ମେହେରଙ୍କ ୫ ଏକର ପରିମିତ ଜମିରେ କରାଯାଇଥିବା ଆମ୍ବ , ପି କୁଳି , ଡାଳିମ୍ବ , ପଣସ , ଲେମ୍ବୁ ଇତ୍ୟାଦିର କଲମୀକୃତ ଚାଷ ବୁଲି ଦେଖୁଥିଲେ । ସେ କଲମୀ ଚାରା ପ୍ରସ୍ତୁତ କରି ସେଗୁଡ଼ିକୁ ଆଗ୍ରହୀ ଚାଷୀମାନଙ୍କୁ ବିକୁଥିବା ଜଣାପଡ଼ିଛି । ଏ ଦିଗରେ ଆଗକୁ ବଢ଼ିବାକୁ ଜିଲ୍ଲାର ଉଦ୍ୟାନ କୃଷି ବିଭାଗ ତରଫରୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ଶ୍ରୀ ମେହେର ପ୍ରକାଶ କରିଛନ୍ତି ।

ସେଠାରୁ ଶ୍ରୀ ତ୍ରିପାଠୀ ଭୁବନେଶ୍ଵରପୁର ଯାଇ ପୁଷ୍ପଲତା ଛେଳି ଫାର୍ମ ବୁଲି ଦେଖୁଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ୨୬ ଲକ୍ଷ ବିନିଯୋଗକରି ୫୦ % ସବ୍‌ସିଡି ପାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଫାର୍ମରେ ୩୦୦ ଛେଳି ରହିଛନ୍ତି ଏବଂ ଆଗକୁ ଏହି ଫାର୍ମର କଳେବର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିବା ସେ କହିଥିଲେ । ପରେ ଶ୍ରୀ ତ୍ରିପାଠୀ ଝାରବନ୍ଧ ବ୍ଲକ୍‌ର ଚାଣ୍ଡିଭଙ୍ଗା ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ଥିବା ଲାଇଫ୍ ଫାମିଂ ପ୍ରଡ୍ୟୁସର କମ୍ପାନୀରେ ସାମିଲ ଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ଭାବବିନିମୟ କରିଥିଲେ । ସେମାନେ କଳାଧାନ ଓ ମାଣ୍ଡିଆ କିଣି ତାକୁ ଉତ୍ତମ ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ କରୁଥିବାର ଅଧିକ ଚାହିଦା ରହିଛି । ବର୍ତ୍ତମାନ ବର୍ଷକୁ ସେମାନେ ୪୫ ଲକ୍ଷ ଟଙ୍କାର କାରବାର କରୁଛନ୍ତି । ଓର୍‌ମାସ୍‌ ଏହି ଏସ୍ଏଚ୍‌ଜିକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ମହିଳାମାନେ ବିକାଶର ଏହି ଅଭିନବ ଉଦ୍ୟମଗୁଡ଼ିକରେ ବିଶେଷ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରି ଶ୍ରୀ ତ୍ରିପାଠୀ ସନ୍ତୋଷ ପ୍ରକାଶ କରିଥିଲେ । ଆସନ୍ତାକାଲି ଶ୍ରୀ ତ୍ରିପାଠୀଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।