ବ୍ରହ୍ମପୁର: ଏଣିକି ରେଶମ ସହରବାସୀ ୨୪ ଘଣ୍ଟିଆ ପାଇପାରିବେ ବିଶୁଦ୍ଧ ପାନୀୟ ଜଳ। ଘରକୁ ସିଧାସଳଖ ଟ୍ୟାପ୍ ଯୋଗେ ଯୋଗାଇ ଦିଆଯିବ ପିଇବା ପାଣି। କାରଣ ବୁଧବାର ବ୍ରହ୍ମପୁର ମହାନଗର ସମେତ ହିଞ୍ଜିଳିକାଟୁ ପୌରପାଳିକା ଏବଂ ଗୋପାଳପୁର ଏନ୍ଏସି ବାସିନ୍ଦାଙ୍କ ପାଇଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍’ ଅନ୍ତର୍ଗତ ‘ସୁଜଳ’ ସ୍କିମ୍କୁ ଭର୍ଚୁଆଲରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ପାଇଁ ରେଶମ ସହରର ୯ଟି ଜୋନ୍ରେ ଏହି ସ୍କିମ୍ ଲାଗୁ କରାଯାଇଛି। ଏଥିଅନ୍ତର୍ଗତ ସହରବାସୀ ୱାଟର୍ ଟ୍ୟାପ୍ରୁ ଏଣିକି ସ୍ବଚ୍ଛ ଓ ନିରବିଚ୍ଛିନ୍ନ ପାଣି ଯୋଗାଣର ଲାଭ ଉଠାଇ ପାରିବେ।
ଲାଞ୍ଜିପଲ୍ଲୀ- ଗୁଡ୍ସସେଡ୍ ରୋଡ୍ ଅଞ୍ଚଳରେ ବୁଧବାର ପୂର୍ବାହ୍ନରେ ପ୍ରକଳ୍ପ ଲୋକାର୍ପଣ ସଭା ହୋଇଥିଲା। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟୀ ମେୟର୍ ଇ.ବିବେକ ରେଡ୍ଡୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଯୁଗାନ୍ତକାରୀ ପଦକ୍ଷେପ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନପ୍ରତିନିଧିଗଣ। ବିଶେଷ କରି ବ୍ରହ୍ମପୁର ମହାନଗରରେ ଦୀର୍ଘ ବର୍ଷର ଜଳ ସମସ୍ୟାକୁ ଦୂର କରିବାକୁ ପ୍ରଥମେ ଜାନିବିଲି ପ୍ରକଳ୍ପ ଆଉ ଏବେ ସ୍ୱଚ୍ଛ ଓ ବିଶୁଦ୍ଧ ଜଳଯୋଗାଣ ସକାଶେ ଓ୍ବାଟ୍କୋ ପ୍ରକଳ୍ପକୁ ଲୋକାର୍ପଣ କରି ରେଶମ ସହରବାସୀଙ୍କ ସକାଶେ ନିଜ ଦାୟିତ୍ଵବଦ୍ଧତାକୁ ମୁଖ୍ୟମନ୍ତ୍ରୀ ବାସ୍ତବତାରେ ପରିଣତ କରିଥିବା ମତବ୍ୟକ୍ତ କରିଥିଲେ ଜନପ୍ରତିନିଧିଗଣ। ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ ଏହା ଏକ ଯୁଗାନ୍ତକାରୀ ଓ ଆଡ୍ଭାନ୍ସଡ ପ୍ରକଳ୍ପ। ଏଥିରେ ମୁଖ୍ୟତଃ ଲିକେଜ୍ କମାଇବା, ଅନବରତ ଜଳଯୋଗାଣକୁ ପ୍ରାଥମିକତା ଦିଆଯାଉଛି। ବ୍ରହ୍ମପୁର ମହାନଗରରେ ୧ ଲକ୍ଷ ୫୦ ହଜାର ଉପଭୋକ୍ତା ଏଥିରୁ ଉପକୃତ ହୋଇପାରିବେ। ମହାନଗରର ୭ ୱାର୍ଡରେ ସମ୍ପୂର୍ଣ୍ଣ ରୂପେ ଏବଂ ୯ଟି ୱାର୍ଡରେ ଆଂଶିକ ଭାବେ ତଥା ଗୋପାଳପୁରରେ ଶତପ୍ରତିଶତ ଏବଂ ହିଞ୍ଜିଳିକାଟୁର ସର୍ବାଧିକ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସେ ସୂଚାଇଛନ୍ତି।
ବ୍ରହ୍ମପୁର ମହାନଗରର ଅନ୍ୟ ଅଞ୍ଚଳରେ ଜଳଯୋଗାଣ ଦାୟିତ୍ବ ତୁଲାଉଛି ଜନସ୍ବାସ୍ଥ୍ୟ ବିଭାଗ। ତେବେ ଉପରୋକ୍ତ ୯ଟି ଜୋନ୍ରେ କାର୍ଯ୍ୟକାରୀ ହେଉଥିବା ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପ ଦାୟିତ୍ବ ଗ୍ରହଣ କରିଛି ୱାଟର୍ କର୍ପୋରେସନ୍ ଅଫ୍ ଓଡ଼ିଶା (ଓ୍ବାଟକୋ)। ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ସମଗ୍ର ବ୍ରହ୍ମପୁର, ହିଞ୍ଜିଳିକାଟୁ ଓ ଗୋପାଳପୁର ସହରରେ ୨୪ ଘଣ୍ଟିଆ ଜଳଯୋଗାଣ ଲକ୍ଷ୍ୟ ରଖାଯାଇଛି। ମହାନଗରର ବିଭିନ୍ନ ସ୍ଥାନରେ ଥିବା ଓଭର୍ହେଡ୍ ଟ୍ୟାଙ୍କ୍ ଓ ସମ୍ପ୍ ଅବସ୍ଥିତିକୁ ନେଇ ବ୍ରହ୍ମପୁରକୁ ୨୪ଟି ଜୋନ୍ରେ ବିଭକ୍ତ କରାଯାଇଛି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପ୍ରଥମେ ଦୁଇଟି ଜୋନ୍ରେ ପାଇଲଟିଂ ପ୍ରକଳ୍ପ ସଫଳ ହେବା ପରେ ବର୍ତ୍ତମାନ ୯ଟି ଜୋନ୍ ଅର୍ଥାତ୍ ଗାନ୍ଧି ନଗର, ଗେଟବଜାର ଓଆର୍ଟି କଲୋନୀ, ଇଞ୍ଜିନିୟରିଂ ସ୍କୁଲ ଛକ ଇଲାକା, ଆମ୍ବପୁଆ, ଗୋସାଇଁନୂଆଗାଁ, ଗୁଡସସେଡ୍ ରୋଡ୍, ଡୁଡୁମା କଲୋନୀ, ହର୍ଷ ବିହାର, ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ପୂର୍ବରୁ କଟକ, ଭୁବନେଶ୍ୱର ଓ ପୁରୀରେ ୨୪ ଘଣ୍ଟିଆ ଜଳ ଯୋଗାଣ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରାଇ ପାରିଛି ୱାଟ୍କୋ। ଏବେ ଗଞ୍ଜାମ ଜିଲ୍ଲାର ଏକମାତ୍ର ମହାନଗର ସମେତ ଗୋଟିଏ ଲେଖାଏଁ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦରେ ଉପରୋକ୍ତ ଦାୟିତ୍ବ ୱାଟ୍କୋ ଉପରେ ନ୍ୟସ୍ତ କରାଯାଇଛି। ।