ଗଞ୍ଜାମ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ସହାୟକ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ: ମୁଖ୍ୟମନ୍ତ୍ରୀ  | News Room Odisha

ଗଞ୍ଜାମ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ସହାୟକ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ: ମୁଖ୍ୟମନ୍ତ୍ରୀ 

ଗୋପାଳପୁର: ଇକୋ ଟୁରିଜିମ୍‌ରେ ଗୋପାଳପୁରର ସ୍ବତନ୍ତ୍ର ମହତ୍ତ୍ଵ ରହିଛି। ଏହାର ଶାନ୍ତ ପରିବେଶ ଦେଶ ଓ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଆକର୍ଷଣ। କେବଳ ପର୍ଯ୍ୟଟନ ଦୃଷ୍ଟିରୁ ନୁହେଁ, ଗୋପାଳପୁରର ଅର୍ଥନୈତିକ ବିକାଶ ସହ ଭିତ୍ତିଭୂମି ଉନ୍ନତ ହେଉଛି। ଆଗାମୀ ଦିନରେ ଗୋପାଳପୁର ଓଡ଼ିଶାର ପ୍ରମୁଖ ସହର ଭାବେ ମାନ୍ୟତା ପାଇବ। ଏଠାରେ ଆୟୋଜିତ ବେଳାଭୂମି ମହୋତ୍ସବ ଗଞ୍ଜାମ ଜିଲ୍ଲାର ମହାନ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ସନ୍ଧ୍ୟାରେ ଭର୍ଚୁଆଲରେ ସେ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ କରିଥିଲେ।

ପାଞ୍ଚ ଦିନିଆ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଥିଲେ ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଶାସନର, ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ପ୍ରମୁଖ ମଞ୍ଚାସୀନ ଥିଲେ। ଓଡ଼ିଶା କେବଳ ପର୍ଯ୍ୟଟନ ନୁହେଁ, କ୍ରୀଡ଼ାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ନବୀନ ସରକାରଙ୍କ ଲକ୍ଷ୍ୟ।‌ ସେଥିପାଇଁ ଏସ୍ଏଚ୍‌ଜି ଜରିଆରେ ମହିଳାମାନଙ୍କୁ ସ୍ୱବଲମ୍ବୀ କରାଯାଉଛି। ଏ ଦୃଷ୍ଟିରୁ ଓଡ଼ିଶା ଏବେ ମଡେଲ ରାଜ୍ୟରେ ପରିଣତ ହୋଇଛି। ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ। ରାଜ୍ୟରେ ୪୮୦ କିଲୋମିଟର ବେଳାଭୂମି ଥିବା ବେଳେ ବିଭିନ୍ନ ଜାଗାରେ ମହୋତ୍ସବ କରାଯାଉଛି। ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରା କିପରି ବିଶ୍ବ ଦରବାରରେ ପହଞ୍ଚିବ ସେଥିଲାଗି ଏହି ମହୋତ୍ସବର ଆୟୋଜନ ବୋଲି କହିଛନ୍ତି ଅତିଥି ଗଣ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଗୋପାଳପୁର ବେଳାଭୂମି ମହୋତ୍ସବ ଜରିଆରେ ଗଞ୍ଜାମ ଜିଲ୍ଲାର ପରମ୍ପରାକୁ ବିଶ୍ଵ ଦରବାରରେ ଆଗେଇ ନିଆଯିବ । ପଲ୍ଲିଶ୍ରୀ ମେଳାରେ ଓଡ଼ିଶା ଓ ରାଜ୍ୟ ବାହାର ରାଜ୍ୟରୁ ବହୁ ଏସ୍ଏଚ୍‌ଜି ଆସି ହସ୍ତତନ୍ତ୍ର ସାମଗ୍ରୀର ପସରା ମେଲିଛନ୍ତି। ସେମାନଙ୍କ ହାତ ତିଆରି ଉପକରଣ ପ୍ରଦର୍ଶନୀ ଏବଂ ବିକ୍ରି ସକାଶେ ଏହି ମହୋତ୍ସବ ଏକ ଅପରୂପ ସୁଯୋଗ ଆଣିଦେଇଛି।

ବେଳାଭୂମି ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ଓଲିଉଡ୍ କଣ୍ଠଶିଳ୍ପୀଙ୍କ ଧମାକା ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ, ଇଣ୍ଡିଆନ୍ ଆଇଡଲ୍ ଫେମ୍ ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଶୀତଲ କବି, ଦେବେଶ ପତି ପ୍ରମୁଖ ଉଦ୍‌ଘାଟନୀ ସନ୍ଧ୍ୟାକୁ ରଙ୍ଗୀନ କରିଥିଲେ। ବହୁ ଓଡ଼ିଆ, ହିନ୍ଦୀ ହିଟ୍ ଗୀତ ଗାଇଥିଲେ ଏହି କଣ୍ଠଶିଳ୍ପୀ ଗଣ। ପ୍ରଜ୍ଞା ଖଟୁଆ ଓ ଶଙ୍କର ପ୍ରଧାନଙ୍କ କମେଡି ହାସ୍ୟରୋଳ ସୃଷ୍ଟି କରିଥିଲା। ଏହା ପୂର୍ବରୁ ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ଼ର ଆଞ୍ଚଳିକ କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ।ପଶ୍ଚିମବଙ୍ଗର କଥକଲି ନୃତ୍ୟ ଅନ୍ୟତମ ଆକର୍ଷଣ ଥିଲା। ନରେନ୍ଦ୍ରପୁରର ଯୋଡ଼ି ଶଙ୍ଖ, ସମ୍ବଲପୁରୀ ନାଚ, ଫ୍ୟୁଜନ୍ ଓ ମଡର୍ଣ୍ଣ ଡ୍ୟାନ୍ସ, ଫ୍ୟାସନ୍ ସୋ’ ଦର୍ଶକଙ୍କ ମନୋରଞ୍ଜନ କରିଥିଲା।