ବଡ଼ଦିନ ପାଇଁ ଉତ୍ସବମୁଖର ବ୍ରହ୍ମପୁର ଓ‌ କନ୍ଧମାଳ ଜିଲ୍ଲାର ଚର୍ଚ୍ଚ | News Room Odisha

ବଡ଼ଦିନ ପାଇଁ ଉତ୍ସବମୁଖର ବ୍ରହ୍ମପୁର ଓ‌ କନ୍ଧମାଳ ଜିଲ୍ଲାର ଚର୍ଚ୍ଚ

ବ୍ରହ୍ମପୁର/ ଫୁଲବାଣୀ: ଆଜି ବଡ଼ଦିନ। ଖ୍ରୀଷ୍ଟ ଧର୍ମାବଲାମ୍ବୀମାନଙ୍କ ପାଇଁ ବର୍ଷସାରାର ଅନ୍ୟତମ ପବିତ୍ର ପର୍ବ। ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସର ମାହୋଲ। ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିପାଇଁ ବ୍ରହ୍ମପୁର ମହାନଗର ହେଉ କି ଗଜପତି ବା କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳର ଚର୍ଚ୍ଚ ଚାରିଆଡ଼େ ବେଶ୍ ସାଜସଜ୍ଜା ହୋଇଛି। ଭଳିକି ଭଳି ରଙ୍ଗବେରଙ୍ଗ ଆଲୋକମାଳା ସହିତ କ୍ରୀସମାସ୍ ଟ୍ରି, ଷ୍ଟାର୍, କ୍ରିସମାସ୍ ଗୁହାଳ ଘର ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଦ୍ୱାରା ଚର୍ଚ୍ଚାକୁ ସଜାଯାଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଚର୍ଚ୍ଚରେ ପାଳିଛନ୍ତି ବଡ଼ ଦିନ। ପ୍ରାର୍ଥନା କରିଛନ୍ତି, ପରସ୍ପରକୁ ଶୁଭେଚ୍ଛା ଜଣାଇ କେକ୍ ଓ ମିଷ୍ଟାନ୍ନ ବାଣ୍ଟିଛନ୍ତି। ବନ୍ଧୁମିଳନରେ ସମସ୍ତେ ସମବେତ ହୋଇ ଖୁସି ମନାଇଥାନ୍ତି।

ବ୍ରହ୍ମପୁର ମହାନଗରର ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ କୁଇନ୍ ଅଫ୍ ଦି ମିଶନ୍ କ୍ୟାଥୋଲିକ୍ ଚର୍ଚ୍ଚ, ଗିରି ରୋଡରେ ଥିବା ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ, ପିଭିଏନ୍ ପେଟ୍ରୋଲ୍ ଟାଙ୍କି ନିକଟସ୍ଥ ସେଣ୍ଟ ଷ୍ଟିଫେନ୍ ଚର୍ଚ୍ଚ, ଗିରି ମାର୍କେଟ୍ ନିକଟ ତେଲୁଗୁ ବାପ୍‌ଟିଷ୍ଟ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଧରାକୁ ଆଗମନକୁ ବଡ଼ ଧୁମଧାମରେ ପାଳନ କରିଛନ୍ତି। ସଜାଯାଇଛି। ଶନିବାର ମଧ୍ୟରାତ୍ରରୁ ପର୍ବ ପାଳନ ଆରମ୍ଭ ହୋଇଯାଇଛି। ରାତି ଉଜାଗର ରହି ଯୀଶୁଙ୍କ ପୂଜାର୍ଚ୍ଚନା କରିଛନ୍ତି ଖ୍ରୀଷ୍ଟିଆନ୍ ବ୍ୟକ୍ତିବିଶେଷ। ବିଶପ୍ ଏବଂ ଯାଜକମାନେ ଦିବ୍ୟ ଯଜ୍ଞ ଓ ପ୍ରବଚନ ଦେଇଥାନ୍ତି। ପୂଜାର୍ଚ୍ଚନା କରାଯିବା ପରେ ଖ୍ରୀଷ୍ଟ ଭାଇ ଭଉଣୀଙ୍କ ବନ୍ଧୁମିଳନ ହୋଇଥାଏ। କେକ୍ ବାଣ୍ଟି ବଡ଼ ଦିନ ପାଳନ କରିଥାନ୍ତି । ସହରର ହିଲପାଟଣାସ୍ଥିତ ଖ୍ରୀଷ୍ଟିଆନ୍ ସାହି, ଗିରି ରୋଡସ୍ଥିତ ପୁରୁଣା ଖ୍ରୀଷ୍ଟିଆନ୍ ସାହି, ଲୋଚାପଡ଼ାସ୍ଥିତ ଖ୍ରୀଷ୍ଟିଆନ୍ ସାହି, ପୁରୁଣା ଅଙ୍କୋଲି ନିଗମ ନଗର ଆଦି ଅଞ୍ଚଳ ଏବେ ଉତ୍ସବମୁଖର। ଘରେ ଘରେ ସାନ୍ତାକ୍ଲଜ୍ ବେଶରେ କଣ୍ଢେଇକୁ ସଜାଇଛନ୍ତି। ନାଚ ଗୀତ ସାଙ୍ଗକୁ ସାନ୍ତାକ୍ଲଜ୍ ବେଶଧାରୀ ଯୁବକ ଲୋକଙ୍କୁ ମିଠା ଓ ଉପହାର ବଣ୍ଟନ କରିଛନ୍ତି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ମହମବତୀ ଜାଳି ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ବଡ଼ଦିନକୁ ଆଖି ଆଗରେ ରଖି ସହରର ଭାପୁର ବଜାର ଏବଂ ବଡ଼ବଜାର ଅଞ୍ଚଳର ବିଭିନ୍ନ ଭେରାଇଟି ଷ୍ଟୋରରେ କ୍ରିସମାସ୍ ଟ୍ରି ସହିତ ବିଭିନ୍ନ ସାମଗ୍ରୀ, ଟୋପି, ଷ୍ଟାର୍ ଭଳି ବିଭିନ୍ନ ସାମଗ୍ରୀ ବିକ୍ରୀ ହେଉଛି।

ଖ୍ରୀଷ୍ଟିୟ ସମ୍ପ୍ରଦାୟର ପ୍ରମୁଖ ପର୍ବ ବଡ଼ଦିନକୁ କନ୍ଧମାଳ ଜିଲ୍ଲାର ଲକ୍ଷ ଲକ୍ଷ ଖ୍ରୀଷ୍ଟ ଧର୍ମାବଲମ୍ବୀ ଆନନ୍ଦ ଉଲ୍ଲାସର ସହିତ ପାଳୁଛନ୍ତି। ଚଳଚଞ୍ଚଳ ରହିଛି କନ୍ଧମାଳ। ଜିଲ୍ଲାର ସମସ୍ତ ଗୀର୍ଜାଘର ସାଜସଜ୍ଜା ସହିତ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି। ବଡ଼ଦିନ ଅବସରରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୭ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯାନବାହନ ଯାଞ୍ଚକୁ କଡାକଡି କରାଯାଉଛି। ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବଡ଼ଦିନକୁ ଶାନ୍ତିଶୃଙ୍ଖଳାରେ ପାଳିବା ପାଇଁ ବାର୍ତ୍ତା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ ପୋଲିସ ମୁତୟନ କରାଯାଇଛି।