ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଶିଳ୍ପଗ୍ରାମ ବରପାଲିରୁ ଆସିବ କୃଷ୍ଣ-ବଳରାମଙ୍କ ମୁକୁଟ | News Room Odisha

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଶିଳ୍ପଗ୍ରାମ ବରପାଲିରୁ ଆସିବ କୃଷ୍ଣ-ବଳରାମଙ୍କ ମୁକୁଟ

ମଥୁରାନଗରୀ (ବରଗଡ଼): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶ୍ରୀକୃଷ୍ଣ ବଳରାମଙ୍କ ପାଇଁ ମୁକୁଟ ତିଆରି କରୁଛନ୍ତି ବରଗଡ଼ ଜିଲ୍ଲା ବାନ୍ଧଶିଳ୍ପ ଗ୍ରାମ ବରପାଲିର ବିଶିଷ୍ଟ ଶିଳ୍ପୀ ଗୁପ୍ତେଶ୍ଵର ମେହେର । ବରପାଲି ବସଷ୍ଟାଣ୍ଡ ନିକଟରେ ରହିଛି ତାଙ୍କର ଏକ ଫଟୋ ବାଇଣ୍ଡିଙ୍ଗ ଦୋକାନ । ସେ ନିଖୁଣ କାରିଗର ଭାବେ ଅଞ୍ଚଳରେ ଜଣାଶୁଣା । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ସେ ଏହି ସ୍ଥାନରେ ଫଟୋ ବାଇଣ୍ଡିଙ୍ଗ କାମ କରି ଆସୁଛନ୍ତି । ତାଙ୍କ କାରିଗରୀ ଉପରେ ଖବରପାଇ ବରଗଡ଼ ଗୋପପୁର ଧନୁଯାତ୍ରା ସମିତି ପକ୍ଷରୁ ତାଙ୍କୁ ଚଳିତ ବର୍ଷ ଶ୍ରୀକୃଷ୍ଣ ଓ ବଳରାମଙ୍କ ମୁକୁଟ ପ୍ରସ୍ତୁତ କରିବା ପାଇଁ ବରାଦ କରାଯାଇଛି । ଉକ୍ତ ମୁକୁଟ ଦ୍ବୟ ପିତ୍ତଳ ଧାତୁରେ ନିର୍ମିତ କରାଯାଇଥିବା ବେଳେ ଏହାକୁ ସେ ଦୀର୍ଘ ୧୫ ରୁ ୧୭ ଦିନ ଧରି ନିର୍ମାଣ କରିଥିବା ଶ୍ରୀ ମେହେର କହିଛନ୍ତି ।

ଏନେଇ ତାଙ୍କୁ ପଚାରିବାରୁ ସେ କହିଥିଲେ ପୂର୍ବରୁ ମଧ୍ୟ ଅନେକ ଦେବା ଦେବୀଙ୍କ ମୁକୁଟ ଓ ସାଜ ସରଞ୍ଜାମ ପ୍ରସ୍ତୁତ କରିଛି । ତେବେ ଚଳିତ ବର୍ଷ ଧନୁଯାତ୍ରାର ୭୫ ବର୍ଷରେ ପଦାର୍ପଣ କରିଛି । ଏହାକୁ ହୀରକ ଜୟନ୍ତୀ ପାଳନ କରୁଥିବା ବେଳେ ଏହି ଅବସରରେ ମତେ ଏଭଳି ଏକ କାର୍ଯ୍ୟ ଦେଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି ବୋଲି କହିଥିଲେ ।