ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଯାପିତ: ପର୍ଯ୍ୟଟନ ଆର୍ଥିକ ବୃଦ୍ଧିରେ ହେବ ସହାୟକ | News Room Odisha

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଯାପିତ: ପର୍ଯ୍ୟଟନ ଆର୍ଥିକ ବୃଦ୍ଧିରେ ହେବ ସହାୟକ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବ ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି। ଅଞ୍ଚଳବାସୀ, ପର୍ଯ୍ୟଟକ, ଆୟୋଜକ ସତେ ଯେମିତି ଆନନ୍ଦର ମାହୋଲ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ମଜଲିସ ମଧ୍ୟରେ ୨୦୨୨କୁ ଆଗୁଆ ବିଦାୟ ଜଣାଇଛନ୍ତି। ଶେଷ ସନ୍ଧ୍ୟାର ଆକର୍ଷଣ ଥିଲେ ବିଖ୍ୟାତ ବଲିଉଡ୍ ଗାୟିକା ଜାଭେଦ୍ ଅଲ୍ଲୀ ଯାହାଙ୍କ ପ୍ରସିଦ୍ଧ ଶ୍ରୀବଲ୍ଲୀ ଗୀତ ଦର୍ଶକ, ପର୍ଯ୍ୟଟକ ସମସ୍ତଙ୍କୁ ମତୁଆଲା କରିଥିଲା।

ଉଦଯାପନୀ ସନ୍ଧ୍ୟାରେ ଅତିଥି ଥିଲେ ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମ ମେୟର୍ ସଂଘମିତ୍ରା ଦଳାଇ, ଓଡ଼ିଶା ଅଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିଣୀ କମିଟି ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ, ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ଭି ଭାସନ୍‌, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ , ବିଏମ୍‌ସି କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଞ୍ଚାସୀନ ଥିଲେ। ଏଭଳି ମହୋତ୍ସବ କେବଳ ଯେ ପର୍ଯ୍ୟଟନର ଦିଗକୁ ନୁହେଁ , ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ବିକାଶ ନିମନ୍ତେ ବେଶ୍ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନର ବିକାଶ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି। କଳାକାରମାନଙ୍କୁ ଉତ୍ସାହିତ କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏଭଳି ମହୋତ୍ସବର ଉଦ୍ଦେଶ୍ୟ ଯାହା ଏଥର ପୁରାପୁରି ସଫଳତା ଆଣି ଦେଇଛି ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି କହିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଖଣିଜ ସମ୍ପଦ ଭରପୁର ରହିଛି। ଏବେ ତାଙ୍କ ସୁପୂତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ସମ୍ପଦର ସୁବିନିଯୋଗ ସହ ରାଜ୍ୟର ଦ୍ରୁତ ବିକାଶ ହୋଇପାରୁଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଥିଲେ ଯେ ପଲ୍ଲୀଶ୍ରୀ ମେଳାରେ ଗତ ପାଞ୍ଚଦିନ ମଧ୍ୟରେ କୋଟିଏ ଟଙ୍କାରୁ ଅଧିକ କାରବାର ହୋଇଥିବାରୁ ଏହା ଏସ୍ଏଚ୍‌ଜିଙ୍କ ବଡ଼ ସଫଳତା।

ଏହି ଅବସରରେ ବେଳାଭୂମି ମହୋତ୍ସବ ସ୍ମରଣିକା ‘ଶାମୁକା’ ଲୋକାର୍ପିତ କରିଥିଲେ ଅତିଥି ବୃନ୍ଦ। ଏଥିସହ ସିଲ୍‌କ ସିଟି ମହୋତ୍ସବର ଲୋଗୋ ଉନ୍ମୋଚନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ମହୋତ୍ସବରେ ହକି ବିଶ୍ବକପ୍‌କୁ ସ୍ଵାଗତ କରାଯାଇଥିଲା।

ସଭା ପରେ ବିଭିନ୍ନ ଲୋକ ନୃତ୍ୟ ଓ ଆଧୁନିକ ନାଚ ଗୀତ ଲୋକଙ୍କୁ ଆମୋଦିତ କରିଥିଲା। ବଲିଉଡ୍ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀଙ୍କ ଆଧୁନିକ ଗୀତ ଯଥା ହେ ଗୁଜାରିସ୍, କେହେନେକୋ ଜସ୍ନ ଏ ବାହାରା ହୈ, ତୁ ଜୋ ମିଲା, ହୋ ଗୟା ମେ କାବିଲ୍ ସହ ଦିଲ୍ ଇବାଦତ୍ କେହେରହାହେ, ଚାନ୍ଦ ଛୁପା ବାଦଲ୍ ମେଁ, ଆଖୋଁ କି ଗୁସ୍ତାଖିୟାଁ ମାଫ୍ ହୋ, ତୁହି ହକିକତ୍ ଖ୍ବାବ୍ ତୁ, ଏକ୍ ଦିନ୍ ତେରି ରାହୋ ମେ, ତୁମ୍ ମିଲେ ଦିଲ୍ ଖିଲେ ଗାଇ ବିଭୋର କରି ରଖିଥିଲେ। ଶେଷରେ ସେ ତାଙ୍କର ସୁପର୍ ହିଟ୍ ଗୀତ ଶ୍ରୀବଲ୍ଲୀ ଗାଇ ଦର୍ଶକଙ୍କୁ ନଚାଇଥିଲେ। ମହୋତ୍ସବ ଶେଷ ସନ୍ଧ୍ୟାର ସାଂସ୍କୃତିକ ଆକର୍ଷଣକୁ ଉପଭୋଗ କରିବାକୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା।