ଚଳିତ ବର୍ଷ ହାଇକୋର୍ଟରେ ୧ ଲକ୍ଷ ୩୦ ହଜାରରୁ ଅଧିକ ମାମଲାର ଫଇସଲା | News Room Odisha

ଚଳିତ ବର୍ଷ ହାଇକୋର୍ଟରେ ୧ ଲକ୍ଷ ୩୦ ହଜାରରୁ ଅଧିକ ମାମଲାର ଫଇସଲା

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ପହିଲାରୁ ଡିସେମ୍ବର ୨୩ ତାରିଖ ଅବଧି ମଧ୍ୟରେ ମୋଟ ୧ , ୦୨ , ୨୪୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୧ , ୩୬ , ୫୯୯ଟି ମାମଲା ଫଇସଲା କରାଯାଇଛି । ଫଳରେ କେସ୍ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି । ବର୍ତ୍ତମାନ ବିଚାର ନହୋଇ ପଡ଼ିରହିଥିବା ମାମଲା ଯଥେଷ୍ଟ ହ୍ରାସ ପାଇଛି । ଚଳିତ ବର୍ଷ ୧୦ ବର୍ଷରୁ ଅଧିକ ପୁରୁଣା ୮୭୬୯ଟି ମାମଲା ଫଇସଲା କରାଯାଇଛି ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟ ସୂତ୍ରରୁ ପ୍ରକାଶ । ୨୦୨୨ ମସିହାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୨୦୨୧ ମସିହା ତୁଳନାରେ ଅଧିକ ବୋଲି ଓଡ଼ିଶା ଜିଲ୍ଲା ନ୍ୟାୟପାଳିକା ପରିସଂଖ୍ୟାନରୁ ଜଣାପଡ଼ିଛି । ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ୫୩.୨୮ ପ୍ରତିଶତ ଅଧିକ ମାମଲା ଫଇସଲା ହୋଇଥିବା ବେଳେ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲାରେ ନ୍ୟାୟପାଳିକାର ଫଇସଲା ପୂର୍ବ ବର୍ଷ ତୁଳନାରେ ଶତକଡ଼ା ୫୧ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ଅଧିକ ସଂଖ୍ୟକ ବିଚାରବିଭାଗୀୟ ଅଧିକାରୀ ରହିଲେ ମାମଲା ଫଇସଲା ପରିମାଣ ଅଧିକ ହୋଇପାରନ୍ତା । ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୬୨ ଥିବାବେଳେ ୭୬୭ ଜଣ କାର୍ଯ୍ୟ କରୁଥିଲେ । ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୭୭ ଥିବାବେଳେ ୭୭୬ ଜଣ କାର୍ଯ୍ୟ କରୁଛନ୍ତି । ୨୦୨୧ରେ ବିଚାରପତି ମୁଣ୍ଡ ପିଛା ଫଇସଲା ସଂଖ୍ୟା ମୁଣ୍ଡପିଛା ୩୧୧ ଥିଲାବେଳେ ୨୦୨୨ରେ ତାହା ୫୭୭ରେ ପହଞ୍ଚିଛି । ବଳାତ୍କାର ଓ ପୋକ୍ସୋ ମାମଲାଗୁଡ଼ିକର ଫାଷ୍ଟଟ୍ରାକ୍ ସମାଧାନ କରାଯାଉଛି । ୨୦୨୨ ଜାନୁଆରୀ ୧ରୁ ୨୬ ଡିସେମ୍ବର ମଧ୍ୟରେ ୧୦୪୨ ବଳାତ୍କାର ମାମଲା ରୁଜୁ କରାଯାଇଥିବାବେଳେ ୧୨୫ଟି ମାମଲାର ସମାଧାନ କରାଯାଇଛି । ସେହିପରି ସେହି ସମୟ ମଧ୍ୟରେ ୩୩୦୯ଟି ମାମଲା ଜିଲ୍ଲା ଅଦାଲତଗୁଡ଼ିକରେ ଫଇସଲା ହୋଇଥିବାବେଳେ ସେଥୁରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୬୬୦ଟି ମାମଲା ଫଇସଲା ହୋଇପାରିଛି । ମୋଟାମୋଟି ଏହି ସମୟ ମଧ୍ୟରେ ପୋସ୍କୋ ଏବଂ ବଳତ୍କାର ସମ୍ବନ୍ଧୀୟ ୪୩୫୧ଟି ମାମଲାର ଫଇସଲା ହୋଇଛି , ସେଥୁରୁ ୭୮୫ ମାମଲା ରୁଜ୍ଜୁ ହେବାର ବର୍ଷକ ମଧ୍ୟରେ ଫଇସଲା କରାଯାଇପାରିଛି ପୋକ୍ସୋ ଆଇନ ଅଧୀନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ଵତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି । ସେହିପରି ଭୁବନେଶ୍ବରରେ ମଧ୍ୟ ଗୋଟିଏ ପରିବାର ଅଦାଲତ ପ୍ରତିଷ୍ଠିତ ହୋଇଛି । ବରିଷ୍ଠ ନାଗରିକଙ୍କୁ ନେଇ ୩ଟି ଲିଭ୍ ରିଜର୍ଭ କୋର୍ଟ ଏବଂ ୨ଟି ମହିଳା କୋର୍ଟ ପ୍ରତିଷ୍ଠା କରାଯାଇଛି । ସିଭିଲ୍ ଜଜ୍ କ୍ୟାଡରରେ ୬ଟି କୋର୍ଟ ପ୍ରତିଷ୍ଠା କରାଯିବା ସହ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ୨୫ଟି ନୂତନ କୋର୍ଟ କାର୍ଯ୍ୟକ୍ଷମ ହୋଇଛି । ଏହା ସମଗ୍ର ରାଜ୍ୟରେ ଅଦାଲତର ସମାନ୍ତରାଳ କେସ୍‌ ବଣ୍ଟନରେ ଏକ ବଡ଼ ପଦକ୍ଷେପ , ଯାହାକି ମାମଲାଗୁଡ଼ିକର ଉଚିତ ବଣ୍ଟନରେ ସାହାଯ୍ୟ କରିବ । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଆଉଟ୍‌ଲେଇଙ୍ଗ୍ ଷ୍ଟେସନ୍‌ଗୁଡ଼ିକ ମଧ୍ୟରେ ଭଦ୍ରକ ସିଭିଲ୍‌ ଜଜ୍ – କମ୍ – ଜେଏମ୍ଏଫ୍ , ( ଚାନ୍ଦବାଲି ) , ଭଦ୍ରକ ସିଭିଲ୍‌ ଜଜ୍ – କମ୍‌ – ଜେଏମ୍ଏଫ୍ , ( ଧାମନଗର ) , କେଉଁଝର ଗ୍ରାମ୍ୟ ନ୍ୟାୟାଳୟ , ( ଘସିପୁରା ) , ବାଲେଶ୍ଵର ଗ୍ରାମ୍ୟ ନ୍ୟାୟାଳୟ , ( ଭୋଗରାଇ ) , ନୟାଗଡ଼ ସିଭିଲ୍ କୋର୍ଟ , ( ଭାପୁର ) ରେ ୧୦ଟି ନୂଆ ଅଦାଲତ ଗୃହର ଉଦ୍‌ଘାଟନ କରାଯାଇଛି ।

ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କୋର୍ଟ ଓ ତାଲୁକା କୋର୍ଟର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଜଜ୍‌ମାନେ ଘରୋଇ ସଂସ୍ଥାରୁ ଆଉଟ୍‌ ସୋସିଂ ମାଧ୍ୟମରେ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି । ୨୦୨୨ ମଇ ୧୪ରେ ୧୭ଟି ଜିଲ୍ଲା ଏବଂ ପରେ ୩୦ଟି ଯାକ ଜିଲ୍ଲାରେ ଇ – ଫାଇଲ୍ ଷ୍ଟେସନ୍‌ ପ୍ରତିଷ୍ଠା କରାଯାଇଛି । କାଗଜବିହୀନ କୋର୍ଟ ୨୦୨୧ ମସିହାରେ ପ୍ରଧାନ ବିଚାରପତି ଡକ୍ଟର ଏସ୍ . ମୁରଲିଧରଙ୍କ ବେଞ୍ଚରୁ ଆରମ୍ଭ ହୋଇ କ୍ରମେ ହାଇକୋର୍ଟର ୭ଟି ବେଞ୍ଚ ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୪ଟି ପେପରଲେସ୍ କୋର୍ଟ କାର୍ଯ୍ୟକ୍ଷମ ହୋଇଥିଲା । ଯାହାକି କେସ୍ ଫାଇଲ୍‌ଗୁଡ଼ିକୁ ସୁରକ୍ଷିତ ରଖୁବା ପାଇଁ ଯେଉଁ ବ୍ୟୟବହୁଳ ଏବଂ କଷ୍ଟଦାୟକ ପ୍ରକ୍ରିୟା ଥିଲା ତାହାକୁ ଦୂର କରି ନ୍ୟାୟପାଳିକା କାର୍ଯ୍ୟକୁ ଆଧୁନିକୀକରଣ କରାଯାଇପାରିଛି । ଇତି ମଧ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ସ୍ପର୍ଶକାତର ସାକ୍ଷୀ ସୁରକ୍ଷା କେନ୍ଦ୍ର ( ଭିଡବ୍ଲ୍ୟୁଡିସି ) ଗଠନ କରାଯାଇଛି । ଏତେ ପରିମାଣରେ ଭିଡବ୍ଲ ଡିସି ସ୍ଥାପନ କରିବାରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ବୋଲି ଜଣାପଡ଼ିଛି । ବିଭିନ୍ନ ଇ – ସେବାରେ ପରିଚିତ ହେବା ପାଇଁ ଜୁଡିସିଆଲ୍ ଅଫିସର , ଆଡ୍‌ଭୋକେଟ୍‌ ଏବଂ ତାଙ୍କର କ୍ଲର୍କମାନଙ୍କୁ ବର୍ଷସାରା ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ୩୫ଟି ତାଲିମ କାର୍ଯ୍ୟକ୍ରମରେ ଏହି ତାଲିମ ପ୍ରଦାନ କରାଯାଇଛି । ୨ ଅପ୍ରେଲ ୨୦୨୨ରେ ଓଡ଼ିଶା ଜୁଡ଼ିସିଆଲ୍ ୱାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ୍‌ ( ଓଜେଡବ୍ଲୁ.ଏଏସ୍ ) ପ୍ରବର୍ତ୍ତି ତ ହୋଇଥିଲା । ଫଳସ୍ୱରୂପ ପ୍ରଶାସନିକ କାର୍ଯ୍ୟରେ ସମୟ ନଷ୍ଟ ହ୍ରାସ ପାଇଛି । ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ( ୧୯୪୮ ) ଦିନରୁ ରେକର୍ଡରୁମ୍ରେ ଥିବା ପୁରୁଣା ରେକର୍ଡର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ବହୁ ଆହ୍ୱାନର ମୁକାବିଲା କରିବାକୁ ପଡୁଥିଲା । ରେକର୍ଡ ଡିଜିଟାଇଜଡ୍ କରାଯାଇ ସିଭିଲ୍ ଏବଂ ଅପରାଧିକ ଏବଂ ବିଚାରାଧୀନ ରେକର୍ଡର ଡିଜିଟାଇଜେସନ୍ କରାଯାଇଛି । ଦେଢ଼ ବର୍ଷ ପାଇଁ ଚାରୋଟି ଜିଲ୍ଲାର କୋର୍ଟ ଡିଜିଟାଇଜେସନ୍‌ରୁ ଉତ୍ସାହଜନକ ଫଳାଫଳ ପାଇବା ପରେ ମାନ୍ୟବର ହାଇକୋର୍ଟ ଜିଲ୍ଲାକୋର୍ଟ ଡିଜିଟାଇଜେସନ୍ କେନ୍ଦ୍ରକୁ ଡିଜିଟାଇଜେସନ୍ ହର୍‌ରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସମଗ୍ର ରାଜ୍ୟରେ ଚାଲିଥିବା କାଗଜହୀନ ଅଦାଲତ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ । ୨୬ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୬ ଲକ୍ଷ ୯୭ ହଜାର ୮୩୮ଟି ନ୍ୟାୟିକ ରେକର୍ଡର ଡିଜିଟାଇଜେସନ୍ ହୋଇଛି । ୨୩ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୭୪୯୦୪ଟି ପଡ଼ିରହିଥିବା ରେକର୍ଡର ଡିଜିଟାଇଜେସନ୍ କରାଯାଇଛି । ପ୍ରଶାସନିକ ଫାଇଲ୍‌ଗୁଡ଼ିକର ଡିଜିଟାଇଜେସନ୍ ଓଡ଼ିଶା ଜୁଡ଼ିସିଆଲ୍ ୱାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ୍ ( ଓଜେଡବ୍ଲଏଏସ୍ ) ର ପରିବର୍ତ୍ତନ ସହିତ ଉଚ୍ଚ ନ୍ୟାୟାଳୟର ୨୦ ହଜାର ୧୬୫ ପ୍ରଶାସନିକ ଫାଇଲ୍‌କୁ ଡିଜିଟାଇଜେସନ୍ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ନ୍ୟାୟିକ ଅଭିଲେଖାଗାର ପ୍ରତିଷ୍ଠା କରାଯାଇଛି । ନ୍ୟାୟପାଳିକାର ଐତିହ୍ୟ ଏବଂ ଇତିହାସକୁ ସଂରକ୍ଷଣ କରିବା ପାଇଁ ହାଇକୋର୍ଟଙ୍କ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ଦ୍ଵାରା ଏହା ପ୍ରତିଷ୍ଠା କରାଯାଇଛି । ଐତିହାସିକ ଗୁରୁତ୍ଵପୂର୍ଣ୍ଣ ଘଟଣାଗୁଡ଼ିକର ଅନୁସନ୍ଧାନ ତଥା ଗବେଷଣାକୁ ସହଜ କରିବା ଏହି କେନ୍ଦ୍ରର ଉଦ୍ଦେଶ୍ୟ । ବାରବାଟୀ ଦୁର୍ଗ ପରିସରରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ପୂର୍ବତନ ସରକାରୀ ବାସଭବନରେ ଥିବା ସଂଗ୍ରହାଳୟର ନୀବକରଣ କରାଯାଇଛି । ଏହାକୁ ଅଧିକ ଶିକ୍ଷଣୀୟ ଏବଂ ନ୍ୟାୟିକ ବ୍ୟବସ୍ଥାର ସଠିକ୍ ପ୍ରତିଫଳନ କରିବା ପାଇଁ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ଭର୍ତୁଆଲ୍ ଭ୍ରମଣ ପାଇଁ ସୁବିଧା ବ୍ୟତୀତ ପ୍ରଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ହାଇକୋର୍ଟ ପରିସରରେ କର୍ମଚାରୀମାନଙ୍କ ନିମନ୍ତେ ସ୍ଥାନାଭାବ ଦୃଷ୍ଟିରୁ କର୍ମଚାରୀମାନଙ୍କୁ ୱାର୍କଷ୍ଟେସନ୍ ଏବଂ ଗୁଣାତ୍ମକ ଆସବାବପତ୍ର ଯୋଗାଇ ଦିଆଯାଇଛି । ଅନୁଶାସନ ଏବଂ ଏକତାର ଭାବନା ଜାଗ୍ରତ କରିବା ପାଇଁ ଗ୍ରୁପ୍ – ଏ , ଗ୍ରୁପ୍ – ବି ଏବଂ ଗ୍ରୁପ୍ – ସି କର୍ମଚାରୀଙ୍କ ପାଇଁ ୟୁନିଫର୍ମ ସହିତ ହାଇକୋର୍ଟ ଲୋଗୋର ବ୍ୟବସ୍ଥା କରାଯାଇଛି । ହାଇକୋର୍ଟର ୭୫ତମ ବର୍ଷ ପାଳନର ଏକ ଅଂଶ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୨୦୨୩ ଜାନୁଆରୀ ୮ରେ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ବର୍ଷ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୫ ବର୍ଷ ସେବା ସମାପ୍ତି ପାଇଁ ୧୯୮ ଜଣ କର୍ମଚାରୀଙ୍କୁ ଏବଂ ଅବସର ଗ୍ରହଣ କରିବା ପରେ ୩୦ ଜଣଙ୍କୁ ଓଡ଼ିଶା ଜୁଡ଼ିସିଆଲ୍ ଏକାଡେମୀଠାରେ ମାନ୍ୟବର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ଦ୍ଵାରା ସମ୍ମାନିତ କରାଯାଇଛି ।

ଜନସାଧାରଣଙ୍କ ନିକଟରେ ପହଞ୍ଚିବା ନିମନ୍ତେ ହାଇକୋର୍ଟ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପିଲାମାନଙ୍କୁ ହାଇକୋର୍ଟ ବିଷୟରେ ସମ୍ୟକ ଧାରଣା ଦେବା ଉଦ୍ଦେଶ୍ୟରେ ଛୁଟିଦିନରେ ହାଇକୋର୍ଟ ପରିସର ଖୋଲାଯାଇଥିଲା । ୨୦୨୨ ମସିହାରେ ୧୧ଟି ଅନୁଷ୍ଠାନର ସ୍କୁଲ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିଥିଲେ । ରାଜ୍ୟ ନ୍ୟାୟପାଳିକାର ନାଗରିକ – କେନ୍ଦ୍ରିକ ସେବା ବିଷୟରେ ସଚେତନତା ନେଇ ବାଲିଯାତ୍ରା ଅବସରରେ ଏକ ସ୍ଵତନ୍ତ୍ର ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ଦୀର୍ଘ ୬ ବର୍ଷ ପରେ ୨୦୨୧ ମସିହାରେ ରାଜ୍ୟ ନ୍ୟାୟପାଳିକାର କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ ଆହ୍ଵାନଗୁଡ଼ିକ ବିଷୟରେ ବିସ୍ତୃତ ସୂଚନା ସହିତ ବାର୍ଷିକ ରିପୋର୍ଟ ପ୍ରକାଶନ କରାଯାଇଥିଲା । ଏଥିରେ ହାଇକୋର୍ଟର ସଂକ୍ଷିପ୍ତ ଐତିହାସିକ ବିବରଣୀ , ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ ସୂଚନା , ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର , ମାମଲା ପରିସଂଖ୍ୟାନ ଆଦି ବିଷୟରେ ବିଶଦ ବିବରଣୀ ସ୍ଥାନ ପାଇଛି । ହାଇକୋର୍ଟର ୱେବ୍‌ସାଇଟ୍‌ରେ ରାଜ୍ୟ ନ୍ୟାୟପାଳିକାର ବିସ୍ତୃତ କେସ୍ ପରିସଂଖ୍ୟାନ ପ୍ରକାଶ ପାଉଛି । ହାଇକୋର୍ଟର ରେକର୍ଡ ରୁମ୍ ଡିଜିଟାଇଜେସନ୍ ସେଣ୍ଟର ଓ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ ସେଣ୍ଟରରେ ଡିଜିଟାଇଜେସନ୍ କାର୍ଯ୍ୟକଳାପ ସମ୍ବନ୍ଧୀୟ ପରିସଂଖ୍ୟାନ ଏହି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି । ୨୦୨୨ ନଭେମ୍ବର ୧୨ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କୋର୍ଟ ଦ୍ଵାରା ‘ ପ୍ରକୃତି ଓ ବନ୍ୟଜନ୍ତୁ ’ ବିଷୟବସ୍ତୁ ଉପରେ ରାଜ୍ୟର ସପ୍ତମରୁ ଦଶମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ୧୪୭୭ ପିଲା ଅଂଶଗ୍ରହଣ କରିଥିଲେ । ୨୦୨୨ ଆରମ୍ଭରେ ହାଇକୋର୍ଟରେ ୧୮ ଜଣ ବିଚାରପତି ଥିବାବେଳେ ୨ ଜଣ ବିଚାରପତି ଅବସର ଗ୍ରହଣ କରିଥିଲେ । ଜଣେ ବିଚାରପତି ଓଡ଼ିଶାର ହାଇକୋର୍ଟରୁ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲେ ଏବଂ ଜଣେ ବିଚାରପତି ଅନ୍ୟ ହାଇକୋର୍ଟରୁ ଓଡ଼ିଶାକୁ ସ୍ଥାନାନ୍ତରିତ ହୋଇଥିଲେ । ଚଳିତ ବର୍ଷ ୬ ଜଣ ନୂତନ ବିଚାରପତି ଶପଥ ଗ୍ରହଣ କରିଥିଲେ । ବର୍ତ୍ତମାନ ହାଇକୋର୍ଟରେ ୨୨ ଜଣ ବିଚାରପତି ଅଛନ୍ତି । ୨୦୨୨ ଜୁଲାଇ ୨୬ ତାରିଖରେ ହାଇକୋର୍ଟ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ୨୨ ଜଣ ଯୁବ ଟ୍ରାଏଲ୍ କୋର୍ଟ ଓକିଲଙ୍କୁ ‘ ଆଇନଜୀବୀ , ୨୦୨୧ ’ ପୁରସ୍କାର ପ୍ରଦାନ କରାଯାଇଥିଲା । ହାଇକୋର୍ଟର ୭୫ତମ ବର୍ଷ ପାଳନ କରିବା ପାଇଁ ଏକ ସ୍ଵତନ୍ତ୍ର ଡାକ ଲଫାପା ଏବଂ ରଦ୍ଦ ମୋହର ସହିତ ୬ଟି ଓଡ଼ିଶା ହାଇକୋର୍ଟର ଚିତ୍ରଥିବା ପୋଷ୍ଟକାର୍ଡକୁ ଭାରତର ପ୍ରଧାନ ବିଚାରପତିଙ୍କ ଦ୍ଵାରା ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଉନ୍ମୋଚିତ କରାଯାଇଛି ।