ଆଖିବୁଜିଲେ ଫୁଟବଲ କିମ୍ବଦନ୍ତୀ ପେଲେ | News Room Odisha

ଆଖିବୁଜିଲେ ଫୁଟବଲ କିମ୍ବଦନ୍ତୀ ପେଲେ

ବ୍ରାସିଲିଆ- ବିଶ୍ୱର ସର୍ବକାଳୀନ ମହାନ ଫୁଟବଲ ଖେଳାଳି ଭାବେ ପରିଚିତ ପେଲେ ଆଉ ନାହାନ୍ତି। ୮୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଫୁଟବଲ କିମ୍ବଦନ୍ତୀ। କିଡନୀ ଓ ପ୍ରୋଷ୍ଟେଟ ସମସ୍ୟା ସହ ସଂଘର୍ଷ କରୁଥିବା ପେଲେ ନିକଟରେ ସାଓପାଓଲୋର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା ।

ବିଶ୍ୱର କୋଣେ ଅନୁକୋଣେ ଫୁଟବଲ ଖେଳାଳିଙ୍କ ଆଦର୍ଶ ଓ ପ୍ରେରଣା ପାଲଟିଥିବା ପେଲେ ଏକମାତ୍ର ଖେଳାଳି ଭାବେ ତିନି ତିନି ଥର ବିଶ୍ୱକପ ଜିତିଛନ୍ତି। ୧୯୫୮, ୧୯୬୨ ଓ ୧୯୭୦ରେ ବ୍ରାଜିଲକୁ ବିଶ୍ୱକପ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୦୦ ମସିହାରେ ତାଙ୍କୁ ଫିଫା ପକ୍ଷରୁ ପ୍ଲେୟାର ଅଫ ଦି ସେଞ୍ଚୁରୀ ଘୋଷଣା କରାଯାଇଥିଲା।

ମାତ୍ର ୧୭ ବର୍ଷ ବୟସରେ ପ୍ରଥମ ଥର ପାଇଁ ବ୍ରାଜିଲ ପକ୍ଷରୁ ୧୯୫୮ ବିଶ୍ୱକପରେ ପଦାର୍ପଣ କରିଥିଲେ ପେଲେ । ସୁଇଡେନରେ ହୋଇଥିବା ବିଶ୍ୱକପରେ ପେଲେଙ୍କ ଯାଦୁକରୀ ଖେଳରେ ମୁଗ୍ଧ ହୋଇଥିଲା ବିଶ୍ୱ । ନିଜର ପ୍ରଥମ ବିଶ୍ୱକପରେ ହିଁ ସେ ଥିଲେ ଦଳର ଅନ୍ୟତମ ଷ୍ଟାର ଖେଳାଳି। ନକଆଉଟ୍ ପର୍ଯ୍ୟାୟରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ପେଲେ । କ୍ୱାର୍ଟର ଫାଇନାଲରେ ୱଲସ ବିପକ୍ଷରେ ଏକମାତ୍ର ଗୋଲ ସ୍କୋର କରିଥିଲେ ପେଲେ । ସେମିଫାଇନାଲରେ ଫ୍ରାନ୍ସ ବିପକ୍ଷରେ ହ୍ୟାଟ୍ରିକ ଓ ଫାଇନାଲରେ ଆୟୋଜକ ଦେଶ ବିପକ୍ଷରେ ବ୍ରାଜିଲର ୫ଟି ଗୋଲ ମଧ୍ୟରୁ ୨ଟି ସ୍କୋର କରିଥିଲେ ପେଲେ । ୧୭ ବର୍ଷ ବୟସରେ ନିଜର ପ୍ରଥମ ବିଶ୍ବ କପରେ ହିଁ ପେଲେ ଗ୍ଲୋବାଲ ଷ୍ଟାର ହୋଇଯାଇଥିଲେ । ୧୯୫୮ ବିଶ୍ୱକପର ଦୁଇବର୍ଷ ପୂର୍ବରୁ ପେଲେ ମାତ୍ର ୧୫ ବର୍ଷ ବୟସରେ ସାଣ୍ଟୋସ କ୍ଲବ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ।

୧୯୬୨ ବିଶ୍ୱକପରେ ପେଲେ ମେକ୍ସିକୋ ବିପକ୍ଷ ବ୍ରାଜିଲର ପ୍ରଥମ ମ୍ୟାଚରେ ଗୋଟିଏ ଚମତ୍କାର ବ୍ୟକ୍ତିଗତ ଗୋଲ ଦେଇଥିଲେ। ବ୍ରାଜିଲ ସେହି ମ୍ୟାଚରେ ୨-୦ ଗୋଲରେ ବିଜୟୀ ହୋଇଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚରେ ଆହତ ହେବାରୁ ସେହି ବିଶ୍ୱକପରେ ସେ ଆଉ କୈ।ଣସି ମ୍ୟାଚ ଖେଳି ନ ଥିଲେ । ବ୍ରାଜିଲ ଅବଶ୍ୟ ସଫଳତାର ସହ ବିଶ୍ୱକପ ଟାଇଟଲ ବଜାୟ ରଖିଥିଲା । ୧୯୬୬ ବିଶ୍ୱକପରେ ମଧ୍ୟ ପେଲେ ଆହତ ହୋଇଥିଲେ । ବ୍ରାଜିଲ ବି କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା । କିନ୍ତୁ ୧୯୭୦ ବିଶ୍ୱକପରେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ ପେଲେ ।ଏ ଆକ୍ରମଣାତ୍ମକ , କଳାତ୍ମକ ଫୁଟବଲ ଖେଳୁଥିବା ବ୍ରାଜିଲ ଟିମର ପେଲେ ଥିଲେ କେନ୍ଦ୍ରବିନ୍ଦୁ। ଫାଇନାଲରେ ଇଟାଲୀକୁ ୪-୧ ଗୋଲରେ ହରାଇ ବ୍ରାଜିଲ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା । ଫାଇନାଲରେ ବ୍ରାଜିଲର ପ୍ରଥମ ଗୋଲ ସ୍କୋର କରିଥିଲେ ପେଲେ ।

ବ୍ରାଜିଲ ପାଇଁ ସେ ୯୨ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୭୭ଟି ଗୋଲ ସ୍କୋର କରିଛନ୍ତି। ୨୧ ବର୍ଷର ଫୁଟବଲ କ୍ୟାରିୟର ମଧ୍ୟରେ ପେଲେ ଫିଫା ତଥ୍ୟ ଅନୁସାରେ ମୋଟ ୧ ୩୬୩ ମ୍ୟାଚରୁ ୧ ହଜାର ୨୮୧ଟି ଗୋଲ ସ୍କୋର କରିଛନ୍ତି, ଯାହା କି ଏକ ବିଶ୍ୱ ରେକର୍ଡ। ସାଣ୍ଟୋସ କ୍ଲବ ପାଇଁ ପେଲେ ୬୪୩ ଗୋଲ ସ୍କୋର କରିଛନ୍ତି । କିନ୍ତୁ କ୍ଲବ ପକ୍ଷରୁ ଦାବି ହୁଏ ଯେ ପେଲେ କ୍ଲବ ପାଇଁ ୧ ହଜାରରୁ ଅଧିକ ଗୋଲ ସ୍କୋର କରିଛନ୍ତି ( ପ୍ରଦର୍ଶନୀ ମ୍ୟାଚ୍ ସବୁ ମିଶାଇ ) । ପେଲେ ଆମେରିକାର ନିଉୟର୍କ କସମସ କ୍ଲବ ପାଇଁ ବି ଫୁଟବଲ ଖେଳିଥିଲେ।

ଫୁଟବଲ ସହ ପେଲେଙ୍କ ନାମ ସର୍ବଦା ଯୋଡ଼ି ହୋଇରହିଛି। ସେ ଥିଲେ ଫୁଟବଲର ମ୍ୟାଜିସିଆନ । ଏମିତି ଏକ ଖେଳାଳି, ଯାହାଙ୍କ ସବୁଦେଶରେ ଥିଲା ଅଦ୍ଭୁତପୂର୍ବ ଲୋକପ୍ରିୟତା । ଫୁଟବଲ ଅଜ୍ଞ ଲୋକ ବି ପେଲେଙ୍କ ନାମ ଶୁଣିଥିବେ। ସେଥିପାଇଁ ତ ପେଲେ ଥିଲେ ଫୁଟବଲର ଗ୍ଲୋବାଲ ଆଇକନ । ପେଲେଙ୍କ ଭଳି ଯୋଗଜନ୍ମା ଖେଳାଳି ମାତ୍ର ଥରେ ହିଁ ଜନ୍ମ ନିଅନ୍ତି।