ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଆଜି ରାତି ଗୋଟାଏରୁ ଦ୍ୱାରଫିଟା ନୀତି | News Room Odisha

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଆଜି ରାତି ଗୋଟାଏରୁ ଦ୍ୱାରଫିଟା ନୀତି

ପୁରୀ – ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି ରାତି ଗୋଟାଏରୁ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କର ଆଜି ସଅଳ ପହୁଡ଼ କରାଯିବ।

ଆଜି ରାତି ଗୋଟାଏରୁ ଦ୍ବାର ଫିଟା ସହ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଚାଲିବ। ତେଣୁ ଶନିବାର ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ନେବେ ଭକ୍ତ। ଏଥିପାଇଁ ବଡ଼ଦାଣ୍ଡ ମଝିରେ ମାର୍କେଟ ଛକଠାରୁ ୨୦ଫୁଟର ଅସ୍ଥାୟୀ ବ୍ୟାରିକେଡ୍‌ କରାଯାଇଛି। ଖରାରୁ ରକ୍ଷା ପାଇଁ ବ୍ୟାରିକେଡ ଉପରେ ସାମିଆନା ବନ୍ଧାଯାଇଛି। ଏଥିସହିତ, ୩୧ ତାରିଖ ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ଭାରିଯାନ ପ୍ରବେଶ ନିଷିଦ୍ଧ କରାଯାଇଛି। ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ୱାନ-ୱେ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ତେଣୁ, ଯେଉଁମାନେ ମାର୍କେଟ ଛକରୁ ବାହାରି ସିଂହଦ୍ବାର ଅଭିମୁଖେ ଯିବେ, ସେମାନେ ମନ୍ଦିର ପଛ ପାର୍ଶ୍ବରେ ବୁଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ବାହାରି ମାର୍କେଟ ଛକ ଆଡ଼କୁ ଆସିବେ।