୨୦୨୨ରେ ଓଡ଼ିଶା ଭିଜିଲାନ୍ସ: ମୋଟ ୨୮୫ ମାମଲା, ୬୦ ଜଣ କ୍ଲାସ-୧ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ, ୫ ବର୍ଷରେ ସର୍ବାଧିକ | News Room Odisha

୨୦୨୨ରେ ଓଡ଼ିଶା ଭିଜିଲାନ୍ସ: ମୋଟ ୨୮୫ ମାମଲା, ୬୦ ଜଣ କ୍ଲାସ-୧ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ, ୫ ବର୍ଷରେ ସର୍ବାଧିକ

କଟକ – ଓଡ଼ିଶା ଭିଜିଲାନ୍ସ-୨୦୨୨ର କାର୍ଯ୍ୟ ସମୀକ୍ଷା ରିପୋର୍ଟ ଜାରି ହୋଇଛି। ୨୦୨୨ରେ ମୋଟ ୨୮୫ ମାମଲା ପଞ୍ଜିକୃତ ହୋଇଛି। ଏହି ବର୍ଷ ୨୦୦ ଜଣ ସରକାରୀ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨୦୨୨ରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମୋଟ ୮୪ଟି ମାମଲା ରୁଜୁ ହୋଇଛି। ଜବତ ହୋଇଛି ୧୭୪ କୋଟିରୁ ଅଧିକ ଟଙ୍କାର ସଂପତ୍ତି ।

ବିଦାୟୀ ବର୍ଷରେ ଓଡ଼ିଶା ଭିଜିଲାନ୍ସରେ ୧୧୮ଟି ଟ୍ରାପ୍ କେସ ପଞ୍ଜିକୃତ ହୋଇଛି। ଲାଞ୍ଚ ନେବା ବେଳେ ୧୨୬ ଜଣ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ । ସେମାନଙ୍କଠାରୁ ୩୬.୯୪ ଲକ୍ଷ ଟଙ୍କା ଜବତ ହୋଇଛି। ଓଡ଼ିଶା ଭିଜିଲାନ୍ସର ଇତିହାସରେ ଟ୍ରାପ୍ କେସରେ ୪ ଥର ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି। ଏହା ବାବଦରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି।
୨୦୨୨ରେ ଓଡ଼ିଶା ଭିଜିଲାନ୍ସ ୬୦ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି, ଯାହା ବିଗତ ୫ ବର୍ଷ ମଧ୍ୟରେ ସର୍ବାଧିକ । ୨୦୨୧ରେ ଏହି ସଂଖ୍ୟା ଥିଲା ୪୬ । ୨୦୨୦ରେ ୫୩, ୨୦୧୯ରେ ୪୯ ଏବଂ ୨୦୧୮ରେ ୫୨ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ।