କଂପିଲା ବୀର ମାଟି କୁଦୋପାଲି, ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି | News Room Odisha

କଂପିଲା ବୀର ମାଟି କୁଦୋପାଲି, ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ବିଭିନ୍ନ ସଂଗଠନ ପକ୍ଷରୁ ଆଜି କୁଦୋପାଲିରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ଆଜି ବିଶାଳ ମଶାଳ ଶୋଭାଯାତ୍ରା ସମଲେଶ୍ବରୀଙ୍କ ମନ୍ଦିରରୁ ବାହାରି କୁଦୋପାଲିରେ ପହଞ୍ଚିଥିଲା। ସେଠାରେ ଛତିଶଗଡର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବ୍ରିଜମୋହନ ଅଗ୍ରୱାଲାଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ଯ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଲୋକକବି ପଦ୍ମଶ୍ରୀ ହଲଧର ନାଗ, ଗିରିଶ ପଟେଲ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେହିପରି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମଧ୍ଯ ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସେଠାରେ ଏକ ସ୍ବାଧୀନତା ସ୍ମାରକୀ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ପଶ୍ଚିମାଞ୍ଚଲ ଏକତା ମଂଚର ଆବାହକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଲେ ପ୍ରଫୁଲ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ତ୍ରୀଲୋଚନ ମହାନନ୍ଦ,ତରଣୀ ସେଠ,ସୁଦାମ ସେଠ,ରାମ ସାଗର ସାହୁ, କାନ୍ତି ମେହେର, ପଂକଜିନୀ ମେହେର, ସଂଜୀବ ମିଶ୍ର,ବିଜୟ ସେଠ, ଆଦିତ୍ୟ ବାରିକ, ସଚିଦାନନ୍ଦ ବାରିକ, ଅରୁଣ ସେଠ, ଉପେନ୍ଦ୍ର ସେଠ, ଅଭିଷେକ ମହାରଣା ରାଧିକା ସେଠ,ବୀଣାପାଣି, ଶାନ୍ତିଲତା ତାଣ୍ଡି , ପ୍ରେମଶିଳା ବାରିକ, ପ୍ରମୁଖ ସାମିଲ ହୋଇଥିଲେ।
ସୂଚନାଯୋଗ୍ଯ ଯେ,୧୮୫୭ କ୍ରାନ୍ତିର ମୁକସାକ୍ଷୀ ସମ୍ବଲପୁର କୁଦୋପାଲି ଘାଟିରେ ଗୋଟିଏ ଦିନରେ ୫୩ ଜଣ ଇଂରେଜ ଗୁଲିରେ ଶହିଦ ହେବା ସହ ୫ ଜଣ ଫାଶିଖୁଣ୍ଟରେ ଝୁଲିବା ଇତିହାସରେ ବିରଲ ଘଟଣା। ବୀର ସୁରେନ୍ଦ୍ର ସାଏଂକ ଗରିଲା ଯୁଦ୍ଧର ଏକ ପ୍ରମୁଖ ଘାଟୀ ଭାବରେ ସମ୍ବଲପୁର ରୁ ମାତ୍ର ଆଠ କିମି ଦୁରରେ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ଅଧିନରେ ରହିଥିବା କୁଦୋପାଲି ଘାଟିରେ ଡିସେମ୍ବର ୩୦ ତାରିଖ ୧୮୫୭ ମସିହାରେ ଇଂରେଜମାନେ ଅତର୍କିତ ଆକ୍ରମଣ କରିଥିଲେ। କୁଦୋପାଲି ଘାଟି ଦାଯିତ୍ବ ରେ ରହିଥିବା ବୀର ସୁରେନ୍ଦ୍ର ସାଏଂକ ପଂଚମ ଭାଇ ଛବିଲ ସାଏଂକ ସହ ୫୩ ଜଣ ସେହି ଆକ୍ରମଣ ରେ ପ୍ରାଣ ହରାଇ ଥିଲେ। ଧରାପଡ଼ି ଛବିଲ ସାଏଂକ ସହଯୋଗୀ ଚାରିଜଣଂକ ସହ ବିଦ୍ରୋହୀମାନଙ୍କୁ ସହଯୋଗ କରିଥିବା ଜଣେ ଇଂରେଜ ସୈନ୍ଯ କୁ ମଧ୍ଯ ଫାଶି ହୋଇଥିଲା।କୁଦୋପାଲି ଗାଁର ବାଲକି ଗଣ୍ଡା, ବାଲ ମୁକୁନ୍ଦ କନ୍ଧ,ଚୁନ୍ଦି କୁଡା, ବୁଧୁ ଗଣ୍ଡା, ହାଡୁଗଣ୍ଡା ପ୍ରମୁଖ ସଂଗ୍ରାମୀ ସେହିଦିନ ଇଂରେଜ ଗୁଲିରେ ପ୍ରାଣ ହରାଇଥିଲେ। ରକ୍ତ ରଂଜିତ ସେହି କୁଦୋପାଲି ଘାଟିକୁ ବିଭିନ୍ନ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଆସିଛନ୍ତି ।