ଧନୁଯାତ୍ରା ଏକ ସାଂସ୍କୃତିକ ଆନ୍ଦୋଳନ ଶୀର୍ଷକ ଉପରେ ଆଲୋଚନାଚକ୍ର | News Room Odisha

ଧନୁଯାତ୍ରା ଏକ ସାଂସ୍କୃତିକ ଆନ୍ଦୋଳନ ଶୀର୍ଷକ ଉପରେ ଆଲୋଚନାଚକ୍ର

ମଥୁରାନଗରୀ (ବରଗଡ଼) : ବରଗଡ଼ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ହୀରକ ଜୟନ୍ତୀ ସ୍ମୃତିକୁ ସାଇତି ରଖିବା ପାଇଁ ବରଗଡ଼ ଧନୁଯାତ୍ରା ଏକ ସାଂସ୍କୃତିକ ଆନ୍ଦୋଳନ ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । କୋଶଳ ଟାଇମ ଓ ରାଣା ପ୍ରତାପ ସ୍କୁଲପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥ ତଥା ମୁଖ୍ୟ ଆଲୋଚକ ଖୋର୍ଧା ଜିଲ୍ଲା ଗୋବିନ୍ଦପୁର ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ . ଶୁଭ୍ରାଂଶୁ ପଟ୍ଟନାୟକ ଯୋଗଦେଇ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମଗ୍ର ଭାରତ ବର୍ଷରେ ସ୍ଵତନ୍ତ୍ର ସାଂସ୍କୃତିକ ପରିଚୟ ସୃଷ୍ଟି କରି ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ପ୍ରକାଶ କରି ଏହି ସର୍ବବୃହତ ରଙ୍ଗମଂଚର ସାଂସ୍କୃତିକ ଐତିହ୍ୟ ନିଆରା ବୋଲି ମତବ୍ୟକ୍ତ କରିଥିଲେ । କୋଶଳ ଟାଇମ ସମ୍ପାଦକ ଆଲୋଚନାର ଉଦ୍ଦେଶ୍ୟ ଜ୍ଞାପନ କରି ବରଗଡ଼ ଧନୁଯାତ୍ରାର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ଗୋପବନ୍ଧୁ ପୁରୋହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଭାବନା ସାହୁ , ସୁନିତା ମିଶ୍ର , ବବିତା ନାଏକ ଓ ତପସ୍ବିନୀ ତ୍ରିପାଠୀ ଆଲୋଚନାରେ ଅଂଶଗ୍ରହଣ କରି ଧନୁଯାତ୍ରା ସପକ୍ଷରେ ମତ ଉପସ୍ଥାପନ କରିଥିଲେ । ଶିକ୍ଷକ ସୁଧାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।