ବରଗଡ଼ ଜିଲ୍ଲାରେ ପହଂଚିଲା ହକି ବିଶ୍ଵକପ | News Room Odisha

ବରଗଡ଼ ଜିଲ୍ଲାରେ ପହଂଚିଲା ହକି ବିଶ୍ଵକପ

ବରଗଡ଼: ହକି ବିଶ୍ଵ କପ ଆଜି ବରଗଡ଼ ଜିଲ୍ଲା ବରପାଲିରେ ପହଂଚିଛି । ଏହି ଅବସରରେ ବରପାଲି ସୁବର୍ଣ୍ଣପୁର ଜିଲ୍ଲା ସୀମାନ୍ତ ଗ୍ରାମ ସିକିର୍ଡ଼ି ଛକ ଠାରେ ଥିବା ୟୁଜିୟୁପି ସ୍କୁଲରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରଗଡ଼ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣି ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଅତିଥି ଭାବରେ ଯୋଗଦେଇ ହକି ବିଶ୍ଵ କପକୁ ସ୍ୱାଗତ ଜଣାଇ ସ୍କୁଲ ପରିସରକୁ ପାଛୋଟି ଆଣିଥିଲେ । ସେଠାରେ ଅନୁଷ୍ଠିତ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବିଶ୍ଵ କପ ପ୍ରଦର୍ଶିତ କରାଯିବା ସହ ଏ ସମ୍ପର୍କରେ ମତବ୍ୟକ୍ତ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାଣ୍ଡେ, ତହସିଲଦାର ସୀମା ସବିତା କୁଲୁ, ଏନଏସି ଇଓ ଭୁବନ ଶତପଥୀ, ବ୍ଳକ ଅଧ୍ୟକ୍ଷ ରୀନା ଥଇତ, ଏନଏସି ଅଧ୍ୟକ୍ଷ ଦିନେଶ ଗହୀରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ । ଏହା ପରେ ବରପାଲି କଲେଜ ଛକରେ ବିଭିନ୍ନ ସ୍କୁଲ, କଲେଜ ଏନଏସି କର୍ମଚାରୀମାନେ ସ୍ବାଗତ କରାଯିବା ପରେ କପଟି ନିଜ ଗନ୍ତବ୍ୟ ଅଭିମୁଖେ ବାହାରିଥିଲା ।