ଦ୍ୱିତୀୟ ଟି-୨୦: ଅକ୍ଷର-ସୂର୍ଯ୍ୟଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ହାରିଲା ଭାରତ  | News Room Odisha

ଦ୍ୱିତୀୟ ଟି-୨୦: ଅକ୍ଷର-ସୂର୍ଯ୍ୟଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ହାରିଲା ଭାରତ 

ପୁଣେ: ଅଧିନାୟକ ଦାସୁନ ଶନକାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ହାଇ ସ୍କୋରିଂ ଦ୍ୱିତୀୟ ଟି୨୦ରେ ଭାରତକୁ ୧୬ ରନରେ ହରାଇ ଦେଇଛି । ଏହି ବିଜୟ ସହ ଶ୍ରୀଲଙ୍କା ତିନି ମ୍ୟାଚ୍ ସିରିଜକୁ ୧-୧ ସ୍ଥିତିକୁ ଆଣିଛି ।

ଶନକା ୨୨ ବଲରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା । ଏହାର ଜବାବରେ ଭାରତଏକଦା ୫୭ ରନରେ ୫ ୱିକେଟ୍ ହରାଇ ସଂଘର୍ଷ କରିଥିଲା । ହେଲେ ଅକ୍ଷର ପଟେଲ୍ ଓ ସୂର୍ଯ୍ୟକୁମାର ଯାଦବ ଲଢୁଆ ଅର୍ଦ୍ଧଶତକ ସହ ଭାରତ ପାଇଁ ଆଶା ସଞ୍ଚାର କରିଥିଲେ । ଉଭୟ ଷଷ୍ଠ ୱିକେଟ୍ ପାଇଁ ମାତ୍ର ୪୦ ବଳରେ ୯୦ ରନ୍ ଯୋଡିଥିଲେ । କିନ୍ତୁ ଶ୍ରୀଲଙ୍କା ଶେଷ ଆଡକୁ ଭାରତୀୟ ରନ୍ ଗତି ଉପରେ ଅଙ୍କୁଶ ଲଗାଇ ବିଜୟ ନିଶ୍ଚିତ କରିଥିଲା । ଶେଷ ଓଭରରେ ଭାରତକୁ ୨୧ ରନ୍ ଆବଶ୍ୟକ ହେଉଥିବା ବେଳେ ଶ୍ରୀଲଙ୍କ କ୍ୟାପଟେନ୍ ଶନକା, ଅକ୍ଷର ଓ ମାଭିଙ୍କ ୱିକେଟ୍ ନେବା ସହ ମାତ୍ର ୪ ରନ୍ ଦେଇ ଦଳର ବିଜୟ ସୁନିଶ୍ଚିତ କରିଥିଲେ । ୨୦୭ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତ ୮ ଓ୍ବିକେଟ୍ ହରାଇ ୧୯୦ ରନ୍ କରିଥିଲା ।

 

ଭାରତ ପକ୍ଷରୁ ଅକ୍ଷର ୩୧ଟି ବଲରେ ୩ଟି ଚୌକା ଓ ୬ଟି ଛକା ସହ ସର୍ବାଧିକ ୬୫ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାରା ୩୬ଟି ବଲରେ ୩ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୫୧ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଶନକା, ମଧୁଶଙ୍କା ଓ ରଜିତା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

 

ପୂର୍ବରୁ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଓପନର କୁଶଲ ମେଣ୍ତିସ ବିସ୍ଫୋରଣ ବ୍ୟାଟିଂ କରିଥିଲେ। ତାଙ୍କୁ ପଥୁନ ନଶାଙ୍କ ଭରପୂର ସହଯୋଗ କରିଥିଲେ। ପ୍ରଥମ ୱିକେଟ ପାଇଁ ଉଭୟ ୮ ଓଭରରେ ୮୦ ରନ ସଂଗ୍ରହ କରିଥିଲେ। ମେଣ୍ତିସ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏତିକି ବେଳେ ୟୁଜି ଚହଲ ୩୧ ବଲରେ ୫୨ ରନ କରିଥିବା ମେଣ୍ଡିସଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

 

ଏହାର ପରବର୍ତ୍ତୀ ଓଭରରେ ଉମ୍ରାନ ମଲିକ ୨ ରନ କରିଥିବା ଭାନୁକା ରାଜପକ୍ଷଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ୧୧.୩ ଓଭରେ ପଥୁନ(୩୩) ଅକ୍ଷର ପଟେଲଙ୍କ ଶିକାର ବନିଥିଲେ। ଧନଞ୍ଜୟ ଡି’ସିଲଭା ମଧ୍ୟ କେବଳ ୩ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ବି ଅକ୍ଷର ନେଇଥିଲେ।

 

୧୬ତମ ଓଭରରେ ଉମ୍ରାନ କ୍ରମାଗତ ୨ଟି ବଲରେ ଚରିଥା ଅସଲଙ୍କା(୧୯ ବଲରେ ୩୭) ଓ ୱାନିନ୍ଦୁ ହସରଙ୍ଗା(୦)ଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଧିନାୟକ ଶନକା ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

 

ସେ କେବଳ କାଉଣ୍ଟର ଆଟାକ କରି ନଥିଲେ ବରଂ ଭାରତର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ମାତ୍ର ୨୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉମ୍ରାନ, ଅର୍ଶଦୀପ ଓ ଶିବମ ମାଭି କେହି ବି ତାଙ୍କୁ ଅଡ଼ୁଆରେ ପକାଇ ପାରି ନଥିଲେ। ସେ ୧୮ତମ ଓଭରେ ଉମ୍ରାନଙ୍କ ଠାରୁ ୨୧, ୧୯ତମ ଓଭରରେ ଅର୍ଶଦୀପଙ୍କ ଠାରୁ ୧୮ ରନ ଓ ଶେଷ ଓଭରରେ ମାଭିଙ୍କ ଠାରୁ ୨୦ ରନ ଆଦାୟ କରିଥିଲେ। ଶେଷ ଓଭରରେ ସେ ମାଭିଙ୍କୁ ୩ଟି ଛକା ମଧ୍ୟ ମାରିଥିଲେ।

 

ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୬ ରନ କରିଛି। ଶଣକା ୨୨ ବଲର ସାମ୍ନା କରି ୬ଟି ଛକା ଓ ୨ଟି ଚୌକା ବଳରେ ଅପରାଜିତ ୫୬ ରନ କରିଛନ୍ତି। ତାଙ୍କ ସହ ଶେଷ ଯାଏ ଚାମିକା କରୁଣାରତ୍ନେ ୧୦ ବଲରେ ୧୧ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ଶେଷ ୫ ଓଭରେ ୭୭ ରନ ହାସଲ କରିଥିଲା । ଶ୍ରୀଲଙ୍କା ପ୍ରଥମ ୪ ଓଭରରେ ୪୭ ରନ କରିଥିବା ବେଳେ ଚହଲ ଓ ଅକ୍ଷର ଭାରତ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ଉଭୟ ମିଳିତ ଭାବେ ୮ ଓଭର ବୋଲିଂ କରି ୫୪ ରନ ଦେବା ସହ ୩ଟି ୱିକେଟ ହାସଲ କରିଥିଲେ। ହେଲେ ୩ ଯୁବ ଦ୍ରୁତ ବୋଲର ମହଙ୍ଗା ସାବ୍ୟସ୍ତ ହେବାରୁ ଶ୍ରୀଲଙ୍କା ବିଶାଳ ୨୦୬ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ମାତ୍ର ୨ ଓଭର ବୋଲିଂ କରିଥିବା ବେଳେ ୩୭ ରନ ଦେଇଥିଲେ। ଉମ୍ରାନ ମଲିକ ୩ଟି ୱିକେଟ ନେଇଥିଲେ ବି ୪୮ ରନ ଦେଇଥିଲେ । ଗତ ମ୍ୟାଚର ହିରୋ ଶିବମ ମାଭି ମଧ୍ୟ ୪ ଓଭରରେ ୫୬ ରନ ଦେଇଥିଲେ ।