ବିନାଛୁଟିରେ ସ୍କୁଲ ଯାଉନଥିବା ୨୪ ଶିକ୍ଷକ ଚାକିରିରୁ ବିଦା | News Room Odisha

ବିନାଛୁଟିରେ ସ୍କୁଲ ଯାଉନଥିବା ୨୪ ଶିକ୍ଷକ ଚାକିରିରୁ ବିଦା

ନବରଙ୍ଗପୁର – ମାଲକାନଗିରି ଜିଲ୍ଲା ପରେ ଏବେ ନବରଙ୍ଗପୁର ଜିଲ୍ଲାରେ ସ୍କୁଲ ଯାଉନଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା ହୋଇଛନ୍ତି । ଗତ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ l

ବିନା ଛୁଟିରେ ବହୁବର୍ଷ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶକ୍ରମେ ବହୁଦିନ ଧରି ବିନା ଛୁଟିରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପରେ ଜିଲ୍ଲାରେ ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ଜଣାପଡିଥିଲା।

ବ୍ଲକ ଶିକ୍ଷା ବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ସେଥିରେ ମାତ୍ର ୬ ଜଣ ହିଁ ଅନୁପସ୍ଥିତିର ବିଭିନ୍ନ କାରଣ ଦର୍ଶାଇ ଉତ୍ତର ଦେଇଥିବାରୁ ସେମାନଙ୍କ ଚାକିରି ବଞ୍ଚିଯାଇଛି। ହେଲେ ଅନ୍ୟ ୨୪ ଜଣ ଶିକ୍ଷକ ୧୫ ଦିନ ସୁଦ୍ଧା କୌଣସି ଉତ୍ତର ଦେଇନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ।