ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ନିଷ୍ପତ୍ତିକୁ ବିଜେଡିର ସମାଲୋଚନା  | News Room Odisha

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ନିଷ୍ପତ୍ତିକୁ ବିଜେଡିର ସମାଲୋଚନା 

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା ନେଇ କଡ଼ା ଆପତ୍ତି ପ୍ରକାଶ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଓ ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିଲା। ୧୦ କେଜି ଚାଉଳରୁ ୫ କେଜି ଚାଉଳ କେନ୍ଦ୍ର କାଟିଦେବା ଦୁର୍ଭାଗ୍ୟର କଥା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବନ୍ଦ ହେବା ଦ୍ୱାରା ଓଡ଼ିଶାର କେବଳ ଗରିବ ପରିବାର ନୁହେଁ, ଚାଷୀ ଭାଇମାନେ ମଧ୍ୟ ହନ୍ତସନ୍ତ ହେବେ । କାରଣ ଚାଷୀ ମାନେ ଏହି ଯୋଜନାରେ ଉପକୃତ ହେଉଥିଲେ । ଏହି ଯୋଜନା ଚାଲୁଥିବା କାରଣରୁ ଅଧିକ ଚାଉଳର ଆବଶ୍ୟକତା ପଡୁଥିଲା । ସରକାର ଅଧିକ ଚାଉଳ କିଣୁଥିଲେ । ଯାହାଦ୍ୱାରା ଚାଷୀ ଭାଇ ଉପକୃତ ହେଉଥିଲେ । ଅଧିକ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ଏମଏସପି ଦରରେ ଚାଉଳ ବିକୁଥିଲେ । କିନ୍ତୁ କମ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ବଳକା ଚାଉଳ ଏମଏସପି ଦରରେ ବିକ୍ରି କରିପାରିବେ ନାହିଁ । ତେଣୁ ବାହାରେ କମ ଦରରେ ଧାନ ବିକିବାକୁ ବାଧ୍ୟ ହେବେ ଚାଷୀ । ଯାହା ଚାଷୀ ଭାଇଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବ ବୋଲି ସସ୍ମିତ କହିଛନ୍ତି।

କୋଭିଡ ମହାମାରୀ ପରେ ଜୀବନ ଜୀବିକା ସ୍ୱାଭାବିକ ହୋଇନି । କିନ୍ତୁ କେନ୍ଦ୍ର ଏଥିପ୍ରତି ଦୃଷ୍ଟି ନଦେଇ ସିଧାସଳଖ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିଛନ୍ତି ।

ଓଡ଼ିଶାର ଅନେକ ପରିବାର ଏହି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିଲେ ବି ସେମାନେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି । କାରଣ କେନ୍ଦ୍ର ସରକାର ଗୋଟେ ପୁରୁଣା ତାଲିକାକୁ ନେଇ ଚାଲୁଛନ୍ତି । ଆମେ ହିତାଧିକାରୀ ମାନଙ୍କୁ ଯୋଡିବାକୁ ଚାହୁଁଥିଲେ ବି ହୋଇ ପାରୁନି । ଯାହା କେନ୍ଦ୍ରର ଓଡ଼ିଶା, ଗରିବ ପରିବାର ଓ ଚାଷୀ ବିରୋଧୀ ନୀତିକୁ ଦର୍ଶାଉଛି । ତେଣୁ ଏହି ମାସରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆରମ୍ଭ କରାଯାଉ ବୋଲି ବିଜେଡି ଦାବି କରିଛି ।