୨୪ ଘଣ୍ଟା ପରେ ପାହାଡ଼ ଉପରୁ ମିଳିଲେ ବୃଦ୍ଧା | News Room Odisha

୨୪ ଘଣ୍ଟା ପରେ ପାହାଡ଼ ଉପରୁ ମିଳିଲେ ବୃଦ୍ଧା

ବ୍ରହ୍ମପୁର: ୨୪ ଘଣ୍ଟା ହେଲା ନିଖୋଜ ଥିଲେ। ଘରଲୋକ ଖୋଜାଖୋଜି କରିଲେ ମଧ୍ୟ କୈାଣସି ପତ୍ତା ପାଇନଥିଲେ। ଶେଷରେ ରାତିରେ ଲୋକେ ଗାଁ ପାଖ ପାହାଡ଼ ଉପରୁ ଚିତ୍କାର ଶୁଣିଥିଲେ। ପରେ ନିକଟସ୍ଥ ଚିକିଟି ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ସହ ଗାଁର କିଛି ଯୁବକ ପାହାଡ଼ ଉପରେ ପ୍ରାୟ ଦୁଇ ହଜାର ଫୁଟ ଉଚ୍ଚ ଚଢିଥିଲେ। ଆଉ ୮୦ ବର୍ଷୀୟା ବୃଦ୍ଧା ଚଞ୍ଚଳା ଦଳେଇଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିଥିଲା। ଶନିବାର ଭୋରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡ଼ଡୁମ୍ବୁଳା ଗାଁରେ ଏଭଳି ନାଟକୀୟ ଘଟଣା ଘଟିଛି।

୮୦ ବର୍ଷୀୟା ଚଞ୍ଚଳା ଗତକାଲି ସକାଳୁ ନିଖୋଜ ହୋଇଯାଇଥିଲେ। ରାତିରେ କହ୍ନେଇ ନାଳ ନିକଟରେ ଥିବା ଜୟ ଗୁମ୍ଫା ପାହାଡ଼ରୁ ଚିତ୍କାର ଶୁଣି ଜଣାପଡିଥିଲା ଯେ କୈାଣସି ମହିଳା ସେହି ପାହାଡ଼ ଉପରେ ଚଢ଼ି ଓହ୍ଲାଇ ପାରୁନାହାନ୍ତି। ପରେ ସ୍ଥାନୀୟ ଲୋକେ ଏବଂ ଚିକିଟି ଅଗ୍ନିଶମ ବାହିନୀ ସେଠି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ଦେଖିବାକୁ ପାହାଡ଼ ପାଦ ଦେଶରେ ଲୋକଙ୍କ ଗହଳିଚହଳି ଲାଗି ରହିଥିଲା।