ବରିଷ୍ଠ ବିଜେପି ନେତା କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ | News Room Odisha

ବରିଷ୍ଠ ବିଜେପି ନେତା କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ

ପ୍ରୟାଗରାଜ: ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ସେ ଅସୁସ୍ଥ ଥିଲେ । ପ୍ରୟାଗରାଜସ୍ଥିତ ତାଙ୍କ ବାସଭବନରେ ସେ ଆଜି ସକାଳ ପ୍ରାୟ ୫ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ ଅସୁବିଧା ଓ ହାତ ଭାଙ୍ଗିଯିବା କାରଣରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛିଦିନ ତଳେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

୧୦ ନଭେମ୍ବର ୧୯୩୪ରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ କେଶରୀ ନାଥ ତ୍ରିପାଠୀ ଦୀର୍ଘ ଦିନ ଧରି ବିଜେପି ସହ ଜଡିତ ଥିଲେ। ବିଜେପିର ଉତ୍ତରପ୍ରଦେଶ ୟୁନିଟର ସଭାପତି ହେବା ବ୍ୟତୀତ ସେ ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ। ତ୍ରିପାଠୀ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ରହିଥିଲେ । ଏହା ସହିତ ସେ ବିହାର, ମିଜୋରାମ ଏବଂ ମେଘାଳୟ ରାଜ୍ୟପାଳ ଭାବେ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ।