ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ବି ନୁହଁନ୍ତି ସୁରକ୍ଷିତ, ୧୫ ମିଟର ଘୋଷାଡି ନେଲା ମଦ୍ୟପ କାର୍ ଡ୍ରାଇଭର | News Room Odisha

ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ବି ନୁହଁନ୍ତି ସୁରକ୍ଷିତ, ୧୫ ମିଟର ଘୋଷାଡି ନେଲା ମଦ୍ୟପ କାର୍ ଡ୍ରାଇଭର

ନୂଆଦିଲ୍ଲୀ: କଞ୍ଝାୱାଲା ଭଳି ଘଟଣାରୁ ବର୍ତ୍ତି ଯାଇଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ । ଜାତୀୟ ରାଜଧାନୀରେ ତାଙ୍କୁ ଏକ କାର୍ କିଛି ମିଟର ଘୋଷାଡି ନେଇଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀର ଏମ୍ସର ଗେଟ୍ ନମ୍ବର-୨ ସମ୍ମୁଖରେ ଜଣେ ନିଶାସକ୍ତ କାର୍ ଡ୍ରାଇଭର ତାଙ୍କୁ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲ। ଏହି ମାମଲାରେ ଦିଲ୍ଲୀ ପୋଲିସ ଆକ୍ସନ ନେଇଛି ‌। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି ।

ଦିଲ୍ଲୀ ପୋଲିସର ସୂଚନାନୁସାରେ ଏହି ଘଟଣା ରାତି ୩.୧୧ରେ ଘଟିଥିଲା। ଏମ୍ସର ଗେଟ୍ ନମ୍ବର ଦୁଇ ସମ୍ମୁଖରେ ଜଣେ କାର୍ ଡ୍ରାଇଭର ସ୍ବାତୀ ମାଲିୱାଲଙ୍କ ସହ ଅସଦାଚରଣ କରିଥିଲା । ସେ ତାଙ୍କୁ କାରରେ ବସିବାକୁ କହିଥିଲା । ମାଲିୱାଲ ତାଙ୍କୁ ତାଗିଦ୍ କରୁଥିବା ବେଳେ କାର୍ ଡ୍ରାଇଭର କାରର ଝରକା କାଚ ଟାଣି ଦେଇଥିଲା। ଏହି କାରଣରୁ ମାଲିୱାଲଙ୍କ ହାତ କାରରେ ଅଟକି ଯାଇଥିଲା। ଏହା ପରେ କାର୍ ଡ୍ରାଇଭର ତାଙ୍କୁ ୧୦ ରୁ ୧୪ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା ।

ସ୍ବାତୀ ମାଲିୱାଲ ଏହି ଘଟଣା ନେଇ ଟ୍ୱିଟ ମଧ୍ୟ କରିଛନ୍ତି । ସେ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ମୁଁ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସ୍ଥିତି ଯାଞ୍ଚ କରୁଥିଲି। ଜଣେ ଡ୍ରାଇଭର ଆସି ମୋତେ ନିଶାସକ୍ତ ଅବସ୍ଥାରେ ଅସଦାଚରଣ କରିଥିଲା ଏବଂ ମୁଁ ଯେତେବେଳେ ତାକୁ ଧରିବାକୁ ଚେଷ୍ଟା କରିଥିଲି, ସେ କାରର ଝରକା ମୋ ହାତ ବନ୍ଦ କରି ମୋତେ ଟାଣି ନେଇଥିଲା | ଭଗବାନ ମୋ ଜୀବନ ରକ୍ଷା କଲେ | ଯଦି ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ସୁରକ୍ଷିତ ନୁହଁନ୍ତି, ତେବେ ଏଠାରେ କିପରି ପରିସ୍ଥିତି ରହିଛି ଭାବନ୍ତୁ।”