ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ସହରଠାରୁ ପ୍ରାୟ ୭ କି.ମି.ଦୂରରେ ଅବସ୍ଥିତ । ଚତୁର୍ଭୁଜା ଭଦ୍ରକାଳୀ ଏଠାରେ ସିଂହପୃଷ୍ଠରେ ପଦ୍ମାସନରେ ବିଜେ କରିଅଛନ୍ତି । ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି । ତଳଭୁଜ ଦୁଇଟି ମଧ୍ୟରୁ ବାମଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁ କୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି କାଳୀ ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଛନ୍ତି ।ଏହି ପୀଠକୁ ଦୂର୍ଗା ମାଧବ ପୀଠ ମଧ୍ୟ କୁହାଯାଏ ।
ଏକୈବ ଶକ୍ତି ପରମେଶ୍ୱରସ୍ୟ,
ବିବିଧା ବଦନ୍ତି ବ୍ୟବହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।
ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।
ଓଦ୍ରାଖ୍ୟମ୍ ପ୍ରଥମ ପୀଠ, ଦ୍ୱିତୀୟ ଜଳ ଶୈଳକାମୀ, ତୃତୀୟ ପୂର୍ଣ୍ଣପୀଠସ୍ତୁ, କାମରୂପମ୍ ଚତୁର୍ଥକମ୍ ।।
ଓଦ୍ରାଖ, ଶ୍ରୀହଟ୍ଟ, ପୂମାକୋଟୀ ଏବଂ କାମାକ୍ଷ୍ୟା ଚାରୋଟି ଶକ୍ତିପୀଠ ମଧ୍ୟରୁ ଓଦ୍ରାଖ ବା ଓଡ଼ିଶା ପ୍ରଥମ ପୀଠ ବୋଲି ଡଃ ହରେକୃଷ୍ଣ ମହତାବ ମତ ଦେଇଥିଲେ ।ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ହେଉଛି: ଝଙ୍କଡ଼ ଶାରଳା, କଟକ ଚଣ୍ଡୀ, ବ୍ରହ୍ମପୁରର ଭଗବତୀ, ଖିଚିଙ୍ଗର କୀଚକେଶ୍ୱରୀ, ବାଙ୍କୀର ଚର୍ଚ୍ଚିକା, କାକଟପୁରର ମଙ୍ଗଳା ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ସମଲେଶ୍ୱରୀ ଏବଂ ଭଦ୍ରକର ଭଦ୍ରକାଳୀ । ସେମାନେ ମହାକାଳ ଶିବଙ୍କର ଶକ୍ତି ।
ଏହି ମନ୍ଦିରର ମୂଳ ସ୍ଥାନ ଏଠାରେ ନୁହେଁ ବୋଲି ସର୍ବସାଧାରଣରେ ବିଶ୍ୱାସ କରାଯାଏ । ବିଭିନ୍ନ ମହାପୁରଷମାନେ ମଧ୍ୟ ଏହି କଥାକୁ ମାନିଆସିଛନ୍ତି । ଯଦି ଇତିହାସ ସଭ୍ୟତାର ଜୀବନ ହୁଏ, ତେବେ କଥା ହେଉଛି ଆମର ଆତ୍ମା । ଯଦିଓ ମହାପୁରୁଷଗଣ ଇତିହାସ ଭଳି ଅନୁସଂଧାନମୂଳକ ତଥ୍ୟ ପାଇନାହାନ୍ତି, ତଥାପି ସେମାନେ ଏହି ଇତିହାସର ଗାଥାକୁ ଗୁରୁତ୍ୱ ଦେଇଆସିଅଛନ୍ତି ।
ଏକ ପୌରାଣିକ କଥାବସ୍ତୁ ଅନୁସାରେ ଭଦ୍ରକାଳୀଙ୍କର ମୂଳ ପ୍ରତିମା ଭଦ୍ରକ ସହରର ପୂର୍ବଦିଗରେ ଭୁଇଁଆ ମହଲରେ ଏକ ଅତୀବ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ । ଓଡ଼ିଶାରେ ମୁସଲମାନ ଶାସନ ମନ୍ଦିର ଏବଂ ହିନ୍ଦୁ ପୂଜାସ୍ଥଳୀଗୁଡ଼ିକୁ ଧ୍ୱଂସାଭିମୁଖି କରାଇଥିଲା । ଦେବୀଙ୍କର ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଏହାପରେ ଭୁଇଁଆ ରାଜବଂଶ ମାଆଙ୍କୁ ପ୍ରାର୍ଥନା କଲେ ଏବଂ ମାଆ ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାସ୍ତର କରିବାର ନିର୍ଦ୍ଦେଶ ଦେଲେ । ଏହା ପରେ ଭକ୍ତବୃନ୍ଦ ମାଆଙ୍କ ପ୍ରତିମାକୁ ସାଙ୍ଗରେ ଧରି ସାଳନ୍ଦୀ ନଦୀରେ ପୂର୍ବାଭିମୁଖି ହେଲେ । ଏହା ପରେ ମାଆ ନଦୀର ଏକ ଅଦୃଶ୍ୟ ହୋଇ ରହିଗଲେ ।
ଏକଦା ସ୍ଥାନୀୟ ପିଲାମାନେ ସେହି ନଦୀକୂଳରେ ଏକ ଭୋଜିର ଆୟୋଜନ କରିଥିଲେ । ପିଲାମାନଙ୍କୁ ସ୍ନେହ କରୁଥିବା ଏହି ଦେବୀ ସେଠାରେ ପିଲାମାନଙ୍କ ସହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ, ସେଥିପାଇଁ ସେହି ସ୍ଥାନର ନାମ ଆହାରପଦା(ଖାଦ୍ୟଗ୍ରହଣ କରିବାର ସ୍ଥାନ) ହୋଇଛି । ଏହା ପରେ ମୁସଲମାନମାନଙ୍କର ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନସ୍ତର ହୋଇଗଲେ । ସାଳନ୍ଦୀ ନଦୀର ସେହି ଭାଗଟି ଆଜିଯାଏ ଭଦ୍ରକାଳୀ ଗଣ୍ଡ ନାମରେ ନାମିତ ହୋଇ ରହିଛି । କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି ।
ଅନ୍ୟ ଏକ କଥାନୁସାରେ ଦେବୀଙ୍କର ମୂଳ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ଥିଲା । କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ ।ଏହି ପର୍ବତରୁ ସାଳନ୍ଦୀ ନଦୀର ଉତ୍ପତ୍ତି ହୋଇଛି । ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମାଆ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ । ଏକଦା ଦେବୀଙ୍କର ବାମପଟ ସ୍ତନରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନଦୀର ରୂପ ନେଲା । ଯେହେତୁ ଏହି ନଦୀଟି ଶାଳବଣ ଦେଇ ପ୍ରବାହିତ ହେଲା, ଏହାର ନାମ ସମୟାନୁକ୍ରମେ ସାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା । ଏହା ଦେଖି ଋଷି ତାପସ ଅତ୍ୟନ୍ତ ଖୁସି ହେଲେ ଏବଂ ଦେବୀଙ୍କର ଆଶୀର୍ବାଦ ସ୍ୱରୂପ ସେହି ନଦୀର ଜଳକୁ ପାନ କଲେ । ଏହାପରେ ତାଙ୍କର ଆତ୍ମା ପରମାତ୍ମାଙ୍କ ସହ ମିଳନ ହୋଇଗଲା । ଏହା ପରେ ତାଙ୍କର ଶିଷ୍ୟ ଭଦ୍ରନାଥ ଋଷି ତାପସଙ୍କର ଗୋଟିଏ କବର ସ୍ଥାପନ କରି ସେଠାରେ ଦେବୀଙ୍କର ଆରାଧନା କଲେ ।
ଏକଦା ଆଶ୍ଚର୍ଯ୍ୟାନ୍ୱିତ ଭାବରେ ତାଙ୍କର ଗୁରୁଙ୍କର ଶରୀର ସେହି କବରରୁ ବାହାରକୁ ବାହାରିବା ସେ ଦେଖିଲେ । ବିଚଳିତ ହୋଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଲେ । ଅଚାନକ ସେ ଏକ ସ୍ୱର୍ଗୀୟ ସ୍ୱର ଶୁଣିବାକୁ ପାଇଲେ ଯେ, ତାଙ୍କୁ ତାଙ୍କର ଗୁରୁଙ୍କର ପିଣ୍ଡଦାନ କରି ନଦୀର ଭସାଇବା ସହ ପବିତ୍ର ହୃଦୟରେ ଦେବୀଙ୍କର ପ୍ରତିମାକୁ ଜଳରେ ସ୍ଥାପନ କରିବା ଉଚିତ । ସେ ମାଆଙ୍କ ପାଦରେ ଥିବା ପାଉଁଜିର ଶବ୍ଦକୁ ଅନୁସରଣ କରିବ ଏବଂ ତାଙ୍କର ପାଉଁଜିର ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ଚାଲୁ ରଖିବେ । ଭଦ୍ରନାଥ ମଧ୍ୟ ସେହିପରି କଲେ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେ ମାଆଙ୍କର ପାଉଁଜିର ଶବ୍ଦ ଶୁଣିପାରିଲେ ନାହିଁ । ସନ୍ଦେହର ସହ ସେ ଯେତେବେଳେ ପଛକୁ ଚାହିଁଲେ, ସେତେବେଳେ ସେଠାରେ ରହିବାକୁ ତାଙ୍କୁ ସେହି ସ୍ୱର୍ଗୀୟ ଶବ୍ଦ ନିର୍ଦ୍ଦେଶ ଦେଲା । ଭଦ୍ରନାଥ ସେଠାରେ ରହିଲେ ଏବଂ ଦେବୀଙ୍କର ପୂଜା କରିବା ଆରମ୍ଭ କରିଦେଲେ ।
ଏକଦା ଦୁଇ ଚୌହାନ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ । ସେମାନେ ସେମାନଙ୍କର ମାର୍ଗ ଭୂଲିଗଲେ ଏବଂ ଗୋଟିଏ ଘଞ୍ଚ ଜଙ୍ଗଲରେ ପ୍ରବେଶ ହୋଇଲେ । ଅଚାନକ ସେମାନେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାକୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପହଞ୍ଚିଲେ । ସେହି କୁଡ଼ିଆଟି ଯୋଗୀ ଭଦ୍ରନାଥଙ୍କର ଥିଲା ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ । ପରଦିନ ସାନଭାଇଟି ଅସୁସ୍ଥ ହୋଇପଡ଼ିଲା । ସେହି କୁଡ଼ିଆରେ ରହି କିଛିଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ଭାଇ ଉପଦେଶ ଦେଲେ । ଯୋଗୀ ଭଦ୍ରନାଥଙ୍କର କନ୍ୟା ଅତ୍ୟନ୍ତ ଯତ୍ନ ଏବଂ ଆଦରର ସହ ସାନଭାଇଟିର ଚିକିତ୍ସା କଲେ । ଯେତେବେଳେ ସେ ଭଲ ହେବାକୁ ଲାଗିଲେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଚୌହାନ ବାଳକ ଗୋଟିଏ ଅଜବ କଥା ଲକ୍ଷ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି । ସେ ତାଙ୍କୁ ଅନୁସରଣ କଲେ ଏବଂ ଦିନେ କିଛି ଦୂରରେ ଗୋଟିଏ ଜାଗାରେ ପହଞ୍ଚିଲେ । ସେଠାରେ ପହଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀଜଣକ ଆଉ କେହି ନୁହନ୍ତି ସ୍ୱୟଂ ମହାମାୟା ଭଦ୍ରକାଳୀ । ସେହିଦିନ ରାତିରେ ଯୁବକ ଜଣକ ଗୋଟିଏ ସ୍ୱପ୍ନ ଦେଖିଲେ । ଦେବୀ ତାଙ୍କୁ ଗୋଟିଏ ଫୁଲ ଦେଲେ ଏବଂ ତାଙ୍କ ସକ୍ଷମତାରେ ସର୍ବାଧିକ ଦୂରକୁ ଯିବାକୁ ଆଦେଶ ଦେଲେ, ଯାହାଦ୍ୱାରା ସେ ସେହି କ୍ଷେତ୍ରର ପଥ ପ୍ରଦର୍ଶକ ବନିପାରିବେ ।ପରଦିନ ସେହି ଯୁବକଟି ଦେବୀଙ୍କ ପ୍ରଦତ୍ତ ଫୁଲଟି ଧରି ମହାମାୟାଙ୍କୁ ନେଇ ଯାତ୍ରା ଆରମ୍ଭ କଲା । ପାଉଁଜି ଶବ୍ଦ ସହ ଦେବୀ ପଛେ ପଛେ ଚାଲିଲେ । ଯେତେବେଳେ ଯୁବକଟି ସାଳନ୍ଦୀ ନଦୀର ଶୁଖିଲା ଉପତ୍ୟକା ଦେଇ ଗତି କରୁଥିଲା, ସେହି ସମୟରେ ସେ ଆଉ ଦେବୀଙ୍କର ପାଉଁଜିର ଶବ୍ଦ ଶୁଣିପାରିଲା ନାହିଁ । ତେଣୁ ସେ ପଛକୁ ବୁଲି ଦେଖିଲା କି ମାଆ ଏକ ପଥର ମୂର୍ତ୍ତୀ ହୋଇଯାଇଛନ୍ତି । ରତ୍ନକୋଷର ବର୍ଣ୍ଣାନାନୁସାରେ ମାଆ ଭଦ୍ରକାଳୀ ଭୁଇଁଆ ବଂଶର କୁଳଦେବୀ ଥିଲେ । ଏହି ମରାଠା ଯୁବକଟି ଭୁଇଁଆ ବଂଶର ପ୍ରତିଷ୍ଠାତା ଥିଲା । ସେହି ସ୍ଥାନଟିର ନାମ ଥିଲା ଭୁଇଁଆ ମହଲ, ଯେଉଁଟାକି ପ୍ରାଚୀନ ଭଦ୍ରକର ରାଜଧାନୀ ଥିଲା । ଭୁଇଁଆ ମାନେ ସାଳନ୍ଦୀ ନଦୀର ଆଖପାଖ ଅଞ୍ଚଳର ଶାସକ ଥିଲେ । ସେମାନେ ମାଆ ଭଦ୍ରକାଳୀଙ୍କର ପୂଜକ ଥିଲେ । ପରବର୍ତ୍ତୀ ସମୟରେ କ୍ରୁର ଆଫଗାନମାନଙ୍କର ଆକ୍ରମଣ ଫଳରେ ସେମାନେ ଦୋଳସାହିକୁ ସ୍ଥାନାନ୍ତରିତ ହୋଇଗଲେ । ସେମାନଙ୍କର ଉତ୍ତରାଧିକାରମାନେ ଯେଉଁ ସ୍ଥାନରୁ ବିଭିନ୍ନ କ୍ଷେତ୍ରକୁ ପଳାୟନ କରିଥିଲେ ସେହି ସ୍ଥାନଟି ଭୁଇଁଆ ଉଆସ ନାମରେ ଜଣା । ସେମାନେ ଏବେ ତାଳପଦା ସାହିର ସାମନ୍ତରାୟ ପରିବାର, କୁବେରର ଭୁଇଁଆ ଏବଂ ନଦୀଗାଆଁର କାନୁନ୍ଗୋ ପରିବାର ଭାବରେ ଜଣା ।
ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ସୀମାରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀଗୁମ୍ପାରେ ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ । ଏହି ଶିଳାଲେଖଟିରେ ବ୍ରାହ୍ମୀ ଲିପିରେ ପାଳି ଭାଷାରେ ଉଲ୍ଲେଖ ରହିଛି । ଗବେଶକଙ୍କ ମତରେ ଏହି ଶିଳାଲେଖତି ୩ୟ ଶତାବ୍ଦୀର ବୋଲି ଅନୁମାନ କରାଯାଏ ଯାହାକି ବର୍ତ୍ତମାନର ଭଦ୍ରକର ଗଣରାଜାଙ୍କଦ୍ୱାରା ନିର୍ମିତ ହୋଇଥିଲା । ହରେକୃଷ୍ଣ ମହତାବଙ୍କ ଅନୁସାରେ ଭଦ୍ରକାଳୀ ଶିଳାଲେଖର ମହାରାଜା ଶ୍ରୀ ଗଣ, ଗୁପ୍ତ ରାଜବଂଶର ସଂସ୍ଥାପକ ଥିଲେ । କିନ୍ତୁ ଭୁଇଁଆ ମହଲରେ ଥିବା ଭଦ୍ରକାଳୀ ଗୁପ୍ତ ବଂଶର ପ୍ରତିଷ୍ଠାର ଅନେକ ବର୍ଷ ପୂର୍ବରୁ ପୂଜା ପାଇଆସୁଛନ୍ତି ।
କିଛି ବିଦ୍ୱାନଙ୍କ ମତାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମକରଣ ହୋଇଛି । ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅନୁସାରେ ବରେଶ୍ୱରଙ୍କ ଅନୁସାରେ ବାଲେଶ୍ୱର, ସମଲେଇରୁ ସମ୍ବଲପୁର, ଭୁବନେଶ୍ୱରୀରୁ ଭୁବନେଶ୍ୱର ଏବଂ ଦେବୀ ଭଦ୍ରକାଳୀଙ୍କ ଠାରୁ ଭଦ୍ରକ ହୋଇଛି । ଅନ୍ୟକେତେକ ମଧ୍ୟ ମତ ଦିଅନ୍ତି କି ମାଆ ଭଦ୍ରକାଳୀଙ୍କର ସମ୍ପୂର୍ଣ୍ଣନାମରୁ ଭଦ୍ରକ ଉଧୃତ ହୋଇଛି, ଯେପରିକି ପୁରୁଷୋତ୍ତମ ପୁରୀରୁ ପୁରୀ ହୋଇଛି ।
ପୂଜା ଓ ପର୍ବ:- ପ୍ରତ୍ୟହ ପ୍ରାତଃ ୬.୩୦ରୁ ୧ ଘଟିକା ଓ ପୁନଃ ଅପରାହ୍ଣ ୩ଘଟିକାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥାଏ । ଦୀକ୍ଷିତ ବଂଶର ପରିବାରଗଣ ଦେବୀଙ୍କର ପୂଜାକାର୍ଯ୍ୟ କରିଥାନ୍ତି । ଭଦ୍ରକାଳୀ ପୀଠରେ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ପୂଜା ହୋଇଥାଏ । ପ୍ରାତଃରେ ମଙ୍ଗଳ ଆରତି ଓ ସ୍ନାନ ଆଦି ନିତ୍ୟକ୍ରିୟା ସମାପନ ପରେ କଦଳୀ, କ୍ଷୀର, ଉଖୁଡା ଓ ଫଳମୂଳଦ୍ୱାରା ବାଳଭୋଗ ହୋଇଥାଏ । ଦ୍ୱିପ୍ରହର ଓ ରାତ୍ରିରେ ଅନ୍ନଭୋଗ ହୋଇଥାଏ । ପ୍ରତିବର୍ଷ କେତେକ ବିଶିଷ୍ଟ ପର୍ବ ଯଥା: ମହାବିଷୁବ ସଂକ୍ରାନ୍ତି, ରଜପର୍ବ, ଦୁର୍ଗାପୂଜା, କାଳୀପୂଜା, ଓ ଚୈତ୍ର ପୂର୍ଣ୍ଣିମା ଇତ୍ୟାଦି ପାଳନ କରାଯାଇଥାଏ । ମହାବିଷୁବ ସଂକ୍ରାନ୍ତିରେ ଝାମୁ ଓ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରଜପର୍ବର ତିନିଦିନ ଯଜ୍ଞ ହୋଇଥାଏ ଓ ଏହି ପୀଠରେ ଏକ ମେଳା ବସିଥାଏ । ଦୁର୍ଗାପୂଜାରେ ପ୍ରତିଦିନ ନଅଟି କଳସ ସ୍ଥାପନ ପୂର୍ବକ ପ୍ରତିଦିନ ଯଜ୍ଞ ସହିତ ଚଣ୍ଡୀପାଠ ହୋଇ ଦଶହରା ଦିନ ପୂର୍ଣ୍ଣାହୁତି ହୋଇଥାଏ । ଏହାସହ ଦଶରାତ୍ରିରେ ତନ୍ତ୍ରମନ୍ତ୍ରରେ ଭଦ୍ରକାଳୀଙ୍କଠାରେ ବିଶେଷ ପୂଜାମାନ କରାଯାଇଥାଏ ।