ହକିର ଚମକ ଫେରାଇ ନବୀନ ଦେଶବାସୀଙ୍କ ହୃଦୟ ଜିତିଛନ୍ତି- କୈଳାସ ଖେର | News Room Odisha

ହକିର ଚମକ ଫେରାଇ ନବୀନ ଦେଶବାସୀଙ୍କ ହୃଦୟ ଜିତିଛନ୍ତି- କୈଳାସ ଖେର

ସମ୍ବଲପୁର : ହକି ଆମର ଜାତୀୟ ଖେଳ। ହେଲେ ପୃଷ୍ଠପୋଷକତା ତଥା ପ୍ରୋତ୍ସାହନ ଅଭାବରୁ ଏହା ଦୁସ୍ଥିତି ଭିତରକୁ ଚାଲି ଆସିଥିଲା। ଏଭଳି ସ୍ଥିତିରେ ପରମେଶ୍ବରଙ୍କ ଆଶିଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଏହାର ଚମକ ଫେରାଇବାରେ ସଫଳ ହୋଇଛନ୍ତି। ତାଙ୍କର ଏହି ପ୍ରୟାସ ପାଇଁ ଯେତେ ଧନ୍ୟବାଦ ଦେଲେ କମ ହେବ। ବିଶିଷ୍ଟ ବଲିଉଡ ଗାୟକ ପଦ୍ମଶ୍ରୀ କୈଳାସ ଖେର ଆଜି ଏଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ହକି ମହୋତ୍ସବ ଅବସରରେ ସମ୍ବଲପୁରରେ ଆୟୋଜିତ ମ୍ୟୁଜିକାଲ ନାଇଟରେ ଯୋଗଦେବାକୁ ଆସିଥିବା ପଦ୍ମଶ୍ରୀ ଖେର ନ୍ୟୁଜରୁମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡିଶାରେ ହକିର ବିଶ୍ବକପ୍ ଆୟୋଜନ ହେବା ନିହାତି ଭାବେ ଗୌରବର ବିଷୟ। ଓଡିଶା ସରକାର କ୍ରୀଡାର ବିକାଶ ଦିଗରେ ବିଶେଷ କରି ବୁଡି ଯାଉଥିବା ହକିର ପୁନଃଉଦ୍ଧାର ଦିଗରେ ଯେଭଳି ଉଦ୍ୟମ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହା ପରମେଶ୍ବରଙ୍କ କୃପା ନ ହେଲେ ସମ୍ଭବ ନୁହେଁ, ଆଉ ନବୀନ ବାବୁଙ୍କୁ ପରମେଶ୍ବରଙ୍କ ଅଶେଷ କୃପା ରହିଛି। ହକିକୁ ସାରା ବିଶ୍ବରେ ପୁଣି ଥରେ ପରିଚିତ କରାଇବାରେ ଓଡିଶା ସରକାରଙ୍କ ଭୂମିକା ଅନ୍ୟ ସମସ୍ତ ରାଜ୍ୟ ପାଇଁ ଉଦାହରଣ ହେବା କଥା ବୋଲି ପଦ୍ମଶ୍ରୀ ଖେର କହିଛନ୍ତି। ଏହି ବିଶ୍ବକପ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଛିଡା କରିବା କୌଣସି ସାଧାରଣ କଥା ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ପଦ୍ମଶ୍ରୀ ଖେର ଗତକାଲି ସମ୍ବଲପୁରରେ ମ୍ୟୁଜିକାଲ ନାଇଟ କରିଥିବା ବେଳେ ଆଜି ରାଉରକେଲାରେ ସିଟିଫେଷ୍ଟରେ ତାଙ୍କ ସଂଗୀତର ଯାଦୁ ଦେଖାଉଛନ୍ତି।