ମସ୍କୋ-ଗୋଆ ବିମାନରେ ବୋମା ଆତଙ୍କ, ଉଜବେକିସ୍ତାନକୁ ଡାଇଭର୍ଟ କରାଗଲା | News Room Odisha

ମସ୍କୋ-ଗୋଆ ବିମାନରେ ବୋମା ଆତଙ୍କ, ଉଜବେକିସ୍ତାନକୁ ଡାଇଭର୍ଟ କରାଗଲା

ନୂଆଦିଲ୍ଲୀ: ରୁଷର ରାଜଧାନୀ ମସ୍କୋରୁ ଗୋଆ ଅଭିମୁଖେ ଆସୁଥିବା ଏକ ଚାର୍ଟାର୍ଡ ​​ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଉଜବେକିସ୍ତାନକୁ ଡାଇଭର୍ଟ କରାଯାଇଛି ।

ଚାର୍ଟାର୍ଡ ​​ବିମାନରେ ୨୪୦ ଜଣ ଯାତ୍ରୀ ଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିବା ଅନୁଯାୟୀ ବିମାନଟି ଦକ୍ଷିଣ ଗୋଆର ଡାବୋଲିମ ବିମାନ ବନ୍ଦରରେ ଅବତରଣ କରିବାର ଥିଲା ।

ସେ କହିଛନ୍ତି ଯେ ରୁଷୀୟ ଏୟାରଲାଇନ୍ କମ୍ପାନୀ ଆଜୁର ଏୟାରର ଫ୍ଲାଇଟ୍ ଏଜେଡଭି-୨୪୬୩ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପୂର୍ବରୁ ହିଁ ଡାଇଭର୍ଟ କରିଦିଆ ଯାଇଥିଲା ।

ସେ କହିଛନ୍ତି ଯେ ଶୁକ୍ରବାର ରାତି ୧୨:୩୦ ସମୟରେ ଡାବୋଲିମ୍ ବିମାନବନ୍ଦରର ନିର୍ଦ୍ଦେଶକ ବିମାନରେ ବୋମା ଅଛି ବୋଲି ଏକ ଧମକପୂର୍ଣ୍ଣ ଇମେଲ ପାଇଥିଲେ।

ଦୁଇ ସପ୍ତାହ ତଳେ ମଧ୍ୟ ମସ୍କୋରୁ ଗୋଆକୁ ଆସୁଥିବା ଅନ୍ୟ ଏକ ବିମାନକୁ ଅନୁରୂପ ଧମକ ମିଳିଥିଲା । ପରେ ସେହି ବିମାନକୁ ଗୁଜରାଟର ଜାମନଗର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଯାଞ୍ଚ୍ ବେଳେ ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ।