ରୋହିତ, ଗିଲଙ୍କ ଶତକ: ନ୍ୟୁଜିଲାଣ୍ଡ ଆଗରେ ୩୮୬ ରନର ଟାର୍ଗେଟ୍ | News Room Odisha

ରୋହିତ, ଗିଲଙ୍କ ଶତକ: ନ୍ୟୁଜିଲାଣ୍ଡ ଆଗରେ ୩୮୬ ରନର ଟାର୍ଗେଟ୍

ଇନ୍ଦୋର: ଅଧିନାୟକ ରୋହିତ ଶର୍ମା ଏବଂ ଶୁବମାନ ଗିଲଙ୍କ ଶତକ ସହାୟତାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ବିଶାଳ ସ୍କୋର କରିଛି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ୯ ଓ୍ବିକେଟ୍ ହରାଇ ୩୮୫ ରନ୍ କରିଛି । ଗିଲ ୭୮ ବଲରୁ ୧୧୨ ରନ୍ କରିଥିବାବେଳେ ରୋହିତ ୮୫ ବଲରୁ ୧୦୧ ରନ୍ କରିଥିଲେ। ଗତ ୪ଟି ଦିନିକିଆରେ ଗିଲଙ୍କ ଏହା ତୃତୀୟ ଶତକ । ଅନ୍ୟପକ୍ଷରେ ରୋହିତ ତିନି ବର୍ଷ ପରେ ଏକ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରୁ ଦ୍ରୁତ ୫୪ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡରୁ ଜ୍ୟାକବ ଡଫି ଏବଂ ବ୍ଲେୟାର ଟିକନର୍ ୩-୩ ୱିକେଟ୍ ନେଇଥିଲେ।

ରୋହିତ-ଗିଲ ପ୍ରଥମ ଓ୍ବିକେଟ ପାଇଁ ୨୬ ଓଭରରେ ୨୧୨ ରନ୍ କରିଥିଲେ । ଲାଗୁଥିଲା ଭାରତ ୪୦୦ରୁ ଊର୍ଦ୍ଧ୍ବ ସ୍କୋର କରିବ । ତେବେ ଶତକ ପୂରଣ ପରେ ରୋହିତ ଆଉଟ୍ ହୋଇଥିଲେ । କିଛି ମିନିଟ୍ ପରେ ଶୁଭମାନ ଗିଲ ମଧ୍ୟ ପାଭିଲିୟନକୁ ଫେରିଥିଲେ। ବିରାଟ କୋହଲି (୩୬), ଇଶାନ କିଶନ (୧୭) ଏବଂ ସୂର୍ଯ୍ୟକୁମାର ଯାଦବ (୧୪) କ୍ରିଜରେ ବେଶୀ ସମୟ ରହିପାରିନଥିଲେ। ଭାରତକୁ ଟ୍ରାକରେ ରଖିବା ପାଇଁ ହାର୍ଦ୍ଦିକ ଏବଂ ଶାର୍ଦ୍ଦୁଲ ଠାକୁର ସପ୍ତମ ୱିକେଟ୍ ପାଇଁ ୫୪ ରନ୍ ଯୋଡିଥିଲେ।

ଦିନିକିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ହେଉଛି ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋର। ୮ ମାର୍ଚ୍ଚ ୨୦୦୯ ରେ ଖ୍ରୀଷ୍ଟଚର୍ଚରେ ଏହି ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ୫୦ ଓଭରରେ ୪ ୱିକେଟ୍ ହରାଇ ୩୯୨ ରନ୍ କରିଥିଲା।

କ୍ୟାପଟେନ ରୋହିତ ଶର୍ମା ଏବଂ ଶୁବମାନ ଗିଲ ଟିମ୍ ଇଣ୍ଡିଆକୁ ମଜବୁତ ଆରମ୍ଭ ଦେଇଥିଲେ। ଉଭୟ ୧୫୭ ବଲରେ ୨୧୨ ରନର ଓପନିଂ ଭାଗିଦାରୀ କରିଥିଲେ । ରୋହିତ ତାଙ୍କ ଦିନିକିଆ କ୍ୟାରିୟରର ୩୦ ତମ ଶତକ ହାସଲ କରିଥିବା ବେଳେ ଗିଲ ଚତୁର୍ଥ ଶତକ ପୂରଣ କରିଥିଲେ।

କ୍ୟାପଟେନ ରୋହିତଙ୍କ ବ୍ୟାଟରୁ ତିନି ବର୍ଷ ପରେ ଶତକ ଆସିଛି । ଗତ ଚାରିଟି ମ୍ୟାଚରେ ଗିଲ୍ ତୃତୀୟ ଥର ତିନି ଅଙ୍କ ସ୍କୋର କରିଛନ୍ତି। ୨୦୧୯ ପରେ ଭାରତର ଦୁଇ ଜଣ ଓପନର ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ରୋହିତ ଏବଂ ରାହୁଲ ଏଭଳି କରିଥିଲେ।