ଶ୍ରୀପଞ୍ଚମୀ ଠାରୁ ଦୋଳଉତ୍ସବ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରେ ପାଳିତ ହୋଇଥାଏ ବସନ୍ତଗୁଣ୍ଡିଚା। ଶ୍ରୀପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ବଢିବା ପରେ ବସନ୍ତ ଉତ୍ସବ ବା ବସନ୍ତ ଗୁଣ୍ଡିଚାର ଉପଚାର ଆରମ୍ଭ ହୋଇଥାଏ। ଏହିଦିନ ପୁଷ୍ପାଳକମାନେ ଶ୍ରୀଜିଉଙ୍କୁ ଲାଲବର୍ଣ୍ଣର ବସ୍ତ୍ରରେ ବିମଣ୍ଡିତ କରନ୍ତି। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ହେବାପରେ ଚାଚେରୀବେଶ ହୁଏ।ଚାଚେରୀ ବେଶରେ ନାଲିରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ।ଚାଚେରୀବେଶରେ ଦିଅଁ ମାନେ ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା,ସବୁ ନାଲିରଙ୍ଗର ହୋଇଥାଏ।ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଙ୍କ ବିଗ୍ରହରେ ନଳୀଭୁଜ ଲାଗି କରାଯାଏ।ଏହି ବେଶରେ ମକରକୁଣ୍ଡଳ,ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି ଓ ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି । ଏହିବେଶରେ ସୁଭଦ୍ରା ଚନ୍ଦ୍ର, ସୂର୍ଯ୍ୟ ଓ ତଡ଼ଗିଦ୍ୱାରା ସୁଶୋଭିତା ହୁଅନ୍ତି । ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମା ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଙ୍କୁ ମଧ୍ୟ ଚାଚେରୀ ବେଶ କରାଯାଏ। ଚାଚେରୀ ବେଶରେ ହିଁ ମହାପ୍ରଭୁଙ୍କ ନିକଟରେ ପଞ୍ଚୋପଚାରରେ ନୈବେଦ୍ୟ ଅର୍ପିତ ହୁଏ। ଏହା ପରେ ବଡ଼ବାଡ଼,ମଝିବାଡ଼ ଏବଂ ମହାପ୍ରଭୁ ବାଡ଼ ରେ ତିନିଟି ପାତ୍ରରେ ଯଥାକ୍ରମେ ଧଳା, ହଳଦିଆ ଓ ରକ୍ତବର୍ଣ୍ଣର ଫଗୁ ରଖାଯାଇ ମୁଦିରସ୍ତ,ପତି ମହାପାତ୍ର ଓ ପୂଜାପଣ୍ଡାଙ୍କ ଦ୍ବାରା ସଂସ୍କାର କରା ଯାଏ। ଏହାପରେ ଉକ୍ତ ଫଗୁକୁ ଶ୍ରୀଅଙ୍ଗରେ ଲାଗି କରାଯାଏ। ତିନି ବାଡ଼ରେ ବନ୍ଦାପନା ବଢେ।ଏହା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଦୋଳଗୋବିନ୍ଦ, ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଲାଗି କରାଯାଏ। ଏହାପରେ ଶ୍ରୀ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଙ୍କୁ ଜୟ ବିଜୟ ଦ୍ଵାର ପାଖରେ ପୁନର୍ବାର ଫଗୁ ଲାଗି, ଆଉ ବନ୍ଦାପନା କରାଯାଏ। ଏହାପରେ ତିନି ଚଳନ୍ତି ପ୍ରତିମାଙ୍କୁ ବିମାନ ରେ ବସାଇ ଜଗନ୍ନାଥ ବଲ୍ଲଭ ପୁଷ୍କରିଣୀକୁ ନିଆଯାଏ। ସେଠାରେ ଛ’ଟି ପଇଡ଼କୁ ମୃଗ ବୋଲି ବିଚାର କରି ଦୋଳଗୋବିନ୍ଦଙ୍କ ଦ୍ବାରା ଶିକାର ନୀତି ସମ୍ପନ୍ନ ହୁଏ।
ପୁନର୍ବାର ସେଠାରେ ଚଳନ୍ତିପ୍ରତିମା ମାନଙ୍କୁ ଫଗୁ ଲାଗି ହେବାପରେ,ପୂଜାପଣ୍ଡା ପଞ୍ଚୋପଚାରରେ ଶୀତଳ ଭୋଗ ଓ ବନ୍ଦାପନା କରନ୍ତି।ଏହାପରେ ଉତ୍ସବ ପ୍ରତିମା ମାନଙ୍କୁ ଶ୍ରୀମନ୍ଦିରକୁ ଫେରେଇ ଆଣି ସ୍ୱସ୍ଥାନରେ ରଖାଯାଏ।
ଫଗୁ ଦଶମୀ ଠାରୁ ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ଚାଚେରୀ ଭୋଗ ଅର୍ପଣ କରାଯାଏ।ଏହି ଦିନ ମାନଙ୍କରେ ଚଳନ୍ତି ବିଗ୍ରହ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରିଥାନ୍ତି।ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ଦୋଳବେଦୀ ଠାରେ ହୋଲିକା ଦାହ ଶ୍ରୀ ପଞ୍ଚ ମହାଦେବ ବା ପଞ୍ଚ ପାଣ୍ଡବ ଙ୍କ ସହ ସମାହିତ ହୁଏ।ଦୋଳ ପୂର୍ଣ୍ଣିମା ଦିନ ଦୋଳବେଦୀ ରେ ଦୋଳଉତ୍ସଵ ସହ ହୋଲିଦିନ ନରେନ୍ଦ୍ର ପୁଷ୍କରିଣୀ ଠାରେ ବେଣ୍ଟ ନୀତି ପରେ ବସନ୍ତ ଗୁଣ୍ଡିଚା ଉତ୍ସବ ସମାହିତ ହୋଇଥାଏ।