ହକି ବିଶ୍ୱକପରେ ଆଜି ବେଲଜିୟମ-ଜର୍ମାନୀ ଟାଇଟଲ ଲଢ଼େଇ , ଗୋଲ୍ଡେନ ଟ୍ରିପଲ ଲକ୍ଷ୍ୟରେ ରେଡ୍ ଲାୟନ୍ସ | News Room Odisha

ହକି ବିଶ୍ୱକପରେ ଆଜି ବେଲଜିୟମ-ଜର୍ମାନୀ ଟାଇଟଲ ଲଢ଼େଇ , ଗୋଲ୍ଡେନ ଟ୍ରିପଲ ଲକ୍ଷ୍ୟରେ ରେଡ୍ ଲାୟନ୍ସ

ଭୁବନେଶ୍ୱର – ହକି ବିଶ୍ୱକପରେ ଆଜି ଟାଇଟଲ ଲଢେଇ । ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ଓ ଦୁଇଥରର ଚାମ୍ପିଅନ ଜର୍ମାନୀ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ । କଳିଙ୍ଗରେ ୨୦୧୮ର ସଫଳତା ଦୋହରାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବେଲଜିୟମ । ଏଥର ଟାଇଟଲ ଜିତିଲେ ବେଲଜିୟମ ବିରଳ ଗୋଲ୍ଡେନ ଟ୍ରିପଲ ହାସଲ କରିବ । ୨୦୧୮ରେ କଳିଙ୍ଗରେ ହିଁ ପ୍ରଥମ ବିଶ୍ୱ ଟାଇଟଲ ହାସଲ କରିଥିଲା ବେଲଜିୟମ । ଏହାପରେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲା ବେଲଜିୟମ। ସେପଟେ ଜର୍ମାନୀ ତୃତୀୟ ବିଶ୍ୱକପ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି । ଏଥର ଗ୍ରୁପ ପର୍ଯ୍ୟାୟରେ ଉଭୟ ଦଳ ଗ୍ରୁପ ‘ବି’ରେ ହିଁ ରହିଥିଲେ । ଦୁଇ ଦଳ ମଧ୍ୟରେ ମ୍ୟାଚ ଡ୍ର ରହିଥିଲା । ଉନ୍ନତ ଗୋଲ ବ୍ୟବଧାନ ଯୋଗୁଁ ବେଲଜିୟମ ଗ୍ରୁପ ଟପ୍ପର ହୋଇଥିଲା ।

କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପ୍ରଥମ ସେମିଫାଇନାଲରେ ଜର୍ମାନୀ ଟାଇଟଲ ଦାବିଦାର ତଥା ତିନି ଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇ ୧୩ ବର୍ଷ ପରେ ଟାଇଟଲ ମୁକାବିଲାକୁ ଉନ୍ନୀତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲରେ ଗତଥରର ଚାମ୍ପିଅନ ବେଲଜିୟମ ସୁଟଆଉଟରେ ନେଦରଲାଣ୍ଡ୍‌ସକୁ ୩-୨ରେ ହରାଇଛି । ନିର୍ଦ୍ଧାରିତ ସମୟରେ ସ୍କୋର ୨-୨ ରହିବା ପରେ ବେଲଜିୟମ ସୁଟଆଉଟରେ ବାଜି ମାରିନେଇଥିଲା । ଏହି ମ୍ୟାଚ୍ ୨୦୧୮ ସଂସ୍କରଣ ଫାଇନାଲର ପୁନରାବୃତ୍ତି ଥିଲା । ୨୦୧୮ ବିଶ୍ବକପ ଫାାଇନାଲରେ ମଧ୍ୟ ବେଲଜିୟମ ଠାରୁ ହାରିଥିଲା ନେଦରଲାଣ୍ଡ୍ସ । ଆଜି ଫାଇନାଲ ମ୍ୟାଚ ପୂର୍ବରୁ ସେମିଫାଇନାଲରେ ଦୁଇ ପରାଜିତ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ବ୍ରୋଞ୍ଜ ପଦକ ପାଇଁ ଖେଳିବେ ।