ଅଭିଯୁକ୍ତ ଏସ୍‌ଆଇଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା: ପତ୍ନୀ, ପୁଅ | News Room Odisha

ଅଭିଯୁକ୍ତ ଏସ୍‌ଆଇଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା: ପତ୍ନୀ, ପୁଅ

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ଘଟଣାର ଅଭିଯୁକ୍ତ ପୁଲିସ ଏସ୍‌ଆଇ ଗୋପାଳକ୍ରିଷ୍ଣା ଦାସ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ବାସିନ୍ଦା ବୋଲି ଜଣାଯାଇଛି। ତାଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଗତ ୭-୮ ବର୍ଷ ହେବ ସେ ମାନସିକ ଅସୁସ୍ଥତା ନିମନ୍ତେ ଚିକିତ୍ସିତ ହେଉଥିଲେ ବୋଲି ସ୍ବୀକାର କରିଛନ୍ତି ତାଙ୍କ ପତ୍ନୀ ଜୟନ୍ତୀ ଦାସ। ଗୋପାଳଙ୍କ ପତ୍ନୀ ଆହୁରି କହିଛନ୍ତି ଯେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରୁ ଖବର ଶୁଣି ମୁଁ ହତଚକିତ। କଣ ହୋଇଛି ମୁଁ ବି ଜାଣିପାରୁନି। ଆଜି ମୁଁ ସ୍ୱାମୀଙ୍କ ସହ କଥା ହୋଇପାରିନି। ଦିନ ୧୧ଟା- ୧୨ଟା ବେଳେ ଝିଅକୁ ଭିଡିଓ କଲ୍ କରିଥିଲେ। ମାତ୍ର ତୁରନ୍ତ ଆଉ ଏକ ଫୋନ୍ ଆସୁଛି କହି କାଟି ଦେଇଥିଲେ। ତାଙ୍କର ମାନସିକ ଅବସ୍ଥା ଟିକେ ଖରାପ ଥିଲା। ସେଥିପାଇଁ ‘ଦ ମାଇଣ୍ଡ୍’ରେ ୭ – ୮ ବର୍ଷ ହେବ ଚିକିତ୍ସିତ ହେଉଥିଲେ। ଔଷଧ ଖାଇ ସାଧାରଣ ଭାବେ ଡ୍ୟୁଟି କରୁଥିଲେ। ସ୍ଵାଭାବିକ ଭାବେ ଚଳପ୍ରଚଳ କରୁଥିଲେ, କୌଣସି ଉତ୍ତେଜନା ବା ଉତ୍ତ୍ୟକ୍ତ ହାବଭାବ ନଥିଲା। ୪ – ୫ ମାସ ତଳେ ସେ ଘରକୁ ଆସିଥିଲେ, ବେଶ୍ ସ୍ବାଭାବିକ ଥିଲେ। ମନ୍ତ୍ରୀଙ୍କ ସହ କୌଣସି ଶତୃତା ବାବଦରେ ମୁଁ ଜାଣିନାହିଁ ବୋଲି କହିଛନ୍ତି ଅଭିଯୁକ୍ତ ଏସ୍ଆଇଙ୍କ ପତ୍ନୀ ଜୟନ୍ତୀ ଦାସ। ଏ ଖବର ଶୁଣି ମୋ ପିଲାମାନେ ମଧ୍ୟ ଚିନ୍ତାରେ ଅଛନ୍ତି ବୋଲି କହିଛନ୍ତି ଗୋପାଳଙ୍କ ପତ୍ନୀ।

ସମାନ କଥା କହିଛନ୍ତି ଗୋପାଳଙ୍କ ସାନ ପୁଅ ମନୋଜ ଦାସ। ସେ କହିଛନ୍ତି ଯେ ମୁଁ ନିଜେ ଜାଣିପାରୁନି କଣ ହୋଇଛି। ତାଙ୍କର ଟିକେ ମୁଣ୍ଡ ଖରାପ ଥିଲା। ସେ ୪ ମାସ ହେଲା ଛୁଟି ମାଗୁଥିଲେ, ମାତ୍ର ମିଳୁ ନଥିଲା। ଛୁଟି ସରି ଯାଇଥିଲା ବୋଲି କହି ତାଙ୍କ ଉପରିସ୍ଥ ଅଧିକାରୀ ଛୁଟି ଦେଇ ନଥିଲେ। ଅନେକ ଥର ଅନୁରୋଧ କରିଥିଲୁ ଯେ ଛୁଟି ଦିଅନ୍ତୁ, ବାପାଙ୍କ ଟିକେ ଚିକିତ୍ସା କରାଇନେବୁ, ହେଲେ ମିଳି ନଥିଲା ବୋଲି କହିଛନ୍ତି ମନୋଜ ଦାସ।

ଉଲ୍ଲେଖନୀୟ ଯେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ବାସିନ୍ଦା ଗୋପାଳ ଦାସ ଜଣେ ଫୁଟ୍‌ବଲ୍‌ ଖେଳାଳି ଭାବେ ପରିଚିତ। ପଦୋନ୍ନତି ସହ ଝାରସୁଗୁଡ଼ା ପୁଲିସ ଜିଲ୍ଲାକୁ ତାଙ୍କର ବଦଳି ହୋଇଥିଲା। ସେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ (ପିଏସ୍ଓ) ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ବୋଲି ଜଣାଯାଇଛି। ସେ ମାନସିକ ଚିକିତ୍ସା ସହ କାର୍ବୋଲିଥ୍ ଏସ୍‌ଆର୍ ୪୦୦, କ୍ଲୋନାଫିଟ୍ ୦.୫୦ ଏମଡି, ରିସପଟ୍ଲସ୍ ଆଦି ଔଷଧ ଖାଉଥିଲେ ବୋଲି କହିଛନ୍ତି ତାଙ୍କ ପୁଅ ମନୋଜ।