ଏପ୍ରିଲ୍‌ରୁ ଗଞ୍ଜାମରେ ପୋଷଣଯୁକ୍ତ ଚାଉଳ ବଣ୍ଟନ  | News Room Odisha

ଏପ୍ରିଲ୍‌ରୁ ଗଞ୍ଜାମରେ ପୋଷଣଯୁକ୍ତ ଚାଉଳ ବଣ୍ଟନ 

ବ୍ରହ୍ମପୁର: ଦେଶରେ ଅପପୁଷ୍ଟି ସମସ୍ୟା ସମାଧାନ ଲାଗି ଲାଗୁ ହେବାକୁ ଯାଉଛି ଏକ ନୂଆ ସ୍କିମ୍। ଏଥି ଅନ୍ତର୍ଗତ ଆମ ରାଜ୍ୟର ଗଞ୍ଜାମ ସମେତ ୧୦ଟି ଜିଲ୍ଲାରେ ବିତରଣ କରାଯିବ ପୋଷଣଯୁକ୍ତ (ଫୋର୍ଟିଫାଏଡ୍) ଚାଉଳ। ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍) ଓ ସ୍ବତନ୍ତ୍ର ପୋଷଣ ଯୋଜନା (ଏସ୍ଏନ୍‌ପି) କ୍ଷେତ୍ରରେ ଆସନ୍ତା ଏପ୍ରିଲ୍ ମାସରୁ ଲାଗୁ ହେବ ଏହି ବ୍ୟବସ୍ଥା। ପର୍ଯ୍ୟାୟକ୍ରମେ ଏହା ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ଲାଗୁ କରାଯିବ। ମିଲରୁ ଚାଉଳ ଆସିବା ପରେ ସେଗୁଡ଼ିକୁ ଗୁଣ୍ଡ କରି ତାହାକୁ ପୌଷ୍ଟିକଯୁକ୍ତ କରିବା ପାଇଁ ସେଥିରେ ଆଇରନ୍‌, ଫଲିକ୍ ଏସିଡ୍ ସମେତ ଅନ୍ୟାନ୍ୟ ଭିଟାମିନ୍ ମିଶ୍ରଣ କରାଯିବ। ପରେ ପୁଣି ତାହାକୁ ଚାଉଳ ଦାନାରେ ପରିଣତ କରାଯାଇ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଫଳରେ ହିତାଧିକାରୀମାନେ ପାଉଥିବା ଖାଦ୍ୟଶସ୍ୟ ରୋଷେଇ କରି ଖାଇଲେ ତାହା ସେମାନଙ୍କ ଶରୀର ପାଇଁ ଅଧିକ ସ୍ବାସ୍ଥ୍ୟକର ହେବ।

ବର୍ତ୍ତମାନ ଦୈନିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ସାଧାରଣ ଚାଉଳରେ ପ୍ରସ୍ତୁତ ଭାତ ପରିବେଷଣ କରାଯାଉଛି। ତେବେ ଏପ୍ରିଲ୍ ମାସରୁ ତାହାକୁ ବନ୍ଦ କରି ପୋଷଣଯୁକ୍ତ ଚାଉଳରେ ରନ୍ଧା ଖାଦ୍ୟ ବଣ୍ଟାଯିବ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରମାନରେ ଶିଶୁମାନଙ୍କ ପାଇଁ ଗହମଭିତ୍ତିକ ପୋଷଣ ଯୋଜନା ସ୍ଥାନରେ ଉକ୍ତ ପୋଷଣଯୁକ୍ତ ଚାଉଳ ଖାଦ୍ୟ ପ୍ରଦାନ କରାଯି। ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୧୦୮୮୭ କ୍ୱିଣ୍ଟାଲ ଗହମ ବ୍ୟବହାର ହେଉଛି। ତେବେ ଶୀଘ୍ର ସମାନ ପରିମାଣର ପୋଷଣଯୁକ୍ତ ଚାଉଳ ବ୍ୟବହାର ହେବ। ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ପୋଷଣ ଯୋଜନା ସମେତ ସମସ୍ତ ଯୋଜନାରେ କେବଳ ପୋଷଣଯୁକ୍ତ ଫୋର୍ଟିଫାଏଡ୍) ଚାଉଳ ଯୋଗାଇ ଦିଆଯିବ। ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏପ୍ରିଲ୍ ମାସରୁ ହିଁ ପୋଷଣଯୁକ୍ତ ଚାଉଳର ବଣ୍ଟନ ଆରମ୍ଭ ହେବ। ଆଗୁଆ ପ୍ରସ୍ତୁତି ସ୍ବରୂପ ଏହି ସ୍କିମ୍ ନିମନ୍ତେ ଅନ୍ତର୍ଭୁକ୍ତ ମିଲ୍ ମାଲିକଙ୍କୁ ଚାଉଳ ପୋଷଣଯୁକ୍ତ କରିବା ପାଇଁ ଆବଶ୍ୟକ ମେସିନ୍ ନିର୍ଦ୍ଧାରିତ ସମୟ ସୁଦ୍ଧା ସ୍ଥାପନ କରିବାକୁ କୁହାଯାଇଛି। ଏପରିକି ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁରସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋରେ ଏ ନେଇ ମିଲ୍ ମାଲିକମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି।

ଦେଶରୁ ଅପପୁଷ୍ଟି ଦୂର କରିବା ଲକ୍ଷ୍ୟରେ ସରକାର ଏହି ନୂଆ ବ୍ୟବସ୍ଥା ଆସନ୍ତା ୨ ମାସ ପରେ ୧୦ ଜିଲ୍ଲା ଓ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରାଯିବ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଅଧିକାଂଶ ମହିଳା ରକ୍ତହୀନତା ଓ ସର୍ବାଧିକ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ବିଶେଷ କରି ୫ ବର୍ଷରୁ କମ୍ ବୟସର ପିଲାଙ୍କ ମୃତ୍ୟୁ ହାରର ୬୮ ପ୍ରତିଶତର କାରଣ ହେଉଛି କେବଳ ଅପପୁଷ୍ଟି ରୋଗ। ଏଣୁ ଜନସାଧାରଣଙ୍କ ଏଭଳି ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ସରକାର ଏଣିକି ଗୋଟିଏ ପରେ ଗୋଟିଏ ଯୋଜନାରେ ଏହାକୁ ସାମିଲ କରାଇ ପୋଷଣଯୁକ୍ତ ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।