ଆଜି ଆସିବ ୨୦୨୩-୨୪ ବର୍ଷର ବଜେଟ, ମଧ୍ୟବିତ୍ତଙ୍କୁ ମିଳିପାରେ ରିହାତି  | News Room Odisha

ଆଜି ଆସିବ ୨୦୨୩-୨୪ ବର୍ଷର ବଜେଟ, ମଧ୍ୟବିତ୍ତଙ୍କୁ ମିଳିପାରେ ରିହାତି 

ନୂଆଦିଲ୍ଲୀ – ଆଜି ସଂସଦରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାକିରିଆ, ମହିଳା, ଶିଳ୍ପ ଓ ଉଦ୍ୟୋଗ ଜଗତର ବ୍ୟକ୍ତିମାନେ ଅନେକ କିଛି ଆଶା ରଖିଛନ୍ତି। ଏ ବର୍ଷ ୯ଟି ରାଜ୍ୟରେ ନିର୍ବାଚନ ଥିବାବେଳେ ୨୦୨୪ରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ସବୁବର୍ଗର ବ୍ୟକ୍ତିଙ୍କୁ ଖୁସି କରିବା ପାଇଁ ବଜେଟ ଜରିଆରେ ପ୍ରୟାସ କରିପାରନ୍ତି।

ଏଥର ବଜେଟରେ ସରକାର ବିଭିନ୍ନ ସାମାଜିକ ଜନକଲ୍ୟାଣକାରୀ ଯୋଜନା ଘୋଷଣା ସହିତ ବେତନଭୋଗୀ ମଧ୍ୟବିତ୍ତ ଶ୍ରେଣୀରେ ଲୋକଙ୍କୁ ଟିକସ ରିହାତି ଦେବାର ସମ୍ଭାବନା ରହିଛି। ଉଦ୍ୟୋଗୀମାନଙ୍କୁ ବି ପ୍ରୋତ୍ସାହନ ମିଳିପାରେ। ଦେଶକୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ସେ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହିତ ଘରୋଇ ଜେଟ୍‌, ହେଲିକପ୍ଟର, ଦାମୀ ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଗହଣା ଆଦି ଉପରେ ଆମଦାନି ଶୁଳ୍କ ବଢ଼ାଇପାରନ୍ତି ସରକାର । ଅର୍ଥମନ୍ତ୍ରୀ ଗ୍ରାମୀଣ ନିଯୁକ୍ତି, ଫସଲ ବୀମା, ଗ୍ରାମୀଣ ସଡ଼କ ଏବଂ ଗୃହ ନିର୍ମାଣ ଆଦିକୁ ପ୍ରାଧାନ୍ୟ ଦେଇପାରନ୍ତି।

ଲୋକଙ୍କ ହାତରେ ଅଧିକ ନଗଦ ଅର୍ଥ ଉପଲବ୍ଧ କରାଇବା ପାଇଁ ଅର୍ଥମନ୍ତ୍ରୀ ବଜେଟ୍‌ରେ ଟିକସଦାତାମାନଙ୍କୁ ଧାରା ୮୦ ସି ଅଧୀନରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସୁବିଧା ପ୍ରଦାନ କରିପାରନ୍ତି। ଆୟକର ଲାଗୁ ସୀମା ଅଢ଼େଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା କରିବା ଏବଂ ସର୍ବୋଚ୍ଚ ଟିକସ ହାରକୁ ୩୦ ପ୍ରତିଶତ ପରିବର୍ତ୍ତେ ୨୫ ପ୍ରତିଶତକୁ ହ୍ରାସ ନେଇ ଆଶା ରଖାଯାଇଛି।

ବଜେଟରେ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଫୋକସ ରହିପାରେ । ପୁଞ୍ଜି ବ୍ୟୟବରାଦକୁ ବଢ଼ାଯାଇପାରେ। ଅନ୍ୟପକ୍ଷରେ ବିଶ୍ବର ସାଂପ୍ରତିକ ଅର୍ଥନୈତିକ ଦୃଶ୍ୟପଟକୁ ଦେଖିଲେ ଅର୍ଥମନ୍ତ୍ରୀଙ୍କ ସମ୍ମୁଖରେ ଅନେକ ଆହ୍ବାନ ରହିଛି।