କିମ୍ବଦନ୍ତୀ ଅଭିନେତା ଓ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ଦେହାନ୍ତ | News Room Odisha

କିମ୍ବଦନ୍ତୀ ଅଭିନେତା ଓ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ଦେହାନ୍ତ

ହାଇଦ୍ରାବାଦ – ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା କେ. ବିଶ୍ୱନାଥ ଆଉ ନାହାନ୍ତି। ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବୟସାଧିକ ଅସୁସ୍ଥତା ଯୋଗୁଁ ବିଶ୍ଵନାଥ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।

ଦାଦା ସାହେବ ଫାଲକେ ବିଜେତା ବିଶ୍ଵନାଥ ଅନେକ ତେଲେଗୁ ଓ ହିନ୍ଦି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସର୍ବକାଳୀନ ଲୋକପ୍ରିୟ ଓ ଶ୍ରେଷ୍ଠ ତେଲେଗୁ ଫିଲ୍ମ ମଧ୍ୟରେ ଅନ୍ୟତମ ‘ଶଙ୍କରାଭରଣମ’ର ସେ ଥିଲେ ନିର୍ଦ୍ଦେଶକ । ୧୯୮୦ରେ ରିଲିଜ ହୋଇଥିବା ଏହି ଫିଲ୍ମ ତେଲେଗୁ ଫିଲ୍ମକୁ ଦେଇଥିଲା ଏକ ନୂଆ ପରିଚୟ । ଜଣେ ଅଡିଓଗ୍ରାଫର ଭାବେ କ୍ୟାରିୟର ଆରମ୍ଭ କରିଥିବା ବିଶ୍ୱନାଥ ୫୦ରୁ ଅଧିକ ତେଲେଗୁ ଓ ହିନ୍ଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଶଙ୍କରାଭରଣମ ସମେତ ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଚର୍ଚ୍ଚିତ ଓ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ସ୍ୱାତୀ ମୁଥ୍ୟମ, ସପ୍ତପଦୀ, ସାଗର ସଙ୍ଗମମ୍, ସ୍ୱୟମକୃଷି, ସ୍ୱର୍ଣ୍ଣ କମଳମ ପ୍ରମୁଖ । ବିଶ୍ୱନାଥ ସରଗମ, କାମଚୋର, ଶୁଭକାମନା, ଜାଗ ଉଠା ଇନସାନ, ସଂଯୋଗ, ଈଶ୍ୱର, ସଂଗୀତ ଭଳି ହିନ୍ଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହାଛଡା ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ ମଧ୍ୟ କରିଛନ୍ତି। ୨୦୧୬ରେ ତାଙ୍କୁ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା।