ଜୟଙ୍କ ପୁଲିସ ବିରୋଧୀ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ନିନ୍ଦା  | News Room Odisha

ଜୟଙ୍କ ପୁଲିସ ବିରୋଧୀ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ନିନ୍ଦା 

ସମ୍ବଲପୁର : ନବ ଦାସଙ୍କ ହତ୍ୟା ପରିପ୍ରେକ୍ଷୀରେ ପୁଲିସ ବିରୋଧରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ବିବାଦ ତେଜିବାରେ ଲାଗିଛି। ଗତ ଦୁଇଦିନ ହେଲା ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି। ଗତକାଲି ରାଜ୍ୟ ପୁଲିସ ହାବିଲଦାର ଓ କନେଷ୍ଟବଳ ମହାସଂଘ ଶ୍ରୀ ମିଶ୍ରଙ୍କୁ ବିରୋଧ କରିଥିବା ବେଳେ ସମ୍ବଲପୁର ଜିଲ୍ଲା ସଂଘ ବି ସାମ୍ବାଦିକ ସମ୍ମିଳନୀ କରି ବିରୋଧ କରିଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତନ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଡ. ପ୍ରମୋଦ ରଥ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମିଶ୍ରଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ଏଭଳି ମନ୍ତବ୍ୟରୁ ଶ୍ରୀ ମିଶ୍ର କ୍ଷାନ୍ତ ରହିବା ସହିତ ଏହାର ରାଜନୈତିକ କରଣ ନ କରିବାକୁ ଆହ୍ବାନ ଦେଇଛନ୍ତି।

ନବ ଦାସଙ୍କ ହତ୍ୟା ଘଟଣା ପରେ ଜୟ ବାରମ୍ବାର ପୁଲିସ ଉପରେ ନକରାତ୍ମକ ମନ୍ତବ୍ୟ ଦେଇ ଆସିଛନ୍ତି। ଏପରିକି ପୁଲିସ ଉପରେ ଆଦୌ ଭରସା ନଥିବା ଦର୍ଶ।ଇ ସେ ତାଙ୍କ ଦୁଇ ପିଏସଓଙ୍କୁ ମଧ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ତେବେ, ଏହାକୁ ଗତକାଲି ରାଜ୍ୟ ପୁଲିସ ହାବିଲଦାର ଓ କନେଷ୍ଟବଳ ମହାସଂଘ ବିରୋଧ କରି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଶ୍ରୀ ମିଶ୍ରଙ୍କୁ ଆହ୍ବାନ ଦେଇଥିଲା। ଏହାଦ୍ବାରା ପୁଲିସର ମନୋବଳ ଭାଙ୍ଗିବାର ଆଶଙ୍କା ଥିବା ସଂଘ ଦର୍ଶ।ଇଥିଲା। ଡୁୟଟି ବେଳେ ନିଜ ଜୀବନକୁ ବାଜି ଲଗାଉଥିବା ପୁଲିସ ପ୍ରତି ଏଭଳି ମନ୍ତବ୍ୟ ଦୁର୍ଭ।ଗ୍ୟଜନକ ବୋଲି ସଂଘ ପ୍ରକାଶ କରିଥିଲା। ସେପଟେ, ଜିଲ୍ଲା ସଂଘ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଅନୁରୂପ ମନ୍ତବ୍ୟ ଦେଇଥିଲା। ଏଭଳି ସ୍ଥିତିରେ ଡ. ପ୍ରମୋଦ ରଥ ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମିଶ୍ରଙ୍କ ଉପରେ ବର୍ଷିଛନ୍ତି। ଡ. ରଥ କହିଛନ୍ତି ଯେ, ନବ ଦାସଙ୍କ ବିୟୋଗ ନିହାତି ଭାବେ ଏକ ଦୁଖଦାୟକ ଘଟଣା। ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏଏସଆଇ ପୁଲିସ ଗୁଳି କରି ହତ୍ୟା କରିବା ଘଟଣା ନିନ୍ଦନୀୟ। ହେଲେ ଗୋପାଳ ଦାସକୁ ଓଡିଶାର ସମସ୍ତ ପୋଲିସ ମାନଙ୍କ ପ୍ରତିନିଧି ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଅନେକ ପୋଲିସ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜୀବନକୁ ବଳି ଦେଉଛନ୍ତି। ଏଠାରେ ବିଗତ ଦିନରେ ଜନସାଧାରଣଙ୍କ ସୁରକ୍ଷା ଦ୍ରୁଷ୍ଟିରୁ ନକ୍ସଲବାଦୀ ଏବଂ ମାଓବାଦୀମାନଙ୍କ ମୁକାବିଲା କରି ଶତାଧିକ ଶହିଦ ହୋଇଛନ୍ତି। ଏହାସହ ଭୟଙ୍କର କରୋନା ସମୟରେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରି ପଚାଶରୁ ଅଧିକ ପୁଲିସ କର୍ମଚାରୀ ଜୀବନ ହାରିଛନ୍ତି। ଏହା କଣ ତାଙ୍କର କର୍ତ୍ତବ୍ୟନିଷ୍ଠାର ପ୍ରମାଣ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଲିସ ପ୍ରତି ଲୋକଙ୍କ ବିଶ୍ବାସ କମିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ଡ. ରଥ ପ୍ରକାଶ କରିଛନ୍ତି। ଏଥିପାଇଁ ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରି ତଦନ୍ତରେ ସହଯୋଗ କଲେ ସତ ପଦାକୁ ଆସିବ। ଆଉ ଶ୍ରୀ ମିଶ୍ରଙ୍କ ପାଖରେ ଯଦି କୌଣସି ପ୍ରମାଣ ଅଛି ତାହେଲେ ସେ ତଦନ୍ତକାରୀ ଟିମକୁ ପ୍ରଦାନ କରନ୍ତୁ ବୋଲି ଡ. ରଥ ଆହ୍ବାନ ଦେଇଛନ୍ତି।