ପୁଣି ଆରମ୍ଭ ହେବ କଟକ-ଭୁବନେଶ୍ୱର ମହିଳା ବସ୍ ସେବା | News Room Odisha

ପୁଣି ଆରମ୍ଭ ହେବ କଟକ-ଭୁବନେଶ୍ୱର ମହିଳା ବସ୍ ସେବା

ଭୁବନେଶ୍ବର – କଟକ ଓ ଭୁବନେଶ୍ବର ମଧ୍ୟରେ ଖୁବ୍‌ଶୀଘ୍ର ମହିଳା ବସ୍‌ ସେବା ପୁଣି ଆରମ୍ଭ ହେବ । ଏହି ବସ୍‌ ସେବା ପୁନଃ ଆରମ୍ଭ କରିବାକୁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୩ରେ ରାଜ୍ୟ ସରକାର ଏହି ସେବା ଆରମ୍ଭ କରିଥିଲେ। ସେହି ସମୟରେ ଏହା ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା। କିନ୍ତୁ ଅଜ୍ଞାତ କାରଣରୁ ରାଜ୍ୟ ପରିବହନ ବିଭାଗ ଏହାକୁ ବନ୍ଦ କରିଦେଇଥିଲା।

ବର୍ତ୍ତମାନ ପରିସ୍ଥିତିରେ କଟକ ଏବଂ ଭୁବନେଶ୍ବରର ବହୁ ମହିଳା ପାଠ ପଢିବା ହେଉ କିମ୍ବା ଚାକିରି ପାଇଁ ଦୁଇ ସହରକୁ ଯାତ୍ରା କରୁଛନ୍ତି। ଏ ଦୃଷ୍ଟିରୁ ବର୍ତ୍ତମାନ ସ୍ବତନ୍ତ୍ର ମହିଳା ବସ୍‌ ସେବା ନିହାତି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବହୁ ଅଭିଯୋଗ ଆସିଛି। ଏସବୁ ଅନୁଧ୍ୟାନ କରାଯିବା ପରେ ପୁଣିଥରେ କଟକ ଓ ଭୁବନେଶ୍ବର ମଧ୍ୟରେ ସ୍ବତନ୍ତ୍ର ମହିଳା ବସ୍‌ ସେବା ଯୋଗାଇଦେବାକୁ ଯୋଜନା କରାଯାଇଛି । ରାଜ୍ୟ ସଡକ ପରିବହନ ନିଗମ ଏହି ସେବା ଯୋଗାଇବ ।