ନାରୀ ଶକ୍ତି ଅତୁଳନୀୟ: ରାଷ୍ଟ୍ରପତି, ରମାଦେବୀ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ  | News Room Odisha

ନାରୀ ଶକ୍ତି ଅତୁଳନୀୟ: ରାଷ୍ଟ୍ରପତି, ରମାଦେବୀ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ 

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଦୁଇଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନ ଶୁକ୍ରବାର ଅପରାହ୍ନରେ ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି। ନିଜ ଉଦବୋଧନରେ ଛାତ୍ରୀମାନଙ୍କୁ ତଥା ନାରୀ ଶକ୍ତିକୁ ଆହ୍ବାନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ନିଜ ଉପରେ ଆସ୍ଥା ଓ ଦୃଢ଼ ବିଶ୍ୱାସ ରଖିଲେ ଜଣେ ସଫଳତା ପାଇପାରିବ। ନାରୀ ଓ ପୁରୁଷଙ୍କ ମଧ୍ୟରେ ବିଶେଷ ଫରକ ନାହିଁ। ଶାରୀରିକ ଗଠନକୁ ବାଦ୍ ଦେଲେ ଶକ୍ତି ଓ ସାମର୍ଥ୍ୟରେ ଉଭୟ ନାରୀ ଓ ପୁରୁଷ ଏକା। ପ୍ରତିରକ୍ଷା କ୍ଷେତ୍ରରେ ଆଜି ଆମ ଦେଶର ନାରୀ ଶକ୍ତି ବେଶ୍ ଅଗ୍ରଣୀ। ନାରୀ ଶକ୍ତି ଅତୁଳନୀୟ। ନାରୀ ସଶକ୍ତୀକରଣ ଆଜି କେବଳ ସ୍ଲୋଗାନ ହୋଇ ରହିନି, ବରଂ ଆଜି ଏହା ବାସ୍ତବତାରେ ପରିଣତ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ଶିକ୍ଷାନୁଷ୍ଠାନରେ ନିଜ ଛାତ୍ରୀ ଜୀବନର ସେ ସ୍ମୃତିଚାରଣ ମଧ୍ୟ କରିଥିଲେ। ୪୨ ବର୍ଷ ପୂର୍ବର କଲେଜ ଦିନ କଥା ମନେ ପକାଇ ସେ କହିଥିଲେ ଯେ ଏଠି ମଜୁରିଆର ଝିଅରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଝିଅ ପଢୁଥିଲେ। ସମସ୍ତେ ଏକ ସମାନ ଥିଲେ, ଗୋଟିଏ ଚେୟାରରେ ବସୁଥିଲେ। ସେ ଦିନର ସୁଗନ୍ଧ ଓ ମହକ ଆଜି ବି ମୋ ସ୍ମୃତିରେ ରହିଛି। ନାରୀ ଶକ୍ତିକୁ ଆହୁରି ସଶକ୍ତ କରିବାକୁ ଆହ୍ବାନ ଦେବା ସହ ବିଶିଷ୍ଟ ମହିଳା ସ୍ବାଧୀନତା ସଂଗ୍ରାମୀ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ ରାଷ୍ଟ୍ରପତି।

ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ମଞ୍ଚାସୀନ ଥିଲେ। ବହୁ କୃତୀ ଓ ଡିଗ୍ରୀ ହାସଲକାରୀ ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା।