ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ ଚିଠା ପ୍ରସ୍ତାବ ଅନୁମୋଦନ, କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ | News Room Odisha

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ ଚିଠା ପ୍ରସ୍ତାବ ଅନୁମୋଦନ, କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିଛି । ମନ୍ତ୍ରୀ ପରିଷଦର ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବ ଅନୁମୋଦିତ ହୋଇଛି । ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଚିଠା ପ୍ରସ୍ତାବ ଅନୁମୋଦନ ଲାଭ କରିଛି। କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ ଯୋଗାଇବା ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଓଡ଼ିଶା ପେନସନ ରୁଲ ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଜେଲରେ କୌଣସି କାରଣରୁ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ୧୦୦ ସିଟ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଗଣଶିକ୍ଷା ବିଭାଗରେ ଛୁଟି ବା ଟ୍ରେନିଂରେ ଯିବା ପରେ ଖାଲି ପଡୁଥିବା ପଦବୀ ପୂରଣ ଲାଗି ଲିଭ୍ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ବିମାନ ଇନ୍ଧନରେ ଭାଟ୍ ୧%କୁ ହ୍ରାସ କରାଯାଇଛି ।

ଏମଏସଏମଇ ଉନ୍ନୟନ ନୀତି- ୨୦୧୬ରେ ସଂଶୋଧନ ହେବ । ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ଅଣାଯାଇଛି । ଭୁବନେଶ୍ୱରରେ ଜଳ ଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ୧୩୦ ମିଲିୟନ ଲିଟର କ୍ଷମତାବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ ଲାଗି ଟେଣ୍ଡରକୁ ଅନୁମୋଦନ କରିଛି କ୍ୟାବିନେଟ। ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜମି ଅନୁମୋଦନ କରିଛି କ୍ୟାବିନେଟ । ସେହିପରି ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଲ ବିଶ୍ବବିଦ୍ୟାଳୟ ରାଜ୍ୟ ସରକାର ଜମି ଯୋଗାଇବେ । ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି । ବିଭାଗର ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଛି । ଡ୍ରିମସ୍ ବିଶ୍ବବିଦ୍ୟାଳୟ ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।