ବିକାଶ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ଜିଲ୍ଲା ମଧ୍ୟରେ ପ୍ରତିଯୋଗିତା ହେଉ, ବେଞ୍ଚମାର୍କ ପ୍ରତିଷ୍ଠା ହେଉ : ମୁଖ୍ୟମନ୍ତ୍ରୀ | News Room Odisha

ବିକାଶ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ଜିଲ୍ଲା ମଧ୍ୟରେ ପ୍ରତିଯୋଗିତା ହେଉ, ବେଞ୍ଚମାର୍କ ପ୍ରତିଷ୍ଠା ହେଉ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଦୁଇଦିନିଆ ଜିଲ୍ଲାପାଳଙ୍କ ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀକୁ ଉଦବୋଧନ ଦେଇଛନ୍ତି। ଏହି ସମ୍ମିଳନୀରେ ବିଚାରବିମର୍ଶ ସରକାର ଙ୍କ ରୂପାନ୍ତରଣ ଉଦ୍ୟମକୁ ଅଧିକ କ୍ରିୟାଶୀଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ଯଥାସମ୍ଭବ କମ୍ ସମୟରେ କାର୍ଯ୍ୟକାରୀ ହେବା ସହ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ସେ ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉନ୍ନୟନ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ଜିଲ୍ଲା ମଧ୍ୟରେ ପ୍ରତିଯୋଗିତା ହେବା ସହ ଅନ୍ୟମାନଙ୍କ ପାଇଁ ବେଞ୍ଚ ମାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ରୂପାନ୍ତରଣ ପ୍ରକ୍ରିୟାରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କଠାରୁ ଆଗରେ ରହିଛି । କ୍ରୀଡା, ସ୍ୱାସ୍ଥ୍ୟସେବା, ସ୍କୁଲ ରୂପାନ୍ତରଣ , ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଶସ୍ୟ ଉତ୍ପାଦନ, କୋଭିଡ ପରିଚାଳନା ଭଳି କ୍ଷେତ୍ରର ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

୫-ଟି ଓ ‘ ମୋ ସରକାର’ ଭଳି ଦୁଇଟି ପ୍ରକ୍ରିୟା ଶାସନରେ ସ୍ୱଚ୍ଛତା ଆଣିପାରିଛି । ଏହାଦ୍ବାରା ଶାସନ କଳ ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ଉଦବେଗର କାରଣ ପାଲଟିଥିବା ସମସ୍ୟା ଖୋଜିବା ସହ ସହଜ ଓ ସରଳ ସମାଧାନ ପାଇଁ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ନବୀନ। କୃଷି ଓ ସହଯୋଗୀ କ୍ଷେତ୍ର ଗ୍ରାମୀଣ ଅଞ୍ଚଳରେ ଲୋକଙ୍କୁ ସର୍ବାଧିକ ନିଯୁକ୍ତି ପ୍ରଦାନ କରିଛି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିବା ସହ କୃଷି ଯନ୍ତ୍ରପାତି, ବିବିଧ ଶସ୍ୟ, ଉଦ୍ୟାନ କୃଷି ଓ ଫୁଲ ଚାଷ ଉପରେ ଅଧିକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ମିଲେଟ ମିଶନ ଏବେ ଜାତୀୟ ସ୍ତରରେ ବି କାର୍ଯ୍ୟକାରୀ କରାଯାଇଛି। ଗ୍ରାମୀଣ ଅର୍ଥନୀତିକୁ ସକ୍ରିୟ କରିବାର କ୍ଷମତା ରଖିଛି ମାଣ୍ଡିଆ । ଏ କ୍ଷେତ୍ରରେ ଆମର ଉତ୍କର୍ଷତା ଜାରି ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଶନ ଶକ୍ତି ଗ୍ରୁପଗୁଡିକୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ ଯୋଜନା, ସ୍କୁଲ ରୂପାନ୍ତରଣ, ପର୍ଯ୍ୟଟନ ବିକାଶ ଓ କ୍ରୀଡ଼ାକୁ ବିଶେଷ ଧ୍ୟାନ ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏକ ନୂଆ ଓ କ୍ଷମତା ସଂପନ୍ନ ଓଡ଼ିଶା ଗଠନ ପାଇଁ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ।

ସମ୍ମିଳନୀରେ କୋରାପୁଟ ଜିଲ୍ଲା ପ୍ରଶାସନର ମିଶନ ଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କକୁ ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।