ୟୁଟ୍ୟୁବର ସେଲିବ୍ରିଟି ବ୍ୟାଡ଼ମିଣ୍ଟନ, ଅଜା କିଚେନ ଚମ୍ପିୟନ | News Room Odisha

ୟୁଟ୍ୟୁବର ସେଲିବ୍ରିଟି ବ୍ୟାଡ଼ମିଣ୍ଟନ, ଅଜା କିଚେନ ଚମ୍ପିୟନ

ସମ୍ବଲପୁର : ୱେଷ୍ଟର୍ଣ୍ଣ ଓଡ଼ିଶା ୟୁଟ୍ୟୁବର୍ସ ଆସୋସିଏସନ ପକ୍ଷରୁ ଋବିବାର ସ୍ଥାନୀୟ ମହାନଦୀ କ୍ଲବ ଇନଡୋର ବ୍ୟାଡମିଣ୍ଟନ ହଲ୍‌ଠାରେ ୟୁଟ୍ୟୁବର ସେଲିବ୍ରିଟିମାନଙ୍କ ଏକ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଅଜା କିଚେନ’, ରେଢ଼ାଖୋଲ ଦଳ ବିଜେତା ଏବଂ ସମ୍ବଲପୁରିଆ ଟ୍ରାଭେଲ୍ସ, ସମ୍ବଲପୁର ଦଳ ଉପବିଜେତା ହୋଇଛି। ଫାଇନାଲ ମ୍ୟାଚରେ ଅଜା କିଚେନ ଦଳ ବିପକ୍ଷ ସମ୍ବଲପୁରିଆ ଟ୍ରାଭେଲ୍ସକୁ ଦୁଇଟି ସେଟ୍‌‌ ୧୫-୬ ଏବଂ ୧୫-୧୧ରେ ପରାଜିତ କରିଥିଲା। ଅଜା କିଚେନ ଦଳ ପକ୍ଷରୁ ସୁଧାଂଶୁ ଶେଖର ସାହୁ ଏବଂ ଜଣ୍ଟି ସାହୁ ଏବଂ ସମ୍ବଲପୁରିଆ ଟ୍ରାଭେଲ୍ସ ପକ୍ଷରୁ ଦୀପକ ହୋତା ଏବଂ ମହେନ୍ଦ୍ର ବଗର୍ତ୍ତି ଖେଳୁଥିଲେ। ସେମିଫାଇନାଲରେ ପାଣିନି ପ୍ରାଜ୍ଞ ପ୍ରଡକସନ, ସମ୍ବଲପୁର ତରଫରୁ ଖେଳୁଥିବା ପ୍ରମୋଦ ମହାପାତ୍ର ଏବଂ ଭାରତ ଗୌରବଙ୍କୁ ପରାଜିତ କରି ସମ୍ବଲପୁରିଆ ଟ୍ରାଭେଲ୍ସ ଏବଂ ୱେଷ୍ଣର୍ଣ୍ଣ ଲେଭେଲ ମ୍ୟୁଜିକ ତରଫରୁ ଅଙ୍କିତ ରାଜ ଏବଂ ମନୀଷକୁ ହରାଇ ଅଜା କିଚେନ ଦଳ ଫାଇନାଲକୁ ପ୍ରବେଶ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭାରତ ଗୌରବଙ୍କୁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଏବଂ ଯୋଗେଶ ଯୋଯୋଙ୍କୁ ଏଣ୍ଟରଟେନର ଅଫ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ପ୍ରଦାନ କରାଯାଇଥିଲା। ଟୁର୍ନାମେଣ୍ଟରେ ୧୮ଟି ୟୁଟ୍ୟୁବ ଚ୍ୟାନେଲ ଅଂଶଗ୍ରହଣ କରିଥିଲେ।

ଟୁର୍ଣ୍ଣାମେଣ୍ଟର ବିଭିନ୍ନ ପର୍ଯ୍ୟାୟରେ ଯୁବ ବିଜୁ ଜନତା ଦଳର ଜିଲା ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ଆମାଜିଙ୍ଗ ବେକର୍ସର ସତ୍ତ୍ବାଧିକାରୀ ଆଲିମ କାମ୍‌‌ଦାର, ସାମ୍ବାଦିକ ଜ୍ଞାନବ୍ରତ ଭୋଇ, ସୋଭିତ ଏଣ୍ଟରଟେନମେଣ୍ଟର ସତ୍ତ୍ବାଧିକାରୀ ସୁଧିର ଆଚାର୍ଯ୍ୟ, ସାମ୍ବାଦିକ ମୂରଲୀଧର ସେଠୀ, ସାମ୍ବାଦିକ ଦେବେନ ପଟେଲ, ସଙ୍ଗୀତ ନିର୍ଦେଶକ ନବ ମହତ୍ତମ, ହିନ୍ଦୁସ୍ଥାନ ଲୁବ୍ରିକେଣ୍ଟର ସତ୍ତ୍ବାଧିକାରୀ ନାରାୟଣ ଅଗ୍ରୱାଲ, ଶ୍ରୀରାଧା ମିଡିଆର ପ୍ରଯୋଜକ ସୁଧାଂଶୁ ଶେଖର ଦାସ ଏବଂ ମହାନଦୀ କ୍ଲବର ଯୁଗ୍ମ ସମ୍ପାଦକ ବିନୋଦ ବିହାରୀ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କୃତ କରିବା ସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।

ୱେଷ୍ଟର୍ଣ୍ଣ ଓଡ଼ିଶା ୟୁଟ୍ୟୁବର୍ସ ଆସୋସିଏସନର ସଭାପତି ପାଣିନି ପ୍ରାଜ୍ଞଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌‌ଘାଟନୀ ଉତ୍ସବରେ ସାଧାରଣ ସମ୍ପାଦକ ରାଜକିଶୋର ମଲ୍ଲିକ (ଆର.କେ ମିଡିଆ) ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ନାରାୟଣ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। କଳାକାରମାନଙ୍କ ମଧ୍ୟରେ ପ୍ରମୋଦ ମହାପାତ୍ର, ଭାରତ ଗୌରବ, ରୁକୁ ସୁନା, ଯୋଗେଶ ଯୋଯୋ, ଟିଙ୍କୁ ଟିଙ୍ଗାଲୁ, ଶାଶ୍ୱତ ତ୍ରିପାଠୀ, ସୁରେଶ ପ୍ରସାଦ, ଅଙ୍କିତ ରାଜ, କ୍ଷୀରୋଦ, ଲୋକେଶ, ଆରଜେ ମନିଷ, ସରୋଜ କୁମ୍ଭାର, ପ୍ରଶାନ୍ତ, ମାହିର, ଆକାଶ ପଟ୍ଟନାୟକ, ଦିଲ୍ଲୀପ ସାହୁ, ଜଗନ୍ନାଥ, ଶ୍ୱେତା, ସୁଜାତା, ଅଭିପ୍ସା ପ୍ରମୁଖ ଯୋଗ ଦେଇ ନିଜେ ଖେଳିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ବର୍ଷ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ସୋନପୁର ଜିଲା ଇନଡୋର ଷ୍ଟାଡିୟମଠାରେ କରାଯିବ ବୋଲି ଏହି ଅବସରରେ ଘୋଷଣା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତନୁ କୁମାର ହୋତା ବ୍ୟବସ୍ଥାପନା କରିଥିବାବେଳେ କାହ୍ନୁ, ଅର୍ଜୁନ, ଚିକୁ ପ୍ରମୁଖ ସହଯୋଗ କରିଥିଲେ। ଅମ୍ପାୟାର ଭାବେ ଉମେଶ ଚନ୍ଦ୍ର ପ୍ରଧାନ, ସୌରଭ କୁମାର ଭୂୟାଁ ଏବଂ ଲକ୍ଷ୍ମଣ ପ୍ରେମକ୍ରିଷ୍ଣା ଖେଳ ପରିଚାଳନା କରିଥିଲେ।