ଅନାଥାଶ୍ରମର କସ୍ତୁରୀର ହାତ ଧରିଲେ ଶିବା, ଆଦର୍ଶ ବିବାହରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ | News Room Odisha

ଅନାଥାଶ୍ରମର କସ୍ତୁରୀର ହାତ ଧରିଲେ ଶିବା, ଆଦର୍ଶ ବିବାହରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ

ସମ୍ବଲପୁର: ଜନ୍ମରୁ ମାତୃ ପିତୃ ପରିଚୟ ନ ଥିଲା। ଧନକଉଡାର ବାଳିକାଶ୍ରମର ଅଗଣାରେ ବଢି ମହକି ଉଠିଥିବା କସ୍ତୁରୀ ଆଜି ସିନ୍ଥିରେ ସିନ୍ଦୂର ବୋଳିଛି। ବୋହୁ ସାଜି ଆଜି ନିଜ ମାଁଘର ସାଜିଥିବା ଅନାଥାଶ୍ରମରୁ ତାର ଶାଶୁଘରକୁ ଯାଇଛି। କସ୍ତୁରି ଆଜି ଶିବା ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏହି ଆଦର୍ଶ ବିବାହରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି।

ସମ୍ବଲପୁରରେ ଆଜି ଅନାଥ ଝିଅ କସ୍ତୁରୀ ସହ ଶିବାର ଆଦର୍ଶ ବିବାହ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଗୁଡେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ଏହି ବିବାହରେ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇ ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ ଦେଇ ସେମାନଙ୍କ ବୈବାହିକ ଜୀବନର ଶୁଭକାମନା କରିଥିଲେ ।

ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଶୈବପୀଠ ଗୁଡେଶ୍ୱର ମନ୍ଦିରରେ ହେଉଥିଲା ବିବାହ ଉତ୍ସବ। ତେବେଏହା କୌଣସି ସାଧାରଣ ବିବାହ ନୁହେଁ। ଏହା ହେଉଛି ଜଣେ ଅନାଥ ଝିଅ କସ୍ତୁରୀ ମୁଣ୍ଡାର ବାହାଘର। ସମ୍ବଲପୁର ଧନକଉଡା ବାଳିକା ଆଶ୍ରମରେ ରହୁଥିବା କସ୍ତୁରୀର ବିବାହ ଶିବା ନାମକ ଜଣେ ଯୁବକ ସହିତ ସଂପନ୍ନ ହୋଇଛି।

ତେବେ ବିବାହ ପାଇଁ କନ୍ୟାପକ୍ଷଙ୍କ ଆବଶ୍ୟକ ଥିବା ବେଳେ ଏଥିପାଇଁ ସ୍ୱଇଚ୍ଛାରେ କନ୍ୟାଦାନ କରିବାକୁ ଆଗେଇ ଆସିଥିଲେ ସମ୍ବଲପୁର କ୍ଷେତରାଜପୁର ବାସିନ୍ଦା ଶମ୍ଭୁ ବରେଲିଆ ଓ ତାଙ୍କ ପତ୍ନୀ ସରିତା ବରେଲିଆ। ବରେଲିଆ ପରିବାରର କୌଣସି ଝିଅ ନଥିବାରୁ ତାଙ୍କୁ ଏପରି ସୁଯୋଗ ମିଳିଥିବାରୁ ପୁରା ପରିବାର ସହ ତାଙ୍କ ସବୁ ବନ୍ଧୁ ମାନେ ଉତ୍ସାହିତ ହୋଇ ବିବାହକୁ ଧୁମଧାମର ସହ ଆୟୋଜନ କରିଥିଲେ। ଝିଅକୁ ସବୁ ଘରକରଣା ସାମଗ୍ରୀ ସହ ସବୁ ଉପହାର ବିବାହ ଉପଲକ୍ଷେ ଦିଆଯାଇଛି। ଏଥିସହ ବିବାହରେ ଭୋଜିର ଆୟୋଜନ କରାଯାଇଥିବା ବେଳେ ଅତିଥିଙ୍କ ସତ୍କାର ପାଇଁ ସବୁ ବନ୍ଦୋବସ୍ତ କରାଯାଇଥିଲା। ଏହି ଆଦର୍ଶ ବିବାହରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ, ସଭ୍ୟ ଶିବଶଙ୍କର ନନ୍ଦ, ଯଦୁମଣୀ କୁମ୍ଭାର, କବିତା ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ନୂଆ ଜୀବନ ଗଢିବାକୁ ଯାଉଥିବା ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ ଦେଇଥିଲେ ।