ପୁଣି ସୀମା ଲଂଘିଲେ ଜୟନାରାୟଣ, ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ | News Room Odisha

ପୁଣି ସୀମା ଲଂଘିଲେ ଜୟନାରାୟଣ, ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ

ସମ୍ବଲପୁର: ବାରମ୍ବାର ଆଇନକୁ ହାତକୁ ନେଇ ବିବାଦରେ ରହି ଆସିଥିବା ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ସୀମା ଲଂଘିଛନ୍ତି। କାର୍ଯ୍ୟରତ ଜଣେ ମହିଳା ଆଇଆଇସିଙ୍କୁ ଆକ୍ରମଣ କରି ପୁଣି ବିବାଦରେ ଛନ୍ଦି ହୋଇଛନ୍ତି।

ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଆଜି ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସଭା ଚାଲୁଥିଲା। ଏଥିରେ ଜୟନାରାୟଣଙ୍କ ସମେତ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଏବଂ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ। ସଭା ପରେ ଜୟନାରାୟଣଙ୍କ ନେତୃତ୍ବରେ ଦଳୀୟ ନେତା ଓ କର୍ମୀ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ। ଫଳରେ ପୁଲିସ ବାଧା ଦେବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏତିକି ବେଳେ ଜୟନାରାୟଣ ହଠାତ ରାଗିଯାଇ ଧନୁପାଲି ଥାନାଧିକାରିଣୀ ଅନିତା ପ୍ରଧାନଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି। ନିଜେ ଶ୍ରୀମତି ପ୍ରଧାନ ଏନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହାକୁ ନେଇ ପୁଣି ଥରେ ଜୟନାରାୟଣ ବିବାଦ ଘେରକୁ ଆସିଥିବା ବେଳେ ବିରୋଧୀ ଦଳ ନେତା ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତିଙ୍କ ଏଭଳି ଆଚରଣକୁ ନେଇ ବିଜେପିକୁ ସମାଲୋଚନାର ଶିକାର ହେବାକୁ ପଡିଛି।