ଚାଷୀଙ୍କ ସହଯୋଗ ଯୋଗୁଁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇଛି : ମୁଖ୍ୟମନ୍ତ୍ରୀ | News Room Odisha

ଚାଷୀଙ୍କ ସହଯୋଗ ଯୋଗୁଁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି । ଏହା ବାସ୍ତବରେ ବହୁତ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଏଗୁଡିକ ସବୁ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ଅମୂଲ୍ୟ । ଜଳବାୟୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ପଡିବ ପାଣି ଉପରେ ଓ ଚାଷ ଉପରେ । ତେଣୁ ଜଳ ନଷ୍ଟ ନ କରି, ତାର ସୁବିନିଯୋଗ ଓ ସୁଷମ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ ସଂରକ୍ଷଣ, ପୁନଃ ବ୍ୟବହାର ଓ ପୁନଃ ଚକ୍ରିକରଣ, ଆମର ଲକ୍ଷ୍ୟ ହେବା ଦରକାର।

ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ଏଥିପାଇଁ ଜଳ ଭଳି ଅମୂଲ୍ୟ ସଂପଦ ଉପରେ ଗୁରୁତ୍ବ ଦେଇ ସେ ପାଣି ପଞ୍ଚାୟତ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଗତ କିଛି ବର୍ଷରେ କୋଭିଡ ପାଇଁ ସ୍ଥଗିତ ଥିବା ଏହି ପକ୍ଷ ପାଳନ ସମାରୋହ ଚଳିତ ବର୍ଷ ସେଚ ପରିଚାଳନରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ତୃଣମୂଳ ସ୍ତରରେ ଜଳ ବଣ୍ଟନରେ ସମାନତା ଆଣିବା ଉଦ୍ଧେଶ୍ୟରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି । ଏବେ ଅସମ୍ପୂର୍ଣ୍ଣ ଥିବା ବହୁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତ ମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ କୋଭିଡ ପରବର୍ତ୍ତୀ ସମୟରେ ଏହି ପାଣି ପଞ୍ଚାୟତ ପକ୍ଷ ୧୧୭ ଟି ଜଳସେଚନ ବିଭାଜନରେ ଏବଂ ୩୦ ଟି ଜିଲ୍ଲାରେ ସହଭାଗୀ ସେଚ ପରିଚାଳନାରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ନେଇ ଏହା ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି ।

ରାଜ୍ୟରେ ପାଣି ପଞ୍ଚାୟତର ପ୍ରଗତି ଯାତ୍ରାରେ ସେଚ ସହଭାଗିତା, ସେଚ ସହଭାଗିତା ପ୍ରଶିକ୍ଷଣ ସମ୍ବନ୍ଧୀୟ ପୁସ୍ତିକା “ସିଞ୍ଚିତା”, e-CAD ଅଧୀନରେ Infra ଏବଂ MIS Module ପରି application କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି ମୋଡ୍ୟୁଲ ପ୍ରକଳ୍ପଗୁଡିକର ବାସ୍ତବ ଓ ଆର୍ଥିକ ପ୍ରଗତିର ସଠିକ ସମୟରେ ପର୍ଯ୍ୟାଲୋଚନା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

ଆଜିର ଏହି ସମାରୋହରେ ବିଭିନ୍ନ ପ୍ରକଳ୍ପର ୪୦ ଗୋଟି ଶ୍ରେଷ୍ଠ ପାଣି ପଞ୍ଚାୟତ (ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ), ୩୦ ଜଣ ପ୍ରଗତିଶୀଳ କୃଷକ, ପ୍ରବନ୍ଧ, ବିତର୍କ, କୁଇଜ୍, ପେଣ୍ଟିଂ  ପ୍ରତିଯୋଗିତାର ୧୨ ଜଣ ବିଜେତା ତଥା ୧୨ ଟି ଶ୍ରେଷ୍ଠ ପ୍ରକଳ୍ପ ଏବଂ ୧୫ ଜଣ ଶ୍ରେଷ୍ଠ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବ୍ରହ୍ମଗିରି ମା ଜାଗୁଳାଇ ପାଣି ପଞ୍ଚାୟତର ଗୀତାରାଣୀ ସାହୁ ଓ ଯାଜପୁର ବଡଚଣାର ମା ବ୍ରାହ୍ମଣୀଦେବୀ ପାଣି ପଞ୍ଚାୟତର ନଳିନୀକାନ୍ତ ପୃଷ୍ଟି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି ପାଣି ପଞ୍ଚାୟତ ଜରିଆରେ ସେମାନେ କିପରି ସଫଳ ଜଳ ପରିଚାଳନା କରି ଚାଷରେ ଉନ୍ନତି ଆଣିପାରିଛନ୍ତି, ସେ ବିଷୟରେ ପ୍ରକାଶ କରିଥିଲେ ।

ସ୍ବାଗତ ଭାଷଣ ଦେଇ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଲେ ଯେ ମେଗାଲିଫ୍ଟ ପ୍ରକଳ୍ପ ମାନଙ୍କରେ ପାଣି ପଞ୍ଚାୟତ ଗଠନ କରିବା ପାଇଁ ପାଣି ପଞ୍ଚାୟତ ନିୟମରେ ସଂଶୋଧନ କରାଯିବା ସହିତ ୫ଟି ମାଧ୍ୟମରେ ଅନେକ ସଂସ୍କାରମୂଳକ ପଦକ୍ଷେପ ମାନ ନିଆଯାଇଛି ।

ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।