ବ୍ରହ୍ମପୁର ଓ ଆଖପାଖର ଅଷ୍ଟଶମ୍ଭୁ ପୀଠ ଚଳଚଞ୍ଚଳ | News Room Odisha

ବ୍ରହ୍ମପୁର ଓ ଆଖପାଖର ଅଷ୍ଟଶମ୍ଭୁ ପୀଠ ଚଳଚଞ୍ଚଳ

ବ୍ରହ୍ମପୁର: ପ୍ରାଚୀନ ମହୁରୀ ରାଜ୍ୟ ବା ବର୍ତ୍ତମାନର ବ୍ରହ୍ମପୁର ସହର ଓ ରଙ୍ଗେଇଲୁଣ୍ଡା ଅଞ୍ଚଳରେ ରହିଛି ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ଅଷ୍ଟଶମ୍ଭୁ ପୀଠ। ଏସବୁ ପୀଠ ବ୍ରହ୍ମପୁର ସହରର ଚତୁଃପାର୍ଶ୍ଵରେ ଅବସ୍ଥିତ। ସେଗୁଡ଼ିକ ହେଲା ଭାବିନୀପୁରର ସକଳେଶ୍ବର, ଲାଠିର ବ୍ରହ୍ମେଶ୍ବର, ସୁକୁଣ୍ଡାର ଗୋକର୍ଣ୍ଣେଶ୍ବର, ରାଳବର ଷଣ୍ଢେଶ୍ବର, ଗୋଳନ୍ଥରାର ଈଷାଣେଶ୍ବର, କୋଳଥିଗାଁର ଖୋଲେଶ୍ବର, ସୁନ୍ଦରପୁରର ସୁନ୍ଦରେଶ୍ବର ଏବଂ ଗଉଞ୍ଜୁର ସୋମେଶ୍ୱର ବା ଶାମ୍ବେଶ୍ବର । ଏସବୁ ପୀଠ ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି। ଭକ୍ତିମୟ ହୋଇ ଉଠିଛି ମନ୍ଦିର ପରିସର ଓ ଚତୁଃପାର୍ଶ୍ଵ ଅଞ୍ଚଳ।

ଜନଶ୍ରୁତି ମୁତାବକ ମହୁରୀ ରାଜା ଦିବ୍ୟସିଂହ ଦେବ ବିଭିନ୍ନ ସମୟରେ ସ୍ବପ୍ନାଦେଶ ପାଇ ଏସବୁ ମନ୍ଦିର ପ୍ରତିଷ୍ଠା କରିଥିଲ। ମହୁରୀ ରାଜା ପ୍ରତ୍ୟହ ଭୋରରେ ନିଜ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଘୋଡ଼ାରେ ବସି ଏସବୁ ଅଷ୍ଟଶମ୍ଭୁ ପୀଠ ଯାଇ ଠାକୁର ଦର୍ଶନ ଓ ପୂଜା କରୁଥିଲେ। ମହାଦେବଙ୍କ ପୂଜା ପାଇଁ ରାଜା ମାଳି ଓ ରାଉଳ ସମ୍ପ୍ରଦାୟର ପୂଜକମାନଙ୍କୁ ନିୟୋଜିତ କରିଥିଲେ।

ଭାବିନୀପୁରର ସକଳେଶ୍ବର ମନ୍ଦିରରେ ରହିଛି ନାଗେଶ୍ଵର ମନ୍ଦିର ଯେଉଁଠାରେ ବିରାଟ ଶିବଲିଙ୍ଗକୁ ଗୁଡ଼ାଇ ରହିଛି ଏକ ବିଶାଳ ସର୍ପ ମୂର୍ତ୍ତି। ମନ୍ଦିରରେ ଥିବା ଚମ୍ପା ଗଛରେ ଲୋକେ ନାଲି କପଡ଼ା ବାନ୍ଧି ମନୋସ୍କାମନା ପୂରଣ ପାଇଁ ଶିବଙ୍କୁ ପ୍ରାର୍ଥନା କରିଥାନ୍ତି। ଗୋକର୍ଣ୍ଣେଶ୍ବର ପୀଠ ପୂର୍ବରୁ ବଣ ଜଙ୍ଗଲ ଘେରରେ ଥିଲା। ଚାଷ ପାଇଁ ଖନନ ବେଳେ ମାଟି ତଳୁ ଗାଈର ପାଦ ଚିହ୍ନ ଥିବା ଏକ ଲିଙ୍ଗ ବାହାର କରାଯାଇଥିଲ। ସେହିପରି ଜନବସତି ଠାରୁ ଦୂରରେ ଏକ ପଥର ଗଦାରେ ଖୋଦେଇ ବେଳେ ଏକ ପଥରରୁ ରକ୍ତ ନିର୍ଗତ ହେବା ଦେଖି ଲୋକେ ରାଜାଙ୍କୁ ଖବର ଦେଇଥିଲେ। ରାଜା ମଧ୍ୟ ସମାନ ସ୍ବପ୍ନାଦେଶ ପାଇଥିଲେ। ଏଣୁ ସେ ଉକ୍ତ ସ୍ଥାନରେ ବ୍ରହ୍ମେଶ୍ବର ମନ୍ଦିର ନିର୍ମାଣ କରାଇଥିଲେ।

ଈଷାଣେଶ୍ବର ପୀଠର ବିଶେଷତ୍ତ୍ୱ ହେଉଛି ଯେ ଏହି ମନ୍ଦିର ଏଭଳି ନିର୍ମିତ ହୋଇଛି ଯେ ସୂର୍ଯ୍ୟୋଦୟ ପରେ ପ୍ରଥମ କିରଣ ଶିବ ଲିଙ୍ଗ ଉପରେ ପଡ଼ିଥାଏ। ଆହୁରି ମଧ୍ୟ ସଦା ଏହି ଲିଙ୍ଗରୁ ଜଳ ଝରୁଥିବା ସମସ୍ତଙ୍କୁ ବିସ୍ମିତ କରେ। ରାଳବ ଗ୍ରାମରେ ରହିଛି ଷଣ୍ଢେଶ୍ବର ପୀଠ। ଏଠି ମଧ୍ୟ ଶିବ ଲିଙ୍ଗରେ ଗାଈର ଖୁରା ଚିହ୍ନ ଦୃଶ୍ୟମାନ ହୁଏ। ତେଣୁ ଏହି ମନ୍ଦିରର ଏଭଳି ନାମକରଣ ହୋଇଛି। କୋଳଥିଗାଁରେ ଥିବା ମହାଦେବ ପୀଠରେ ରହିଛି ଦୁଇଟି ମନ୍ଦିର। ଏକ ବଡ଼ ଖାତରେ ବିଜେ ଲିଙ୍ଗ ହେଉଛନ୍ତି ଖୋଲେଶ୍ବର ଓ ନିକଟରେ ପୂଜା ପାଉଛନ୍ତି ନନ୍ଦିକେଶ୍ବର ଲିଙ୍ଗ।

ଗଉଞ୍ଜୁର ଶାମ୍ଵେଶ୍ବର ପୀଠକୁ ରାଜା ସ୍ବପ୍ନାଦେଶ ପାଇ ପ୍ରତିଷ୍ଠା କରିଥିଲେ। ସୁନ୍ଦରେଶ୍ବର ମହାଦେବଙ୍କୁ ସିଦ୍ଧେଶ୍ୱର ବୋଲି ମଧ୍ୟ କହିଥାନ୍ତି ପୂଜକ ଓ ଭକ୍ତ। ଏହି ମନ୍ଦିର ପଶ୍ଚିମମୁହାଁ ଯେଉଁଠି ବୃଷଭ ଓ ତାଣ୍ଡବ ଶିବ ମୂର୍ତ୍ତି ଭକ୍ତଙ୍କ ଦ୍ବାରା ପୂଜା ପାଇଥାଏ। ଶ୍ରଦ୍ଧାଳୁଙ୍କ ବିଶ୍ବାସ ଏହି ଅଷ୍ଟଶମ୍ଭୁ ପୀଠ ଦର୍ଶନ କଲେ ପାପମୋକ୍ଷ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ଜାଗର ତିଥିରେ ଅନେକ ଭକ୍ତ ଏକାଥରରେ କଷ୍ଟ ଶମ୍ଭୁ ମନ୍ଦିର ଦର୍ଶନ କରିଥାନ୍ତି।