ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ସିଏସ, ଦେଓ ଡ୍ୟାମ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶ | News Room Odisha

ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ସିଏସ, ଦେଓ ଡ୍ୟାମ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର କରଞ୍ଜିଆ ଗସ୍ତକରି ସେଠାରେ ଦେଓ ଡ୍ୟାମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଡ୍ୟାମ କାର୍ଯ୍ୟ ଶେଷ ହୋଇଛି ଏବଂ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କେନାଲ କାର୍ଯ୍ୟ ଶେଷ କରାଯାଇ ଖରିଫ ଋତୁରେ ଜଳସେଚନ ବ୍ୟବସ୍ଥା କରାଯିବ । ଏଥିସହ ଏହି ଡ୍ୟାମ ଉପରେ ଇକୋ ଟୁରିଜିମ ନିମନ୍ତେ ୧୦ଟି କଟେଜ ନିର୍ମାଣ କରାଯିବ । ଏଥିସହ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏହାଦ୍ବାରା ଉକ୍ତ ପ୍ରକଳ୍ପକୁ ନେଇ ବିସ୍ଥାପିତ ପରିବାରର ସଦସ୍ୟ ରୋଜଗାରକ୍ଷମ ହୋଇପାରିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏତଦବ୍ୟତୀତ ରାଇରଙ୍ଗପୁରସ୍ଥିତ ଖଡଖାଇ ଡ୍ୟାମ, ସମିଳିପାଳ ଅଞ୍ଚଳର ନଅଣା ଠାରେ ମଧ୍ୟ କଟେଜ ନିର୍ମାଣ କରାଯାଇ ଇକୋ ଟୁରିଜିମ ବ୍ୟବସ୍ଥା କରାଯିବ ।

ପୂର୍ବରୁ ମୁଖ୍ୟ ଶାସନ ସଚିବ କରଞ୍ଜିଆ ଠାରେ ଜିଲ୍ଲାରେ ଯାରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଜିଲ୍ଲାରେ ବହୁଦିନରୁ ବାକିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ୧୧ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୭ ହଜାର ଏବଂ ସୁବର୍ଣ୍ଣରେଖା ନିକଟସ୍ଥ ଅଞ୍ଚଳରେ ନୂତନ ଭାବେ ୧୦ ହଜାର ଜମିକୁ ଜଳସେଚନ କରାଯାଇ ପାରିବ ।

ମୁଖ୍ୟ ଶାସନ ସଚିବ ମୟୁରଭଞ୍ଜ ଯିବା ବାଟରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହଦ୍ବାରା ଆସନ୍ତା ଖରିଫ ଋତୁରେ ଅର୍ଥାତ ଚଳିତ ବର୍ଷ ଜୁନ ମାସ ସୁଦ୍ଧା ବ୍ୟାରେଜରେ ପାଣି ଛାଡିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟ କେନାଲ ସଂଯୋଗୀକରଣ ନେଇ ଥିବା ଜମିଜମା ସମସ୍ୟା ସମାଧାନ ହୋଇଥିବା ଉକ୍ତ ଗସ୍ତ ସମୟରେ ଉପସ୍ଥିତ ଅଧିକାରୀ ମାନେ ସୂଚନା ଦେଇଥିଲେ । ଏହାଦ୍ବାରା ବ୍ୟାପକ ଚାଷଜମିରେ ଜଳସେଚନ କରାଯାଇ ପାରିବ । ୧୧୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ମୁଖ୍ୟ କେନାଲର ୭୫ କି.ମି ପର୍ଯ୍ୟନ୍ତ କାମ ସରିଛି ଏବଂ ବାକି ୪୫ କି.ମି. କେନାଲର ସିମେଣ୍ଟ କଂକ୍ରିଟିଂ କାମ ଶେଷ ହୋଇଛି ।

ଏତଦବ୍ୟତୀତ ବ୍ୟତୀତ ଆନନ୍ଦପୁର ଅଞ୍ଚଳରେ ୬୦୦ କୋଟି ଟଙ୍କା ମୂଲ୍ୟରେ ୧୨ଟି ମେଗା ଉଠା ଜଳସେଚନ କାର୍ଯ୍ୟ ଯାରି ରହିଛି ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଗୁଡିକ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାଦ୍ବାରା ପ୍ରାୟ ୫୦ ହଜାର ହେକ୍ଟର ଜମିରେ ଜଳସେଚନ କରାଯାଇ ପାରିବ । ଏଥିସହ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଦ୍ବାରା ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜିଲ୍ଲାର ପ୍ରାୟ ୯୦ ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଆନନ୍ଦପୁର ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଆନନ୍ଦପୁର ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀ, ଆନନ୍ଦପୁର ବ୍ୟାରେଜ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଲ, ଉଠା ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ସୁନିଲ ରାଉତ ଉପସ୍ଥିତ ଥିବା ବେଳେ ମୟୁରଭଞ୍ଜ ଗସ୍ତ ସମୟରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନ ଦେଓ ଖିଲାରୀ, ଉପ ଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।