ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା | News Room Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା

ବରଗଡ଼: ଆଜି ପଦ୍ମପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ ପଦ୍ମପୁର ବର୍ଷକ ଭିତରେ ଜିଲ୍ଲା ହେବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ ।

ସୂଚନାଯୋଗ୍ୟ ଯେ, ପଦମପୁର ଉପନିର୍ବାଚନ କାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତବର୍ଷ ଡିସେମ୍ବର ମାସରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମିଶନ ଶକ୍ତି ଅନ୍ତର୍ଗତରେ ମହିଳାଙ୍କ କାମକୁ ନେଇ ସେ ବେସ ଖୁସି ଅଛନ୍ତି । ମିଶନ ଶକ୍ତିର ମା’ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦେବା କଥା ମଧ୍ୟ ଘୋଷଣା କରିଥିଲେ । ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲୋକଙ୍କ ସ୍ନେହଶ୍ରଦ୍ଧା ତାଙ୍କୁ ଅଭିଭୂତ କରିଛି ବୋଲି ମଧ୍ୟ ସେ କହିଥିଲେ । ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ତାଙ୍କ ସରକାର ଗ୍ରହଣ କରିଛନ୍ତି । ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦମପୁରରେ ବିଭିନ୍ନ ବିକାଶମୁଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।