ବ୍ରହ୍ମପୁରରେ ଜୋନାଲ୍ ପଲିଫେଷ୍ଟ ଉଦଘାଟିତ | News Room Odisha

ବ୍ରହ୍ମପୁରରେ ଜୋନାଲ୍ ପଲିଫେଷ୍ଟ ଉଦଘାଟିତ

ବ୍ରହ୍ମପୁର: ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ଆଜି ଜୋନାଲ୍ ପଲିଫେଷ୍ଟ ଉଦଘାଟିତ ହୋଇଛି। ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଜିଲ୍ଲାର ୨୧ଟି ସରକାରୀ ଓ ବେସରକାରୀ ପଲିଟେକନିକରୁ ୧୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଆଥଲେଟିକ୍, ବ୍ୟାଡମିଣ୍ଟନ୍, କ୍ରିକେଟ୍, ଫୁଟବଲ୍, କବାଡି ଆଦି ୩୩ଟି ଖେଳକୁଦ ଇଭେଣ୍ଟ ସମେତ ୨୯ଟି ସାଂସ୍କୃତିକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଛନ୍ତି।

ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ପଡ଼ିଆ ଏବଂ ଆଙ୍କୁଶପୁରସ୍ଥିତ ଏସଏମ୍ଆଇଟି ପଡ଼ିଆରେ ଏହା ତିନି ଦିନ ଧରି ଚାଲିବ। ପଲିଟେକନିକ୍ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି ସାଙ୍ଗକୁ ସେମାନଙ୍କ କଳା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏଭଳି କାର୍ଯ୍ୟକ୍ରମର ଆୟୋଜନ କରି ଆସୁଛନ୍ତି। କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପଲିଫେଷ୍ଟରେ ଭାଗ ନେବେ। ଉଦଘାଟନୀ ସମାରୋହରେ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଜେନା, ଏସଏମ୍ଆଇଟି ସଭାପତି ଡଃ ଭଗବାନ ଗନ୍ତାୟତ, ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଅଧ୍ୟକ୍ଷ ଓ ଅନ୍ୟ ପଲିଟେକନିକ୍ ଗୁଡ଼ିକର ଅଧ୍ୟକ୍ଷ, ମୁଖ୍ୟ ସଂଯୋଜକ ସତ୍ୟ ଶଙ୍କର ରାଜ ଉପସ୍ଥିତ ଥିଲେ।